ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗଦ୍ୱାରା ଆୟୋଜିତ ’ସହିତ୍ୟ ସ୍ରଷ୍ଟା ଡ. ମାୟାଧର ମାନସିଂହ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଅଧ୍ୟାପକ ବିଶ୍ବନାଥ ସାହୁଙ୍କ ଦ୍ଵାରା ସଂପାଦିତ ଗାଳ୍ପିକ ଦିବ୍ୟସିଂହ ପାଣିଗ୍ରାହୀଙ୍କ ଗଳ୍ପ ପୁସ୍ତକ ’ଅମୃତ କଙ୍କଣ’ ଉନ୍ମୋଚିତ ହୋଇଯାଇଛି। ଏହି ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ, ବିଶ୍ବଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର କଇଳାଶ ପଟ୍ଟନାୟକ ଓ ପ୍ରଫେସର ଗିରିବାଳା ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର, ଶିକ୍ଷକ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ସୂଚନାଯୋଗ୍ୟ ଯେ ’ଅମୃତ କଙ୍କଣ’ ଗଳ୍ପ ସଂକଳନଟି ’ଚିତ୍ର’, ’ଗଳ୍ପସ୍ଵଳ୍ପ ’ ଓ ’ କଥାକଦମ୍ବ’ ପରେ ସମ୍ଭବତଃ ଓଡିଆ ସାହିତ୍ୟର ଚତୁର୍ଥ ଗଳ୍ପଗ୍ରନ୍ଥ । ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ୧୯୨୬ ମସିହାରେ। ବ୍ଳାକ ଇଗଲ ବୁକ୍ସ, ଭୁବନେଶ୍ବରଦ୍ବାରା ପ୍ରକାଶିତ ଏହି ନୂତନ ପରିବର୍ଦ୍ଧିତ ସଂସ୍କରଣରେ ଗାଳ୍ପିକଙ୍କ ଅସଙ୍କଳିତ ଗଳ୍ପଗୁଡ଼ିକୁ ମଧ୍ୟ ସ୍ଥାନ ଦିଆଯାଇଛି।
Popular Categories



