ଠଣଠଣା ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ
ସେପ୍ଟେମ୍ବର ୩୦ରେ ଦୂର ହେବ ୪୦ ବର୍ଷର ବିଦ୍ୟୁତ୍ ସମସ୍ୟା
ପିପିଲି: ପୁରୀ ଜିଲାର ପିପିଲିବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଦୂର ହେବାକୁ ଯାଉଛି ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ ସମସ୍ୟା। ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ମଙ୍ଗଳପୁର ନିକଟ ଠଣଠଣା ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍ ସବ୍ଷ୍ଟେସନ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ ଯୋଗାଣ ହେବ। ଏଥିପାଇଁ ସୋମବାର ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରାଯାଇଛି।
ଠଣଠଣାଠାରୁ ପିପିଲିକୁ ଭୂତଳ କେବୁଲ ଯୋଗେ ୩୩ କେଭି ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ୨ଟି ଏଚ୍ଡିଡି ମେସିନ ଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ଏହାକୁ ଟିପିସିଓଡିଏଲ୍ ଟିମ୍ ଲିଡ୍ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର, ନିମାପଡ଼ା ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରା, ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ, ପ୍ରକଳ୍ପ ଯନ୍ତ୍ରୀ ସାନ୍ତନୁ ନାଥ ପ୍ରମୁଖ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ। ଠଣଠଣା ସ୍ଥିତ ବିଦ୍ୟୁତ ଗ୍ରୀଡ୍ଠାରୁ ଜାତୀୟ ରାଜପଥର ଜମାଲପୁର ଛକ ପର୍ଯ୍ୟନ୍ତ ଦୀର୍ଘ ସାଢେ ୩ କିଲୋମିଟର ଭୂତଳ କେବୁଲ ବିଛାଇ ୩୩କେଭି ବିଦ୍ୟୁତ୍ ଯୋଗାଣ ପାଇଁ ଟିପିସିଓଡିଏଲ୍ କାପେକ୍ସ ପାଣ୍ଠିରୁ ୫କୋଟି ଟଙ୍କା ମଞ୍ଜୁର ହୋଇଥିବା ସଂପର୍କରେ ଟିପିସିଓଡିଏଲ୍ ଟିମ୍ ଲିଡ୍ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଠଣଠଣାରେ ଗୋଟିଏ ଓ ଜମାଲପୁର ଛକରେ ଅନ୍ୟ ଗୋଟିଏ ଏଚ୍ଡିଡି ମେସିନ ଦ୍ୱାରା ଭୂତଳ କେବୁଲ ବିଛାଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବୁଧବାରଠାରୁ ଆଉ ୨ଟି ଏଚ୍ଡିଡି ମେସିନକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଜମାଲପୁରରୁ ପିପିଲି ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍ ଛକ ପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍ ଆସିବ ଓ ତରାକାଜ ଛକଠାରୁ ପୂନର୍ବାର ଭୂତଳ କେବୁଲ ଦ୍ୱାରା ପିପିଲି ବିଦ୍ୟୁତ୍ ଉପଖଣ୍ଡ ସବ୍ଷ୍ଟେସନକୁ ୩୩କେଭି ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨୬ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବା ପରେ ୩୦ ତାରିଖରେ ଠଣଠଣା ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍ ସବ୍ଷ୍ଟେସନ୍ରୁ ପିପିଲିକୁ ଏବଂ ମଙ୍ଗଳପୁରର ଝିଲିମିଲିପାଟଣା ସ୍ଥିତ ୩୩/୧୧ କେଭି ସବ୍ଷ୍ଟେସନକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ୍ ସମସ୍ୟା ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ପିପିଲି ବିଦ୍ୟୁତ ସବ୍ଡିଭିଜନକୁ ନିମାପଡ଼ାର ଦିଘାଳଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୪ଶହରୁ ଊର୍ଦ୍ଧ୍ବ ଖୁଣ୍ଟିରେ ୩୩କେଭି ବିଦ୍ୟୁତ ଆସୁଛି। ତେବେ ବର୍ଷା ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ସୃଷ୍ଟି ହେଉଥିବା ବିଦ୍ୟୁତ ବିଭ୍ରାଟର ମରାମତି ପାଇଁ ସମୟ ସାପେକ୍ଷ ହେବା ଯୋଗୁଁ ପିପିଲି ବିଦ୍ୟୁତ ଅଞ୍ଚଳର ୩୨ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି। ଅନେକ ସମୟରେ ଦିନକୁ ୮ରୁ ୧୫ଘଣ୍ଟା ପିପିଲିବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ଠଣଠଣାରେ ୨୦୧୬ ମସିହାରେ ଏକ ନୂତନ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ ଗ୍ରୀଡ୍ ସବ୍ଷ୍ଟେସନର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ମସିହାରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ୨୦୨୦ ଜୁନ ୨୫ ତାରିଖରେ ଏହି ଗ୍ରୀଡ୍କୁ ୧୩୨ କେଭି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ସେହିବର୍ଷ ନଭେମ୍ବର ୬ ତାରିଖରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ଗ୍ରୀଡ୍କୁ ଓପିଟିସିଏଲକୁ ହସ୍ତାନ୍ତର କରାଯାଇଥିଲା। ଗ୍ରୀଡ୍ କାର୍ଯ୍ୟକ୍ଷମ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରୁ ପିପିଲିକୁ ୩୩କେଭି ଲାଇନ୍ ସଂଯୋଗ ହୋଇନପାରିବା କାରଣରୁ ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଏ ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଏହି ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ। ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ୨୦ ତାରିଖରେ ପିପିଲିର ବିଦ୍ୟୁତ ସମସ୍ୟା ସଂପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ସମୀକ୍ଷା କରିଥିଲେ। ଯଥାଶୀଘ୍ର ଠଣଠଣା ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.