ପିପିଲି: ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ଭୋଗୁଆବାଙ୍କ ଛକଠାରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ କଟୁରୀ, ଛୁରୀ, ଆରିପାତିଆ, ଟର୍ଚ୍ଚ ଆଦିକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ ସଠସ ଅଞ୍ଚଳର କରୁଣାକର ଘଡେଇ ଓରଫ କରୁଣା (୩୩), ମାନସ ପରିଡ଼ା ଓରଫ ମାନିଆ (୩୫), ରୁଦ୍ରନାରାୟଣ ସ୍ୱାଇଁ (୨୧), ଅମରେଶ୍ୱର ଘଡେଇ ଓରଫ ଲିପୁ (୨୮) ଓ ପିପିଲି ଜୟପୁରକିଲ୍ଲା ମଠସାହି ଅଞ୍ଚଳର ଚନ୍ଦନ ବେହେରା(୨୪)। ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ କରୁଣା ନାମରେ ପିପିଲି ଥାନାରେ ଏହାପୂର୍ବରୁ ୪ଟି ଅପରାଧିକ ମାମଲା ରହିଥିବା ବେଳେ ମାନିଆ ନାମରେ ୮ଟି ମାମଲା, ରୁଦ୍ର ନାମରେ ୪ଟି ମାମଲା, ଲିପୁ ନାମରେ ୫ଟି ମାମଲା ଓ ଚନ୍ଦନ ନାମରେ ଡେଲାଙ୍ଗ ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ପିପିଲି ଥାନା ଏଏସ୍ଆଇ ରମାକାନ୍ତ ସାହୁ ରାତ୍ର ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାଣ୍ଡମୁକୁନ୍ଦପୁର ବାଇପାସ ରାସ୍ତାର ଭୋଗୁଆବାଙ୍କ ଛକ ନିକଟରେ ଥିବା ଏକ ନିକାଞ୍ଚନ ସ୍ଥାନ ଉପରେ ଚଢାଉ କରିଥିଲେ। ସେଠାରେ ଡକାୟତି ପାଇଁ ଯୋଜନା କରୁଥିବା ଉପରୋକ୍ତ ୫ ଅଭିଯୁକ୍ତ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ କଟୁରୀ, ଛୁରୀ, ଆରିପାତିଆ, ଟର୍ଚ୍ଚ ଆଦିକୁ ପୁଲିସ ଜବତ କରିଥିଲା। ଏନେଇ ଏଏସ୍ଆଇ ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ରାଜନ ବିଶୋଇଙ୍କୁ ଘଟଣାର ତଦନ୍ତ କରିବାକୁ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।



