www.samajalive.in
Thursday, December 11, 2025
18.1 C
Bhubaneswar

ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ଼ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ହେବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଜନାରେ ସେହି ମନ୍ଦିରକୁ ସାମିଲ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବିକାଶ ପାଇଁ ତୁରନ୍ତ ଅନୁରୋଧ ରକ୍ଷା କରିଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଲୋକଙ୍କର ଆଗ୍ରହ ଏବଂ ମହାପ୍ରଭୁଙ୍କ ଇଚ୍ଛା କାରଣରୁ ଏହା ସମ୍ଭବ ହୋଇପାରିଛି । ଉତ୍ତରାକାଶୀରେ ଥିବା ଏହି ଜଗନ୍ନାଥ ଧାମ ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ମଜଭୂତ୍ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ହେବ । ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିବାରୁ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ସାଧୁବାଦ ।

- Advertisement -

ଘଟଣା ଅନୁସାରେ, ଗତବର୍ଷ ପୁରୀ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ତାଙ୍କ ଝିଅକୁ ଉତ୍ତରାଖଣ୍ଡର ଡେରାଡୁନରେ ଏକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସେଠାକୁ ଯାଇଥିଲେ । ସେଠାରେ ସେ ଶ୍ରୀଜଗନ୍ନାଥ ମନ୍ଦିରର ଅନ୍ୱେଷଣରେ ଯାଇ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଥିବା ଏକ ଜଗନ୍ନାଥ ମନ୍ଦିର ଥିବା ଜାଣିବାକୁ ପାଇଥିଲେ । ମନ୍ଦିରରେ ଜଗନ୍ନାଥ ସପ୍ତାହରେ ତିନି ଦିନ ପୂଜା ପାଉଥିବା ବେଳେ ଚାରି ଦିନ ପୂଜା ପାଉନଥିବା ସେ ଜାଣି ଦୁଃଖ ପ୍ରକାଶ କରିବା ପରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଅବଗତ କରାଇଥିଲେ । ପରବର୍ତ୍ତୀ ସମୟରେ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଋଷିକେଶରେ ଚଳଚ୍ଚିତ୍ରର ସୁଟିଂ ପାଇଁ ଯିବା ଅବସରରେ ସେହି ଉତ୍ତରକାଶୀର ଶ୍ରୀଜଗନ୍ନାଥ ମନ୍ଦିରକୁ ଗସ୍ତ କରିଥିଲେ। ଉକ୍ତ ଜଗନ୍ନାଥ ମନ୍ଦିର ଉପରେ ଗବେଷଣା କରି ମନ୍ଦିରଟି ଆଢୁଆଳ ଅବସ୍ଥାରେ ଥିବା ଜାଣିବାକୁ ପାଇବା ପରେ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଜାଣିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ବିଷୟରେ କହିବା ସହ ମନ୍ଦିରର ଉନ୍ନତି ପାଇଁ ଅନୁରୋଧ କରିଥିଲେ । ମନ୍ଦିରର ପୂଜକଙ୍କ କହିବାନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଥିବା ଏହି ମନ୍ଦିରର ନିର୍ମାଣ କାଳ ୧୨ଶହ ଖ୍ରୀଷ୍ଟାବ୍ଦ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଆଜି ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରୀ ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ମଧ୍ୟ ସାମିଲ ଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories