ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଜାତୀୟ ରାଜପଥ ୨୬ କଡ଼ରେ ଥିବା ଡୁମେର ବନ୍ଧର ମାଟି ଉଠାଣ କାର୍ଯ୍ୟ ଜେସିବି ଓ ଟ୍ରାକ୍ଟରରେ ସମ୍ପାଦନା ବିନା ସୂଚନା ଫଳକରେ ହେଉଥିବା ବେଳେ ଏହା କେଉଁ ଅନୁଦାନର କାର୍ଯ୍ୟ ତାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କାର୍ଯ୍ୟ ନା ମନରେଗା ନା ସିଏଫସି ,ଏସଏଫସିର ହୋଇ ନଥିବା ନେଇ ସ୍ଥାନୀୟ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି ପ୍ରକାଶ କରିଛନ୍ତି। କେଉଁ ଅନୁଦାନରୁ ପୋଖରୀରେ ମାଟି ଉଠାଣ କାର୍ଯ୍ୟ ହେଉଛି ତାହା ସ୍ଥାନୀୟ ସରପଞ୍ଚ ମଧ୍ୟ ଜାଣିନାହାନ୍ତି। ସରପଞ୍ଚଙ୍କୁ ଯଦି ଏ କାର୍ଯ୍ୟ ବିଷୟରେ ଅଜଣା ସାଧାରଣ ଲୋକ ଅବା ଜାଣିବେ କେମିତି?
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଉଡୋଳା ଗ୍ରାମର ଜଣେ ସ୍ଥାନୀୟ ଠିକାଦାର ଏହି କାର୍ଯ୍ୟ କରୁଥିବା କହିଛନ୍ତି। ଠିକାଦାର ଜଣକ ନିର୍ଦ୍ଦିଷ୍ଟ ଦଳର ଜଣେ ଆଗ ଧାଡିର ତୁଙ୍ଗ ନେତା ବୋଲାଉଥିବା ବେଳେ ଦଳରେ ତାଙ୍କର ପତିଆରା ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଠିକାଦାର ଜଣକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନୁଦାନ ଆଣି ଏହି ପୋଖରୀ କାର୍ଯ୍ୟ କରୁଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି। କାଉଡୋଳା ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଏହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୧୦ ଲକ୍ଷ ଟଙ୍କା ଅନୁଦାନରେ ହେଉଥିବା କହିଛନ୍ତି। ତେବେ ଅନୁଦାନ ମିଳିବା ପୂର୍ବରୁ କାମ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ବିନା ଅନୁଦାନ ଆସିବା ପୂର୍ବରୁ କେମିତି କାର୍ଯ୍ୟକୁ ବ୍ଲକ ପକ୍ଷରୁ ସମ୍ପାଦନ ହେଉଛି ତାହା ତଦନ୍ତ ସାକ୍ଷେପ।



