ଦ୍ବନ୍ଦ୍ବ ଦୂର ହେଉ

ଗତ ବର୍ଷ ଅପେକ୍ଷା ଚଳିତବର୍ଷ ସ୍କ୍ରବ୍‌ ଟାଇଫସ୍‌ ରୋଗ ସଂକ୍ରମଣ ଅଶୀ ଶତାଂଶ ବୃଦ୍ଧି ପାଇବା ଉଦ୍‌ବେଗଜନକ; ଏହାର ନିରାକରଣ ପାଇଁ ଅବିଳମ୍ବେ ପଦକ୍ଷେପ ନେବା ଜରୁରୀ

ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ୍‌ ଟାଇଫସ୍‌ ବା ବୁଶ୍‌ ଟାଇଫସ୍‌ ରୋଗ ବ୍ୟାପି ଚାଲିଥିବାରୁ ଜନସାଧାରଣଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରି ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ଏ ରୋଗ ସଂକ୍ରମଣ ଦେଖିବାକୁ ମିଳିଛି। ବିଶେଷତଃ ଗତବର୍ଷ ଅପେକ୍ଷା ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ଏକାବେଳକେ ୮୦ ଶତାଂଶ ବୃଦ୍ଧି ପାଇବା ନିଶ୍ଚିତ ଉଦ୍‌ବେଗଜନକ। ତେଣୁ ଏ ରୋଗ ବିଷୟରେ ସଚେତନତା ଓ ଏହାର ନିରାକରଣ ଜରୁରୀ ହୋଇପଡ଼ିଛି।
ମଶା କାମୁଡ଼ିଲେ ଡେଙ୍ଗୁ ହୁଏ; କିନ୍ତୁ ଟିଙ୍କ ଭଳି ଏକ କ୍ଷୁଦ୍ରକାୟ କୀଟ ‘ଚିଗର୍ସ’ ଜରିଆରେ ‘ଓରିଏଣ୍ଟିଆ ସୁତ୍‌ସୁଗାମୁସି’ ନାମକ ଜୀବାଣୁ ଦ୍ବାରା ସ୍କ୍ରବ୍‌ ଟାଇଫସ୍‌ ରୋଗ ହେଉଛି। ଏହି ଦୁଇ ରୋଗର ଲକ୍ଷଣଗୁଡ଼ିକ ପ୍ରାୟ ସମାନ ରହୁଥିବାରୁ ରୋଗ ଚିହ୍ନଟରେ ଦ୍ବନ୍ଦ୍ବ ଉପୁଜୁଛି। ଏପରି କି ବିଶେଷଜ୍ଞମାନେ ମଧ୍ୟ ଜାଣିବା ସହଜ ହେଉନାହିଁ। ଅବଶ୍ୟ ବିଧିବଦ୍ଧ ପରୀକ୍ଷା ଦ୍ବାରା ଏହାର ଚିହ୍ନଟ ସମ୍ଭବ। ଖେତଖମାରରେ କାମ କରୁଥିବା ଓ ଜଙ୍ଗଲକୁ ଯାଉଥିବା ଲୋକେ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଏଥିରେ ସଂକ୍ରମିତ ହେଲେ ରୋଗୀ ଶରୀରରେ ତୀବ୍ର ଜ୍ବର ଆସିବା ସହ ତଳିପେଟରେ ଯନ୍ତ୍ରଣା ଓ ନିଃଶ୍ବାସପ୍ରଶ୍ବାସରେ ସମସ୍ୟା ହୋଇଥାଏ। ଯେଉଁ ସ୍ଥାନରେ କୀଟଟି କାମୁଡ଼ି ଥାଏ, ସେହି ସ୍ଥାନର ଚର୍ମ ମୃତ (ଏଷ୍ଟର୍‌) ହୋଇଯାଏ। ତେବେ ଏ ରୋଗ କେବଳ ଗ୍ରାମାଞ୍ଚଳରେ ସୀମାବଦ୍ଧ ହୋଇ ରହିନାହିଁ ; ସହରାଞ୍ଚଳକୁ ମଧ୍ୟ ବ୍ୟାପୁଥିବା ଦୃଷ୍ଟିକୁ ଆସିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ସ୍କ୍ରବ୍‌ ଟାଇଫସ୍‌ ଦ୍ରୁତ ବ୍ୟାପୁଥିବାରୁ ସେଠାକୁ ଇତିମଧ୍ୟରେ ଏକ କେନ୍ଦ୍ରୀୟ ଡାକ୍ତରୀ ଦଳ ଗସ୍ତ କରିଛନ୍ତି। ଏହି ଦଳ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲାରେ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ତେବେ କେନ୍ଦ୍ରୀୟ ଦଳ ଏସବୁ ଜିଲାରେ ଏ ରୋଗ କାହିଁକି ବ୍ୟାପୁଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ଏହି ଦଳ ଶୀଘ୍ର ତାଙ୍କର ରିପୋର୍ଟ ପ୍ରଦାନ କରିବା ଦରକାର, ଯେପରି କି ଏହାର ନିରାକରଣଗତ ପଦକ୍ଷେପ ଅବିଳମ୍ବେ ନିଆଯାଇପାରିବ।
ଓଡ଼ିଶାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ପ୍ରଥମେ ୨୦୧୪ ମସିହାରେ କେତେକ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ କରାଯାଇଥିବା ଜଣାପଡ଼େ। ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ଆମ ରାଜ୍ୟରେ ୭୯୮ ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ୨୦୨୧ରେ ୪୯୪, ୨୦୨୨ରେ ୧୫୮୩ ଓ ଚଳିତବର୍ଷ ଏବେ ସୁଦ୍ଧା ୨୮୨୦ ଜଣ ଏଥିରେ ସଂକ୍ରମିତ ହୋଇଥିବା ସରକାରୀ ତଥ୍ୟ କହୁଛି। ଏଥିରୁ ସ୍ପଷ୍ଟ ଯେ ପ୍ରତିବର୍ଷ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ରୋଗ ଠିକ୍‌ ଭାବେ ପରୀକ୍ଷା ଓ ଚିହ୍ନଟ କରାଯାଇପାରିଲେ ରୋଗୀଙ୍କ ସଂଖ୍ୟା ବଢ଼ିବା ଅସମ୍ଭବ ନୁହେଁ। ୨୦୧୯ ମସିହାରୁ ରାଜ୍ୟରେ ଏ ରୋଗର ପରୀକ୍ଷା ହେଉଥିବାବେଳେ ଅଧିକ ପରୀକ୍ଷା କରାଯିବା ଦରକାର। ତେବେ ଏଥିପାଇଁ ଯାହା ପ୍ରଥମେ ଆବଶ୍ୟକ, ତାହା ହେଲା ରୋଗୀଙ୍କ ମଧ୍ୟରେ ସଚେତନତା। ଏ ରୋଗର ଲକ୍ଷଣକୁ ଚିହ୍ନି ସେମାନେ ଯଦି ବିଳମ୍ବ ନକରି ପରୀକ୍ଷା କରାଇବେ, ତେବେ ଏହା ସେତେ କ୍ଷତିକାରକ ହେବନାହିଁ। ରାଜ୍ୟ ସରକାର ଏ ରୋଗରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ତା’ର ତଥ୍ୟ ଦେଇନଥିଲେ ହେଁ ବେସରକାରୀ ଭାବେ ଏ ସଂଖ୍ୟା ୧୦ରୁ ଅଧିକ ବୋଲି କୁହାଯାଉଛି। ଠିକ୍ ପରୀକ୍ଷା ଓ ଚିହ୍ନଟ ନହେଲେ ଏପରି ସ୍ଥିତି ଦେଖାଦେବା ସ୍ବାଭାବିକ। ଯଦି ସରକାର ଏଥିପାଇଁ ପଦକ୍ଷେପ ନେବେ, ତାହାହେଲେ ବାସ୍ତବତା ଲୋକଲୋଚନକୁ ଆସିପାରିବ। ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କ ଅନୁଯାୟୀ ରାଜ୍ୟ ସରକାରଙ୍କ ଦଳ ବରଗଡ଼ ଓ ସୁନ୍ଦରଗଡ଼ ଜିଲାକୁ ଯାଇ ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁର ଯାଞ୍ଚ କରିଥିଲେ; କିନ୍ତୁ ରୋଗୀଙ୍କର ମୃତ୍ୟୁ ବେସରକାରୀ ଡାକ୍ତରଖାନାରେ ହୋଇଥିବାରୁ ସେମାନେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଦ୍ବନ୍ଦ୍ବମୁକ୍ତ ନୁହନ୍ତି। ଘରୋଇ ଚିକିତ୍ସାଳୟରେ ଏଲିସା ପଦ୍ଧତି ପରିବର୍ତ୍ତେ ରାପିଡ଼ କିଟ୍‌ରେ ପରୀକ୍ଷା ହେଉଛି; କିନ୍ତୁ କେବଳ ଏଲିସା ପରୀକ୍ଷାରେ ହିଁ ଏ ରୋଗର ଚିହ୍ନଟ ହୋଇପାରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଏ ରୋଗ ବିଷୟରେ ଯେତିକି ସଚେତନତା ଆବଶ୍ୟକ, ତାହା ଜନସାଧାରଣ ଅଥବା ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଖରେ ନାହିଁ। ସରକାର ଏ ନେଇ ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ନେବା ବାଞ୍ଛନୀୟ।
ଏକ ରିପୋର୍ଟ ଅନୁଯାୟୀ ଭାରତରେ ସର୍ବାଧିକ ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ ରାଜସ୍ଥାନରେ ହୋଇଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ଦ୍ବିତୀୟ ଓ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ତେବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କେତେକ ବିଶେଷଜ୍ଞଙ୍କ ମତ। ସେ ଯାହାହେଉ, ସାଧାରଣ ଆଣ୍ଟିବାଇଓଟିକ୍‌ ଔଷଧ ଦ୍ବାରା ଏହି ରୋଗ ଭଲ ହୋଇଯାଉଥିବାରୁ ଏହାର ନିଦାନ ଅଧିକ ଚିନ୍ତାର କାରଣ ନୁହେଁ ବରଂ ରୋଗ ଚିହ୍ନଟ ହିଁ ଅସଲ ସମସ୍ୟା। ଓଡ଼ିଶାରେ ଏ ରୋଗ ସଂକ୍ରମଣର ବିଶେଷ ତଥ୍ୟ ନଥିବାରୁ ଏ ନେଇ ଅଧିକ ଗବେଷଣା ଓ ସମୀକ୍ଷାର ଆବଶ୍ୟକତା ରହିଛି। ଏ ଦିଗରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉ।

Comments are closed.