www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରପାତରେ ୯ ମୃତ

ବସ୍ତା/ଅମର୍ଦ୍ଦାରୋଡ଼/ରସାଳପୁର/ଚାନ୍ଦବାଲି/ତିହିଡ଼ି : ବୁଧବାର ଅପରାହ୍ଣରେ ବଜ୍ରପାତ ଘଟି ବାଲେଶ୍ବର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରେମୁଣା ବ୍ଲକ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୬ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇ ବାଲେଶ୍ବର ଜିଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ, ବସ୍ତା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ପଣିସାପଡ଼ା ଗାଁର ମକରାନନ୍ଦ ବେହେରା(୫୧), ସନ୍ତୋଷପୁର ପଞ୍ଚାୟତ ଥେଙ୍ଗଡିହା ଗାଁର ଶମ୍ଭୁନାଥ ସାହୁ, ପତ୍ରଝଡ଼ା ପଞ୍ଚାୟତ ମହାଦେବସରାଇ ଗାଁର ବିକାଶ ବିନ୍ଧାଣି ଓ ପାନୁ ମୁର୍ମୁ ଏବଂ ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତ ଦଳେଇ ସାହିର କଟିବାୟା ଦଳେଇଙ୍କ ସ୍ତ୍ରୀ ସାବିତ୍ରୀ(୪୦)। ଆହତମାନେ ହେଲେ, ମହାଦେବସରାଇ ଗାଁର ନିମାଇଁ ମାଝୀ(୧୮), ସୂର୍ଯ୍ୟ ସୋରେନ(୧୩), ଲକ୍ଷ୍ମଣ ମୁର୍ମୁ, ଠେଲା ମୁର୍ମୁ(୬୦) ଏବଂ ମାଠିଆ ଗାଁର ଲବ ସୋରେନ(୬୦) ଓ ବୁଲା ସୋରେନ। ଆଜି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗିରହିଥିଲା। ପଣିସାପଡ଼ା ଗାଁର ମକରାନନ୍ଦ ବେହେରା ଘର ଛପର ସଜାଡ଼ିବା ପାଇଁ ଚାଳ ଉପରକୁ ଉଠିଥିଲେ। ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଥେଙ୍ଗଡିହା ଗାଁର ଶମ୍ଭୁନାଥ ସାହୁ ବିଲ କାମ ପାଇଁ କୁଳିଦା ପଞ୍ଚାୟତ ବେଳଗାଁ ପାଖ ମହାଜନିଆ ସାହିକୁ ଯାଇଥିବାବେଳେ ବଜ୍ରପାତରେ ଶିକାର ହୋଇଥିଲେ। ମୃତ୍ୟୁ ଘଟିଛି। ମହାଦେବସରାଇ ଗାଁର ବିକାଶ ବିନ୍ଧାଣି ଓ ପାନୁ ମୁର୍ମୁ ବିଲରୁ କାମସାରି ଅନ୍ୟ ସାଥୀମାନଙ୍କ ସହିତ ଫେରୁଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସେହିପରି ରେମୁଣା ବ୍ଲକର ତୁଣ୍ଡୁରା ପଞ୍ଚାୟତ ଦଳେଇ ସାହିର ସାବିତ୍ରୀ ଦଳେଇ ସ୍ୱାମୀ ଓ ପୁଅଙ୍କ ସହିତ ବିଲକୁ କାମ କରିବା ପାଇଁ ଯାଇଥିଲେ। ବଜ୍ରପାତ ହେବାରୁ ବିଲ ମଝିରେ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଲେଶ୍ୱର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ସାବିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ କରିଛି।
ସେହିପରି ଦୁଇଦିନ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଓ ବ୍ଲକ ଅଞ୍ଚଳରେ ବଜ୍ରପାତ ହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ସେହିପରି ତିହିଡ଼ି ବ୍ଲକରେ ମଙ୍ଗଳବାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତ ସୋମବାର ଅପରାହ୍ଣରେ ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ କନ୍ଧାରେ ବିଲରେ ଧାନ ତଳି ରୋଉଥିବା ବେଳେ ବଜ୍ରପାତ ହେବାରୁ ସୋମନାଥ ମହାଳିକ ପଡ଼ିଯାଇଥିଲେ। ପରିବାର ଲୋକ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ମଙ୍ଗଳବାର ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତର ପ୍ରତାପ ମାଝୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଗୌରରମା ଗ୍ରାମରୁ କାମ କରିବାକୁ ଆସି ଉତୁକୁଡ଼ା ପଞ୍ଚାୟତ ଶିଙ୍ଗିଟି ଗ୍ରାମରେ ବିଲରେ ଧାନତଳି ରୋଉଥିବା ବେଳେ ଯମୁନା ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ସୀମାରାଣୀ ସିଂହ ଓ ସରସ୍ବତୀ ସିଂହ ଆହତ ହୋଇଛନ୍ତି। ମଉସୁଧା ପଞ୍ଚାୟତର ଫର୍ଷିବନ୍ଧ ଗ୍ରାମରେ ସୁକାନ୍ତ ସାହୁ ଓ ଧନେଶ୍ବର ବାରିକ ବଜ୍ରପାତରେ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ତିହିଡ଼ି ବ୍ଲକର ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୀରହାଟ ଥାନା ଅଧୀନ ବାମନବିନ୍ଧା ପଞ୍ଚାୟତ ସନ୍ଦକପୁର ଗ୍ରାମ ବିଲରେ କାମ କରୁଥିବା ତିନିଜଣ ଚାଷୀ ବର୍ଷା ସହ ବଜ୍ରପାତ ହେବାରୁ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ବଜ୍ରପାତ ହେବାରୁ ଯଦୁନାଥ ସେଠୀ (୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ବାରିକ (୩୫) ଗୁରୁତର ଆହତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories