www.samajalive.in
Sunday, December 7, 2025
26.1 C
Bhubaneswar

ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକାର କୁପରିଣାମ: ନିର୍ମାଣର ୩ ମାସ ନପୂରୁଣୁ ଉଠିଯାଉଛି ପିଚୁବୋଳା ଚିପ୍ସ

ଦେବଗଡ଼: ନିର୍ମାଣ କାର୍ଯ୍ୟ ଶେଷ ହେବାର ୩ ମାସ ପୁରିନି। ହେଲେ ରାସ୍ତାରୁ ଉଠି ଗଲାଣି ପିଚୁବୋଳା ଚିପ୍ସ। କଂକ୍ରିଟ ରାସ୍ତାରେ ଠାଏଁ ଠାଏଁ ଫାଟ ସୃଷ୍ଟି ହୋଇଥିବା ବେଳେ ପିଚୁ ରାସ୍ତାରେ ସୃଷ୍ଟି ହେଲାଣି ଆଣ୍ଠୁଏ ଗଭୀରର ଖାତ। ତେବେ ଏଭଳି ଅବସ୍ଥା କୌଣସି ଗ୍ରାମ କମିଟି, ଗ୍ରାମପଞ୍ଚାୟତ କିମ୍ବା ବ୍ଲକ ଦ୍ୱାରା ନିର୍ମିତ ରାସ୍ତାର ନୁହେଁ। ଏହା ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ନିର୍ମିତ ରାସ୍ତାର ଅବସ୍ଥା।

ମିଳିଥିବା ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଡିମିରିକୁଦା ଗ୍ରାମପଂଚାୟତର ଝରାସାହିରୁ ଝରାଗୋଗୁଆ ଗ୍ରାମପଞ୍ଚାୟତର ନିକ୍ତିମାଳ ପର୍ଯ୍ୟନ୍ତ ୬ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା। ସେହିପରି ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହେବାସହ ବରଗଡ଼ ଜିଲା ପଦ୍ମପୁରର ନିର୍ମାଣ କାରୀ ସଂସ୍ଥା ମେସର୍ସ ୟୁନିସନ ଇନଫ୍ରାକନକୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୫ କୋଟି ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ସମ୍ପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମେଟାଲିଂ କାର୍ଯ୍ୟଠାରୁ ଆରମ୍ଭ କରି ପିଚୁ ରାସ୍ତା ଓ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ଫଳରେ ଉକ୍ତ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାସହ ସରକାରୀ ଅର୍ଥ ପାଣିରେ ପଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଅଞ୍ଚଳବାସୀ ନିର୍ମାଣ କାରୀ ସଂସ୍ଥାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଏପରିକି ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିବାସହ ବ୍ୟୟ ଅଟକଳ ଅନୁଯାୟୀ ସଠିକ ମାନର କାର୍ଯ୍ୟ କରିବାକୁ ଦାବୀ କରିଥିଲେ। ଏହା ସତ୍ୱେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବବତ ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିଲା। ଫଳ ସ୍ୱରୂପ ନିର୍ମାଣର ୩ ସପ୍ତାହ ନପୂରୁଣୁ ଏହି ସଦ୍ୟ ନିର୍ମିତ କଂକ୍ରିଟ ରାସ୍ତାର ଭିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଭଲଭାବେ କ୍ୟୁରିଂ(ଜଳ ସିଞ୍ଚନ) କରାଯାଇ ନ ଥିବାରୁ କଂକ୍ରିଟ ରାସ୍ତାରୁ ସିମେଣ୍ଟ ଗୁଣ୍ଡ ବାହାରି ପବନରେ ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି।

- Advertisement -

ଅନ୍ୟ ପକ୍ଷରେ ଭଲ ଭାବେ ରୋଲିଂ କରାଯାଇନଥିବାରୁ ପିଚୁବୋଳା ଚିପ୍ସ ଓ ବଜୁରୀ ଆଦି ବିଛାଯିବା ପୂର୍ବରୁ ଅନେକ ସ୍ଥାନରେ ମେଟାଲଗୁଡ଼ିକ ଉପରକୁ ଉଠିଯାଇ ଠାଏଁ ଠାଏଁ ଜମା ହେବାସହ ସମଗ୍ର ରାସ୍ତାଟି ଆବୁଡା ଖାବୁଡା ହୋଇଯାଉଥିଲା। ଏନେଇ ଅଭିଯୋଗ ସତ୍ୱେ ନିର୍ମାଣ କାର୍ଯ୍ୟରେ ସୁଧାର ନଆସିବାରୁ ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏନେଇ ଗତ ମାର୍ଚ୍ଚ ୧୧ ତାରିଖ ‘ସମାଜ’ରେ ମଧ୍ୟ ତଥ୍ୟ ଭିତ୍ତିକ ସଚିତ୍ର ଖବର ପ୍ରକାଶ ପାଇଥିଲା। ‘ସମାଜ’ରେ ଖବର ପ୍ରକାଶିତ ହେବାପରେ କିଛିଦିନ ପର୍ଯ୍ୟନ୍ତ ସଠିକ ମାନର ନିର୍ମାଣ କାର୍ଯ୍ୟ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣିଥରେ ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିଲା। ପ୍ରାୟ ୩ ମାସ ପୂର୍ବେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଠାଏଁ ଠାଏଁ ପିଚୁ ବୋଳା ଚିପ୍ସ ଉଠିଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ପୋତା ଯାଇଥିବା କଂକ୍ରିଟ ଖୁଣ୍ଟ ସବୁ ମାଟିରୁ ଉଠିଯାଇ ତଳେ ଗଡ଼ୁଛି। ଏହି ରାସ୍ତାର ଅବସ୍ଥା ଏବେ ଏଭଳି ହୋଇପଡ଼ିଲାଣି ଯେ, ସ୍ୱଚକ୍ଷୁରେ ନଦେଖିଲେ ଯେ କେହି ସହଜରେ ବିଶ୍ୱାସ କରି ପାରିବନାହିଁ। ଅପରପକ୍ଷେ, ୩ ମାସ ନପୁରୁଣୂ ଯଦି ରାସ୍ତାର ଅବସ୍ଥା ଏଭଳି ହୋଇପଡ଼ିଲାଣି ତେବେ ଆଗାମୀ ଦିନରେ ଏହାର ଅବସ୍ଥା କ’ଣ ହେବ ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇବା ସହ ସମ୍ପୃକ୍ତ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତାର ଭିଜିଲାନ୍ସ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି। ନିର୍ମାଣ କାର୍ଯ୍ୟରେ ଏଭଳି ଅନିୟମିତତା ସମ୍ପର୍କରେ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଚାରଡିଆଙ୍କ ମତାମତ ଲୋଡିବାରୁ ମରାମତି ପାଇଁ ନିର୍ମାଣକାରୀ ସଂସ୍ଥାକୁ କୁହାଯାଇଛି ଓ ବର୍ଷା ଋତୁ ପରେ ରାସ୍ତାର ମରାମତି କରାଯିବ ବୋଲି ଉତ୍ତର ଦେଇଛନ୍ତି। ତେବେ ୩ ମାସ ନପୂରୁଣୁ ରାସ୍ତାର ଅବସ୍ଥା କାହିଁକି ଏଭଳି ହେଲା ଓ ମରାମତିର ଆବଶ୍ୟକତା ପଡ଼ିଲା ବୋଲି ପ୍ରଶ୍ନ କରିବାକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରି ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ଏନେଇ ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସୋରେନଙ୍କ ମତାମତ ଲୋଡିବାରୁ ଆଗାମୀ ଏକ ସପ୍ତାହ ମଧ୍ୟରେ ରାସ୍ତାର କ୍ଷତିଗ୍ରସ୍ତ ଅଂଶକୁ ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories