ଓଲମା ଡକାୟତି ମାମଲା: ୪ କୋର୍ଟ ଚାଲାଣ, ଜଣକର ମୃତ୍ୟୁ ପରେ ଥାନା ଘେରିଲେ ପରିବାର

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁ ଡକାୟତି ଘଟଣାରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ୪ ଜଣ ଡକାୟତଙ୍କୁ କାବୁ କରିବା ସହ ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷେ, ଏହି ଡକାୟତି ମାମଲାରେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଧରା ପଡ଼ିଥିବା ଅଭିଯୁକ୍ତ ରୂପେଶ ନାଏକଙ୍କୁ ଚିକିତ୍ସା ପାଇଁ ମଙ୍ଗଳବାର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଗୁରୁତର ଅଭିଯୁକ୍ତର ମୃତ୍ୟୁ ପରେ ପରିବାର ଲୋକ ଗୁରୁବାର ସକାଳୁ କୋକସରା ଥାନା ସମ୍ମୁଖରେ ନ୍ୟାୟ ପ୍ରଦାନ ଦାବିରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ପୁଲିସ ହସ୍ତକ୍ଷେପ ପରେ ମୃତଦେହ ନେଇ ଗାଁକୁ ଯାଇଥିଲେ ପରିବାର ଓ ଗ୍ରାମବାସୀ । ଧର୍ମଗଡ଼ ଏସଡିପିଓଙ୍କ ନେତୃତ୍ୱରେ ଥାନା ଅଧିକାରୀ ଧର୍ମଗଡ଼ ଦାମୋଦର ବିହାରୀ, ଆମପାଣିରୁ ଉଲ୍ଲାସ ଚନ୍ଦ୍ର ରାଉତ, ଜୟପାଟଣାରୁ ମମତା ପାଣିଗ୍ରାହୀ, କଲମପୁରରୁ ଜିତେନ୍ଦ୍ର ବିଶ୍ଵାଳ ଓ କୋକସରା ଥାନାଧିକାରୀ ରୋନିତା ପ୍ରଧାନ ଉପସ୍ଥିତ ଥିବାବେଳେ ଫୋର୍ସ ମୁତୟନ ଥିଲେ । ତେବେ ମୃତ ଯୁବକକୁ ଗମ୍ଭାରୀଗୁଡ଼ା ଗାଁ ଶ୍ମଶାନରେ ପରିବାର ଲୋକେ ସତ୍କାର କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଓଲମା ଗାଁ ଡକାୟତି ଘଟଣାରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ବରେ କୋକସରା, ଆମପାଣି, କଲମପୁର, ଜୟପାଟଣା, ଜୁନାଗଡ ଥାନାର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ୪ ଜଣ ଡକାୟତଙ୍କୁ କାବୁ କରାଯାଇଥିଲା। ଡକାୟତଙ୍କଠାରୁ ୧ଟି ଜୀବନ୍ତ ଗୁଳି, ବ୍ୟବହୃତ ହୋଇଥିବା ଗୁଳି, ଖେଳଣା ପିସ୍ତଲ, ମୋବାଇଲ ଫୋନ, ଡକାୟତିରେ ବ୍ୟବହୃତ ଏକ ସ୍କୁଟି ସହ ମଙ୍ଗଳସୂତ୍ର, କାନଫୁଲ ଜବତ କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଡକାୟତି ମାମଲାରେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଧରା ପଡ଼ିଥିବା ଅଭିଯୁକ୍ତ ରୂପେଶ ନାଏକଙ୍କୁ ଚିକିତ୍ସା ପାଇଁ ମଙ୍ଗଳବାର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତର ଶବ ବ୍ୟବଚ୍ଛେଦ ପରେ ପୁଲିସ ହେପାଜତରେ ପରିବାରକୁ ହସ୍ତାନ୍ତର କରଯାଇଥିଲା । ତେବେ ଅଭିଯୁକ୍ତର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଅଭିଯୁକ୍ତ ଯୁବକର ମୃତ୍ୟୁ ପରେ ପରିବାର ପକ୍ଷରୁ ଯୁବକକୁ ହତ୍ୟା କରାଯାଇଛି ବୋଲି ଥାନାରେ ପାଲଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି। କୋକସରା ଥାନାରେ ଏନେଇ ୨୧୬/୨୩ରେ ଡକାୟତି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ନେଇ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି।

 

Comments are closed.