‘ସମୃଦ୍ଧ ଦେଶ ଗଠନରେ ଶିକ୍ଷକ ସମାଜ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲାସ୍ତରୀୟ ସମ୍ବର୍ଦ୍ଧନା

କେନ୍ଦୁଝରଗଡ଼: ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ ସହଯୋଗରେ ସୋମବାର ଜିଲା ସଂସ୍କୃତି ଭବନଠାରେ ଜିଲାସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘ ଉପସଭାପତି ପ୍ରସନ୍ନ କୁମାର ରଥଙ୍କ ପ୍ରସ୍ତାବକ୍ରମେ ପ୍ରଥମେ ଦିବଙ୍ଗତ ଶିକ୍ଷକ ଓ କର୍ମଚାରୀଙ୍କ ଅମର ଆତ୍ମାର ସଦ୍‌‌ଗତି କାମନା କରି ୧ମିନିଟ୍‌‌ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରାକ୍ତନ ଶିକ୍ଷା ମଣ୍ଡଳାଧିଶ ଲିଙ୍ଗରାଜ ଦଳେଇ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୃଦ୍ଧ ଦେଶ ଗଠନରେ ଶିକ୍ଷକ ସମାଜର ଭୂମିକା ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ତାଙ୍କ ସମୟରେ କେନ୍ଦୁଝର ଜିଲାର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗକୁ ମନେପକାଇ ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦୁଝର ଜିଲାର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କର୍ମକର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିବା ବେଳେ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଯେଉଁ ଜିଲାସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଷ୍ଟା ସମ୍ପାଦକ ରଞ୍ଜନ କୁମାର ଦାଶ, ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ପ୍ରେମାନନ୍ଦ ଜେନା, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ, ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ଶାଖାର କାର୍ଯ୍ୟକାରୀ ସଭାପତି ଚିନ୍ତାମଣୀ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ପୂଜ୍ୟପୂଜା ପରମ୍ପରାକୁ ଅଧିକ ସୁସମୃଦ୍ଧ କରିବ ବୋଲି କହିଥିଲେ।

ଏହି ଅବସରରେ ଜିଲାର ବରିଷ୍ଠ ପ୍ରଧାନଶିକ୍ଷକ ବାବାଜି ଚରଣ ସାହୁ, ଶରତ ଚନ୍ଦ୍ର ମିଶ୍ର ଓ କହ୍ନେଇ ଚରଣ ମହାନ୍ତିଙ୍କୁ ଉପଢ଼ୌକନ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିବା ବେଳେ ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଜିଲାର ବିଭିନ୍ନ ହାଇସ୍କୁଲରୁ ଅବସରଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୧୭୪ଜଣଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଝାଡେଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ କ୍ଷୀରୋଦ କୁମାର ରାଉତ, ଭିକାରୀ ଚରଣ ସାହୁ, ଶାନ୍ତନୁ କୁମାର ମିଶ୍ର, ଓଷ୍ଟା କେନ୍ଦୁଝର ଜିଲା ସଭାପତି ରଘୁନାଥ ବେହେରା ଓ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ଓଷ୍ଟା କର୍ମକର୍ତ୍ତା ଜଗବନ୍ଧୁ ମହାନ୍ତ ଓ ମନ୍ମଥ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.