www.samajalive.in
Monday, December 8, 2025
14.1 C
Bhubaneswar

କେବେ କାର୍ଯ୍ୟକ୍ଷମ ହେବ ପିପିଲି ହସ୍ତଶିଳ୍ପ ଗ୍ରାମ ?

ପିପିଲି: ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡ଼ରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ୭ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ଉଦ୍‌‌ଘାଟନ କରାଯାଇନାହିଁ। ଫଳରେ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ସ୍ୱପ୍ନ କେବେ ବାସ୍ତବ ରୂପ ନେବ ତାହା ଏବେ ସନ୍ଦିହାନ। ଗତ ୨ବର୍ଷ ମଧ୍ୟରେ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ବହୁବାର ଏହାକୁ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ଏହାର ଉଦ୍‌‌ଘାଟନ ଦିଗରେ ଫଳଘର ଶୂନ ହୋଇଥିବା ଅଭିଯୋଗ ହୋଇଛି। ତେବେ ଇତିମଧ୍ୟରେ ଓଟିଡିସି ପକ୍ଷରୁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପିପିଲି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଉଦ୍ୟମକ୍ରମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଟୁରିଜିମ୍‌‌ ପ୍ରୋଜେକ୍ଟରେ ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୦୭ ମସିହା ଜୁଲାଇ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୮କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ୨୦୧୬ ମସିହାରୁ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ତେବେ ଇତି ମଧ୍ୟରେ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ଉଦ୍‌‌ଘାଟନ କରାଯାଇନାହିଁ। ଏହି ହସ୍ତଶିଳ୍ପ ଗ୍ରାମରେ ୩୦ଟି ଅତ୍ୟାଧୁନିକ ଦୋକାନ ଗୃହ ଥିବା ବେଳେ ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର, ସମ୍ମିଳନୀ କକ୍ଷ ଆଦି ରହିଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପିପିଲି ଚାନ୍ଦୁଆ ପ୍ରତି ଆକର୍ଷିତ କରିବା ପାଇଁ ସେଠାରେ ଚାନ୍ଦୁଆ ତିଆରି ସହ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ବିସ୍ତୃତ ଅଞ୍ଚଳରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଅତ୍ୟାଧୁନିକ ଶୌଚାଳୟ ଓ ଭୋଜନାଳୟର ବ୍ୟବସ୍ଥା ମଧ୍ୟ ସେଠାରେ କରାଯିବାକୁ ଯୋଜନା ରହିଥିଲା। ଏହି ହସ୍ତଶିଳ୍ପ ଗ୍ରାମ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରଙ୍କ ଜୀବିକା ନିର୍ବାହରେ ଏହା ବେଶ୍‌‌ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଥିଲା। ପର୍ଯ୍ୟଟନ କ୍ଷେତ୍ର ପୁରୀ ସହ ଏହି ହସ୍ତଶିଳ୍ପ ଗ୍ରାମକୁ ଯୋଡି ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ବର୍ଷ ତଳୁ ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଫଳରେ ଏହାକୁ ନେଇ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରକ୍ଷଣାବେକ୍ଷଣ ଅଭାବରୁ ହସ୍ତଶିଳ୍ପ ଗ୍ରାମ ପରିସର ଏବେ ବଣବୁଦାରେ ପରିଣତ ହୋଇଥିବା ବେଳେ ସେଠାରେ ନିର୍ମିତ ଘରଗୁଡ଼ିକ ନଷ୍ଟ ହେବାକୁ ବସିଲାଣି।

- Advertisement -

ଉଦ୍‌‌ଘାଟନ ଅପେକ୍ଷାରେ ଥିବା ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମକୁ ଗତ ୨ବର୍ଷ ମଧ୍ୟରେ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ବହୁବାର ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ କିପରି ଅତି ଶିଘ୍ର କାର୍ଯ୍ୟକ୍ଷମ କରାଯିବ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କଣ କଣ ବ୍ୟବସ୍ଥା ରହିବ ସେ ନେଇ ଅଧିକାରୀମାନେ ବିସ୍ତୃତ ଭାବେ ସମୀକ୍ଷା ମଧ୍ୟ କରିଥିଲେ। ତେବେ ଏହି ବୃହତ ପ୍ରକଳ୍ପଟି ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ସେଠାରେ ଥିବା ଦୋକାନ ଗୃହ ଗୁଡିକୁ ଚାନ୍ଦୁଆ ବ୍ୟବସାୟୀ ଓ କାରିଗରଙ୍କୁ ଆବଣ୍ଟନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ମହଲରୁ ଦାବୀ ହୋଇଛି।

ତେବେ ଇତିମଧ୍ୟରେ ଓଟିଡିସି ପକ୍ଷରୁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପିପିଲି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ସଂପର୍କରେ ପିପିଲି ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ଆବଶ୍ୟକ ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories