ହରଭଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ଅବାଧ ଗୋରୁ ଚୋରା ଚାଲାଣ
କୁଶଙ୍ଗ-ବାଣିଗୋଛା ରାସ୍ତା ପାଲଟିଛି ଗୋରୁ ମାଫିଆଙ୍କ ସୁରକ୍ଷାପଥ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ବୃଦ୍ଧି ପାଉଛି ଅବାଧ ଗୋରୁ ଚୋରା ଚାଲାଣ। ଜିଲ୍ଲାର ବିଭିନ୍ନ ଗୋରୁ ହାଟରୁ ଚୋରା ଗୋରୁ ବେପାରୀମାନେ ଶହ ଶହ ସଂଖ୍ୟାରେ ଗାଈ, ଗୋରୁ ବାହାର ରାଜ୍ୟ ପଶ୍ଚିମବଙ୍ଗ ଅଂଚଳକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାରେ ଆନ୍ତଃରାଜ୍ୟ ଗୋରୁ ଚୋରା ଚାଲାଣ ର୍ୟାକେଟ୍ ସକ୍ରିୟ ହୋଇପଡ଼ିଥିବା ବେଳେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ଏମାନଙ୍କୁ ଖୁବ୍ ସୁହାଉଛି। ଫଳରେ ଜିଲ୍ଲାରେ ଗୋ-ସୁରକ୍ଷା ଆଇନ ସଂପୂର୍ଣ୍ଣ ବପର୍ଯ୍ୟସ୍ତ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଚୋରା ଗୋରୁ ବେପାରୀମାନେ ସାପ୍ତାହିକ ହାଟଗୁଡିକରୁ କମ୍ ଦରରେ ଗାଈ, ଗୋରୁ କିଣିବା ପରେ ଆଗରୁ ୫୭ ନମ୍ବର ଜାତୀୟ ରାଜପଥ ଦେଇ କିଛି ବାଟ ଚଲେଇ ଚଲେଇ ନେବା ପରେ ଜଙ୍ଗଲ ମଧ୍ୟରେ ରାତିଅଧିଆ କଣ୍ଟେନରରେ ବୋଝେଇ କରି ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ। ବର୍ତ୍ତମାନ ଗୋରୁ ମାଫିଆ ରାସ୍ତା ବଦଳେଇ ରାତିଅଧିଆ କୁଶଙ୍ଗ-ବାଣିଗୋଛା ରାସ୍ତା ଦେଇ ଗାଡ଼ିରେ ରାତିଅଧିଆ ଚୋରା ଚାଲାଣ କରୁଥିବା ସୂଚନା ମିଳିଛି। କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ସନ୍ନିକଟ ଗାଁ ରାସ୍ତା ଦେଇ ରାତିଅଧିଆ ଗୋରୁ ଚାଲାଣ ଚାଲିଥିବାବେଳେ ଏ ନେଇ ପୁଲିସ ପାଖରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ରାତିଅଧିଆ ଗୋରୁ ଚାଲାଣ ଘଟଣାକୁ ନେଇ କୁଶଙ୍ଗ, ମହାଲିକପଡ଼ା ପଂଚାୟତ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ଦିଗରେ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହେଉଛି।
Comments are closed.