ଚାନ୍ଦିପୁଟ: ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ପୁଳାପୁଳା ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ହେଲେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ଅବହେଳା, ଦାୟିତ୍ବହୀନତା ସହ ପ୍ରଶାସନର ଉଦାସିନତା ମନୋଭାବ ଯୋଗୁଁ ଅଧିକାଂଶ ସ୍ଥାନରେ ସମସ୍ତ ଆନୁସଙ୍ଗିକ ସୁବିଧା ଥାଇ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ମାସ ମାସ ଧରି ମେଡିକାଲକୁ ଆସୁନାହାନ୍ତି ଡାକ୍ତର, ଫଳରେ ଫାର୍ମାସିଷ୍ଟଙ୍କ ହାତରେ ଚାଲିଛି ରୋଗୀସେବା । ଖାଲିପଡିଛି ଅନେକ ସ୍ବାସ୍ଥ୍ୟକର୍ମୀଙ୍କ ପଦବୀ, ପ୍ରଭାବିତ ହୋଇଛି ରୋଗୀଙ୍କ ଚିକିତ୍ସା ସେବା । ଗଜପତି ଜିଲା ଆର ଉଦୟଗିରି ବ୍ଲକର ବହୁ ପୂରାତନ ସ୍ବାସ୍ଥ୍ୟକେନ୍ଦ୍ର ଛେଳିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏଭଳି ଅବ୍ୟବସ୍ଥା ଦେଇ ଗତି କରୁଛି । ଛେଳିଗଡ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ସରକାର ୨୭.୧୧.୧୯୭ରେ ଏଲୋପାଥି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଛେଳିଗଡ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଛେଳିଗଡ ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ୧୧ଟି ଗ୍ରାମପଞ୍ଚାୟତବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ। ବର୍ତ୍ତମାନ ଅବ୍ୟବସ୍ଥା ଯୋଗୁଁ ଅନେକ ଲୋକ ନକଲୀ ଡାକ୍ତରଙ୍କ କବଳରେ ପଡ଼ି ଉପସମ ହେବାକୁ ଚେଷ୍ଟା କରୁଛନ୍ତି ତ ଅନ୍ୟ କେହି ଝାଡଫୁଙ୍କ ଚେରମୂଳୀ ଉପରେ ନିର୍ଭର କରୁଛନ୍ତି । ଅସୁବିଧା ସ୍ଥଳେ ବହୁ ଦୂରଦୂରାନ୍ତକୁ ଯାଇ ନାନା ଖର୍ଚ୍ଚାନ୍ତ ହେଉଛନ୍ତି । ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ସହ ଆପତ୍ତକାଳିନ ଚିକିତ୍ସା ଓ ଗର୍ଭବତୀଙ୍କ ପ୍ରସୂତି କରାଯିବା ସୁବିଧା ଥିଲା । ହେଲେ ମେଡିକାଲକୁ ଅନେକ ମାସ ଧରି ନିଯୁକ୍ତ ଡାକ୍ତର ଆସୁନଥିବା ବେଳେ ପ୍ରଭାବିତ ହେଉଛି ରୋଗୀ ସେବା । ସ୍ଥାନୀୟ ଫାର୍ମାସିଷ୍ଟଙ୍କ ଉପସ୍ଥିତ ଯୋଗୁଁ କିଛି ମାତ୍ରାରେ ରୋଗୀସେବା ସମାନ୍ୟ ଚାଲିଛି । ମେଡିକାଲରେ ଜଣେ ଉପସ୍ବାସ୍ଥ୍ୟ କର୍ମୀ(ଏ.ଏନ.ଏମ୍), ଦୁଇଜଣ ମହିଳା ସହଯୋଗୀ ସ୍ବାସ୍ଥ୍ୟ କର୍ମୀ(ଷ୍ଟାଫ୍ ନର୍ସ) ପଦବୀ ରହିଥିବା ବେଳେ ଅନେକ ବର୍ଷ ହେଲାଣି ଖାଲି ପଡ଼ିଛି ।
ଗତ ଚାରି ବର୍ଷ ତଳେ ମେଡିକାଲରେ ଡ. ସ୍ବଦୀପ କୁମାର ମହାପାତ୍ର ଆସି ମେଡିକାର ଅଫିସର ଭାବେ ଯୋଗଦେଇଥିଲେ, ହେଲେ ଅନ୍ୟ କର୍ମଚାରୀଙ୍କ ମନମାଳିନ୍ୟ ଓ ବାସଗୃହ ନଥିବା ଦର୍ଶାଇ କିଛି ମାସ ସଠିକ ଭାବେ ମେଡିକାଲକୁ ଆସୁନଥିଲେ । ଗତ ଦୁଇ ବର୍ଷ ତଳେ ସମ୍ପୃକ୍ତ ଡାକ୍ତରଙ୍କୁ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଅନ୍ୟତ୍ର ବଦଳି କରିଥିଲେ, ହେଲେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଡାକ୍ତରଙ୍କ ବଦଳିକୁ ବାତିଲ କରିଥିଲେ । ବର୍ତ୍ତମାନ ଡାକ୍ତର ସ୍ବଦୀପ କୁମାର ମହାପାତ୍ର ଅନେକ ମାସ ଧରି ଅନୁପସ୍ଥିତ ଥିବା ଯୋଗୁଁ ପୁଣି ବୃଦ୍ଧି ପାଇବାରେ ଲାଗିଛି ଜନଅସନ୍ତୋଷ । ଏ ସମ୍ପର୍କରେ ଆର ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ନିବେଦିତା ପଣ୍ଡାଙ୍କୁ ପଚାରିବାରେ ଛେଳିଗଡ ମେଡିକାଲରେ ଖାଲି ପଡିଥିବା ସ୍ବାସ୍ଥ୍ୟ କର୍ମୀ ପଦବୀରେ ଯଥାଶୀଘ୍ର ନିଯୁକ୍ତି କରିବା ଲାଗି ଗତ ୨୮.୦୬.୨୦୨୩ ତାରିଖରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି କରି ଜଣାଇଛନ୍ତି ଏବଂ ପୁଣି ୧୨.୦୭.୨୦୨୩ରେ ରିମାଇଣ୍ଡର ଚିଠି ମାଧ୍ୟରେ ଜଣାଇଛନ୍ତି । କାର୍ଯ୍ୟରତ ଡାକ୍ତର ସ୍ବଦୀପ କୁମାର ମହାପାତ୍ର ନିଜ ଦାୟିତ୍ବ ସଠିକ ଭାବେ ତୁଲାଉନଥିବା ଏବଂ ମେଡିକାଲ ରିପୋର୍ଟ ସଠିକ ପଠାଉନଥିବା ଯୋଗୁଁ ତାଙ୍କୁ ୧୧.୦୭.୨୦୨୩ ରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ତାଙ୍କର କୌଣସି ଲିଖିତ ପ୍ରତିଉତ୍ତର ମିଳିନାହିଁ । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କୁ ଏ ବାବଦରେ ପଚାରିବାରେ ଛେଳିଗଡ ଡାକ୍ତରଙ୍କ ଅବହେଳା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଆଉଟ ସୋର୍ସିଂରୁ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସମୃକ୍ତ ଡାକ୍ତର ସ୍ବଦୀପ କୁମାର ମହାପାତ୍ରଙ୍କୁ ଫୋନ ଯୋଗେ ସମ୍ପର୍କ କରାଯାଇଥିବା ବେଳେ ଫୋନର କୌଣସି ଉତ୍ତର ଦେଇନଥିଲେ । ତେବେ ଛେଳିଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ପଦବୀକୁ ଖୁବଶୀଘ୍ର ପୂରଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।



