ସମ୍ବଲପୁର: ପୂର୍ବତଟ ରେଳପଥ କ୍ରିଡା ସଙ୍ଗଠନ, ସମ୍ବଲପୁର ତରଫରୁ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୩ ସ୍ଥାନୀୟ ରେଳବାଇ ଷ୍ଟାଡିୟମ, ସମ୍ବଲପୁର ଠାରେ ଚଳିତ ମାସର ୮ ତାରିଖରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଟୁର୍ଣ୍ଣାମେଣ୍ଟରେ ରେଳବାଇ ଅର୍ନ୍ତଗତ ବିଭିନ୍ନ ବିଭାଗର ଦଳ ପ୍ରତିନିଧିତ୍ୱ କରୁଥିବା ବେଳେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ପୂର୍ବତଟ ରେଳବାଇ ମହିଳା ସଙ୍ଗଠନ ସମ୍ବଲପୁରର ଅଧ୍ୟକ୍ଷା ଅଞ୍ଜନୀ ସିଂ ଓ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। କ୍ରିଡାରେ ଅଂଶଗ୍ରହଣ କରି ସକ୍ରିୟ ଜୀବନଯାପନର ସର୍ବୋତ୍ତମ ଉପାୟ ବୋଲି ଏହି ଅବସରରେ ମୁଖ୍ୟ ଅତିଥି ବିନୀତ ସିଂ କହିଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଇଞ୍ଜିନିୟରିଂ ଦଳ ବନାମ ଇଲେକ୍ଟ୍ରିକାଲ (ଓପ) ଦଳ ମଧ୍ୟରେ ହୋଇଥିଲା। ଉଭୟ ଦଳ ୨ – ୨ ଗୋଲ ସ୍କୋର କରିଥିଭାରୁ ମ୍ୟାଚ ଟାଇ ହୋଇଥିଲା। ଦ୍ୱିତୀୟ ମ୍ୟାଚ ଆରପିଏଫ ଦଳ ବନାମ ବାଣିଜ୍ୟ, ସଙ୍କେତ ଓ ଦୂରସଞ୍ଚାର ଇଲେକ୍ଟ୍ରିକାଲ (ଟିଆରଡି) ଦଳ ମଧ୍ୟରେ ହୋଇଥିଲା। ଆରପିଏଫ ଦଳ ୩ – ୧ ଗୋଲରେ ମ୍ୟାଚକୁ ଜିଣିଛନ୍ତି। କ୍ରିଡା ଅଧିକାରୀ ଡ. ମନୋଜ କୁମାର ବେହେରା, ସହାୟକ କ୍ରିଡା ଅଧିକାରୀ ଅନୁପ ଗୋରିଙ୍କା, କ୍ରିଡା ସଚିବ ଆଲୋକ ରଞ୍ଜନ ପଣ୍ଡା, ଇକୋରୋ ର ସଦସ୍ୟା, ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।



