କଖଡି ମହାନଦୀ ମହାବିଦ୍ୟାଳୟର ନିର୍ମାଣଧିନ ନୂତନ ଶ୍ରେଣୀ ଗୃହକାର୍ଯ୍ୟ ନିମ୍ନମାନର ଅଭିଯୋଗ

ଗୁରୁଡ଼ିଝାଟିଆ: ନଦୀକୂଳ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ୨୦୦୯ ମସିହାରେ ସ୍ଥାପିତ ହୋଇଛି କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ। ମହାବିଦ୍ୟାଳୟଟି ସରକାରଙ୍କ ଅନୁଦାନ ପାଇନଥିବାରୁ ଆର୍ଥିକ ସଂକଟ ଦେଇ ଗତି କରୁଅଛି। ଏପରିକି ବିଦ୍ୟାର୍ଥୀଙ୍କ ଅନୁପାତରେ ଶ୍ରେଣୀଗୃହ ଅଭାବ ରହିଅଛି। ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନଗୃହ ନିର୍ମାଣ ପାଇଁ ନିଜସ୍ୱ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା କାରଖାନା ପ୍ରଶାସନ ଜରିଆରେ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ମହାବିଦ୍ୟାଳୟର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ମୋଟ ୨୦ଲକ୍ଷ ଟଙ୍କାରେ ମହାବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମିତ ହେଉଅଛି। ଯାହାର ଲମ୍ବ ପ୍ରାୟ ୬୦ ଫୁଟ ଅଟେ। ନିର୍ମିତ ହେଉଥିବା ଶ୍ରେଣୀଗୃହ ନିମ୍ନମାନର ହେଉଥିବା ଅଭିଯୋଗ ହେଉଅଛି। ନିମଟାଲ ପରେ ସଠିକ୍‌‌ ଢଙ୍ଗରେ ପାଣି ଦିଆଯାଇନାହିଁ। ଏପରିକି ସିମେଣ୍ଟ ଓ ବାଲିର ଅନୁପାତ କେତେ ଦିଆଯାଉଛି ତାହାକୁ ତଦାରଖ କରିବା ପାଇଁ କେହି ନାହାନ୍ତି। ଫଳରେ ଠିକାଦାର ନିଜ ଇଚ୍ଛାମୁତାବକ ନିର୍ମାଣ କାର୍ଯ୍ୟ କରୁଅଛି। ଯାହାଫଳରେ କି ନିର୍ମାଣଧିନ ଶ୍ରେଣୀଗୃହର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରଙ୍କ ସ୍ପଷ୍ଟ ନିୟମ ଥିବା ସତ୍ୱେ ନିର୍ମିତ ହେଉଥିବା ଶ୍ରେଣୀଗୃହର ବ୍ୟୟ ଅଟକଳ କେତେ, ଅବଧି ଆରମ୍ଭ ଓ ଶେଷ ତାରିଖ ଇତ୍ୟାଦି ଲେଖାହେବାର ସଂପର୍କରେ ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖାଯାଇଛି। ନିର୍ମାଣଧିନ ଶ୍ରେଣୀଗୃହର କାର୍ଯ୍ୟ ନିମ୍ନମାନର ହେଉଥିଲେ ମଧ୍ୟ ଠିକାଦାରଙ୍କ ରାଜନୈତିକ ସଂପୃକ୍ତିକୁ ନେଇ ଭୟରେ ଅଭିଭାବକ ବା ସାଧାରଣ ଜନତା ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି। ପ୍ରକାଶଯୋଗ୍ୟ ମହାବିଦ୍ୟାଳୟଟି ସରକାରୀ ଅନୁଦାନ ପାଇନଥିବା ବେଳେ ସଂପୂର୍ଣ୍ଣ ଭାବରେ ପରିଚାଳନା କମିଟି ଏହାର ଦେଖାଶୁଣା କରୁଛନ୍ତି। ସରକାରଙ୍କ ଅନୁବନ୍ଧିତ ଏହି ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ, କ୍ରିଡା ସାମଗ୍ରୀ, ଶିକ୍ଷକଙ୍କ ପ୍ରକୋଷ୍ଠ ଓ ଉଚ୍ଚମାନର ଗ୍ରନ୍ଥାଗାର ନଥିଲେ ମଧ୍ୟ ଗ୍ରାମାଞ୍ଚଳର ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀମାନେ ନିଜର ଅଧ୍ୟବସାୟ ବଳରେ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଭାବେ ପରିଚୟ ପ୍ରଦାନ କରିଛନ୍ତି ଯାହାର ଉଦାହରଣ ଗତ +୩ ଶେଷବର୍ଷ ପରୀକ୍ଷାରେ ମହାବିଦ୍ୟାଳୟର ଜୈନିକ ଛାତ୍ରୀ ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଗୌରବ ଆଣିଦେଇଥିଲେ। ଆର୍ଥିକ ଅନାଟନ ଭିତରେ ମହାବିଦ୍ୟାଳୟଟି ଗତି କରୁଅଛି। ପରିଚାଳନା କମିଟିର ସଭାପତି ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅକୁଣ୍ଠ ସହଯୋଗ ଶିକ୍ଷାପ୍ରତି ଅନୁରାଗ, ପ୍ରତିଶୃତିବଦ୍ଧତା ପାଇଁ ମହାବିଦ୍ୟାଳୟଟି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଶିକ୍ଷାକ୍ଷେତ୍ରରେ ନିଜସ୍ୱ ଉଦାହରଣ ସୃଷ୍ଟି କରିପାରିଛି। ହେଲେ ପ୍ରାୟ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଶ୍ରେଣୀଗୃହ ନିମ୍ନମାନର ହେବା ଓ ଏହାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ପରିଚାଳନା କମିଟିର ସଭାପତି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେବେ ହସ୍ତକ୍ଷେପ କରିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

Comments are closed.