www.samajalive.in
Tuesday, December 9, 2025
26.1 C
Bhubaneswar

କେବେ ପୁନଃ କାର୍ଯ୍ୟକ୍ଷମ ହେବ ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ?

ପିପିଲି: ପୁରୀ ଜିଲା ସାତଶଙ୍ଖ ସ୍ଥିତ ମା’ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଗତ ୪ବର୍ଷ ୨ମାସ ଧରି ଅଚଳ ହୋଇ ପଡ଼ିରହିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଜିଲାର ୧୦ଟି ବ୍ଲକର ଆଳୁଚାଷୀମାନେ ଆଳୁ ଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଏହି ସବୁ ଅଞ୍ଚଳରେ ଆଳୁଚାଷ ଏବେ ସଙ୍କଟରେ। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଶୀତଳଭଣ୍ଡାର ପରିସର ଏବେ ବଣବୁଦାରେ ପରିପୂର୍ଣ୍ଣ ହୋଇ ବିଷାକ୍ତ ସର୍ପଙ୍କ ବାସସ୍ଥାନ ପାଲଟିଛି। ତେବେ ଏହି ଶୀତଳଭଣ୍ଡାରର ପୁନରୁଦ୍ଧାର କାର୍ଯ୍ୟ ପିପିପି ମୋଡ୍‌‌ରେ କରାଯିବା ପାଇଁ ଟେଣ୍ଡର ସରିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ ନେଇ ଜିଲାର ଆଳୁଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପୁରୀ ଜିଲାରେ ଆଳୁଚାଷର ପ୍ରୋତ୍ସାହନ ଓ ପ୍ରସାର ପାଇଁ ସାତଶଙ୍ଖ ଠାରେ ମା’ ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ସମବାୟ ଭିତ୍ତିରେ ନିର୍ମାଣ କରାଯାଇଥିଲା। ଏଥିରେ ଚାଷୀଙ୍କର ଆର୍ଥିକ ଭାଗିଦାରି ଥିଲା। ଜିଲାର ୧୦ଟି ବ୍ଳକର ୫ହଜାରରୁ ଊର୍ଦ୍ଧ୍ବ ଚାଷୀ ଏହି ଶୀତଳଭଣ୍ଡାରରେ ସଭ୍ୟ ଥିବା ସୂଚନା ମିଳିଛି। ପୁରୀ ଜିଲାର ଆଳୁଚାଷୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିବା ଏହି ଶୀତଳଭଣ୍ଡାର ଗତ ୨୦୧୯ ‘ଫଣି’ ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଳୁ ଶୁଖାଇବା ଓ ଅଖାରେ ପ୍ୟାକିଂ କରିବା ପାଇଁ ଉଦ୍ଦିଷ୍ଟ ଡ୍ରାଇଂ ସ୍ପେସ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍ଯ୍ୟାଳୟ ଗୃହ ମଧ୍ୟ ଭାଙ୍ଗି ଯାଇଥିଲା। ଶୀତଳଭଣ୍ଡାରର ଜରୁରୀ କାଳୀନ ଦ୍ୱାର ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗି ଉଡିଯାଇଥିଲା। ଫଳରେ ସେହି ସମୟରେ ସେଠାରେ ଗଚ୍ଛିତ ଥିବା ୫ହଜାରରୁ ଊର୍ଦ୍ଧ୍ବ ଆଳୁ ପ୍ୟାକେଟ୍‌‌ ନଷ୍ଟ ହୋଇଯାଇଥିଲା। ସେହିଦିନଠାରୁ ଏହି ଶୀତଳଭଣ୍ଡାର ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ୧.୫୮ ଏକର ପରିମିତ ଏହି ଶୀତଳଭଣ୍ଡାରରେ ୨ହଜାର ମେଟ୍ରିକ୍‌‌ ଟନ୍‌‌ ତଥା ୪୦ହଜାର ଆଳୁ ପ୍ୟାକେଟ୍‌‌ ରହିବାର କ୍ଷମତା ରହିଛି। ଏହା ଉପରେ ଏବେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ବିଲ୍‌‌ ବାକି ପଡ଼ିଛି। ଶୀତଳଭଣ୍ଡାରରେ ଥିବା ୧୨୦ କେଭି କ୍ଷମତା ସଂପନ୍ନ ଜେନେରେଟର, ସମସ୍ତ ଯନ୍ତ୍ରାଂଶ, ଚାମ୍ବର ସମେତ ମୋଟରଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯନ୍ତ୍ରାଂଶ ସଂପୂର୍ଣ୍ଣ ଠିକ୍‌‌ ରହିଥିବା ସୂଚନା ମିଳିଛି। କେବଳ ଜରୁରୀକାଳୀନ ଦ୍ୱାରର ମରାମତି ସାଙ୍ଗକୁ ଡ୍ରାଇଂ ସ୍ପେସର ଆବଶ୍ୟକ ମରାମତି ସହ ବିଦ୍ୟୁତ୍‌‌ ବିଲ୍‌‌ ପଇଠରେ ରିହାତି କରାଯାଇ ପାରିଲେ ଖୁବ୍‌‌ କମ୍‌‌ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସୂଚନା ମିଳିଛି। ଏହି ଶୀତଳଭଣ୍ଡାର ଅଚଳ ହେବା କାରଣରୁ ଏହା ଉପରେ ନିର୍ଭର କରୁଥିବା ୧୦ଟି ବ୍ଲକ ଅଞ୍ଚଳର ଚାଷୀମାନେ ଗତ ୪ବର୍ଷ ଧରି ଆଳୁଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ସୂଚନା ମିଳିଛି।

- Advertisement -

ତେବେ ଏନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପିପିପି ମୋଡ୍‌‌ରେ ଏହି ଶୀତଳଭଣ୍ଡାରର ଆବଶ୍ୟକ ମରାମତି ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉତ୍ତରାୟଣୀ ପିଜିଏସ୍‌‌ ଆଣ୍ଡ ଏମ୍‌‌ସିଏସ୍‌‌ ଲିଃର ପ୍ରଶାସକଙ୍କ ପକ୍ଷରୁ ଗତ ଫେବୃଆରୀ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା। ତଦନୁଯାୟୀ ୨ଟି ଟେଣ୍ଡର କାଗଜାତକୁ ଗ୍ରହଣ କରାଯାଇଥିବା ବେଳେ କାହାକୁ ଚୟନ କରାଯିବ ସେ ନେଇ ବୈଷୟିକ କମିଟିର ଅନୁମୋଦନକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୧୮ ତାରିଖରେ ସମବାୟ ସମିତି ସମୁହ ନିବନ୍ଧକଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ବୈଷୟିକ କମିଟିର ଅନୁମୋଦନ ପରେ ଯୋଗ୍ୟ ଟେଣ୍ଡରକାରୀଙ୍କୁ ଚୟନ କରାଯିବ ବୋଲି ପିପିଲି ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହାର ବକେୟା ବିଦ୍ୟୁତ୍‌‌ ବିଲ୍‌‌କୁ ଓଟିଏସ୍‌‌ ସ୍କିମ୍‌‌ରେ ପଇଠ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ସଂପର୍କରେ ଶୀତଳଭଣ୍ଡାରର ପୂର୍ବତନ ପରିଚାଳନା ପରିଷଦ ସଦସ୍ୟ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ସୂଚନା ଦେଇଛନ୍ତି। ତେବେ ଏହି ଶୀତଳ ଭଣ୍ଡାର ର ପୁନଃର୍ଦ୍ଧାର ତଥା ପୁନଃ କାର୍ଯ୍ୟକ୍ଷମ ଦିଗରେ କାଳ ବିଳମ୍ବ ହେଉଥିବାରୁ ଆଳୁଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏବେ ବଜାରରେ ଆଳୁର ଦର ବହୁତ ଅଧିକ ଥିଲେ ମଧ୍ୟ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଏକମାତ୍ର ଭରସା ଥିବା ଏହି ଶୀତଳଭଣ୍ଡାରଟି ଅଚଳ ଥିବା କାରଣରୁ ପିପିଲି, ଡେଲାଙ୍ଗ, ବଳଙ୍ଗା, ସତ୍ୟବାଦୀ, କଣାସ, ନିମାପଡ଼ା, ଗୋପ ସମେତ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଆଳୁ ଚାଷ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ସାଧାରଣତଃ ଡିସେମ୍ବର ମାସରେ ଚାଷୀମାନେ ଆଳୁଚାଷ କରୁଥିବା ବେଳେ ଜାନୁଆରୀ ଶେଷ ସପ୍ତାହରୁ ଅମଳ ହୋଇଥାଏ। ତେଣୁ ଆଳୁଚାଷ ପୂର୍ବରୁ ସରକାରଙ୍କ ପକ୍ଷରୁ ତୁରନ୍ତ ଏହାର ଆବଶ୍ୟକ ମରାମତି କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚାଷୀଙ୍କ ମହଲରେ ଦାବି ହୋଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories