www.samajalive.in
Sunday, December 14, 2025
23.1 C
Bhubaneswar

ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝର ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି।
କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲା। ତେଣୁ ଜିଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଖଣିଜ ଅଂଶ ରହିଥିବାରୁ ତାହା ପିଇବା ଉପଯୋଗୀ ହୋଇନଥାଏ। ତେଣୁ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲାଗି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳରେ ମୁଖ୍ୟତଃ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି।

ଜିଲାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ୫ଟି ବୃହତ୍ ଗ୍ରାମ୍ୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ତା’ ଭିତରୁ ୪ଟି ପ୍ରକଳ୍ପ ଲାଗି ଓମ୍ବାଡସି ପୂର୍ଣ୍ଣ ସହାୟତା ଦେଉଛି। ଅନ୍ୟ ଗୋଟିଏ ପ୍ରକଳ୍ପ ପାଇଁ ଓମ୍ବାଡସି ସହ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଉଛି।
କେନ୍ଦୁଝର ଜିଲାରେ ଚାଲିଥିବା ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ହାଟଡିହି ବ୍ଲକରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ୧୯ଟି ଗାଁର ଲୋକଙ୍କୁ ଦୁଆର ମୁହଁରେ ସୁବିଧାରେ ପିଇବା ପାଣି ମିଳିପାରୁଛି। ଆଗାମୀ ଦିନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ମୋଟ ୧୫୫୮ଟି ଗାଁର ୨ ଲକ୍ଷ ୮୧ ହଜାରରୁ ଅଧିକ ପରିବାର ବିଶେଷ ଉପକୃତ ହେବେ।

- Advertisement -

ସହରାଞ୍ଚଳ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର କରିଛନ୍ତି ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’। ଏହି ଯୋଜନା ଅଧୀନରେ ଜିଲ୍ଲାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଆନନ୍ଦପୁର ଓ ଚମ୍ପୁଆ ସହରାଞ୍ଚଳରେ ଓମ୍ବାଡସି ସହାୟତାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି।

ବର୍ତ୍ତମାନ ଏଥିରୁ କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ୨୪ ହଜାର ୫୨୫ ପରିବାର ଉପକୃତ ହେଉଛନ୍ତି। ସେମାନଙ୍କ ପାଇଁ ପାଣିକୁ ନେଇ ଆଗରୁ ଯେଉଁ ସମସ୍ୟା ଥିଲା, ତାହା ଏବେ ଦୂର ହୋଇପାରିଛି। ତେଣୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜିଲ୍ଲାର ୫ଟି ସହରାଞ୍ଚଳର ମୋଟ ୪୫ ହଜାର ୭୪୫ ଘରକୁ ୨୪ ଘଣ୍ଟା ପାନୀୟ ଜଳ ମିଳିପାରିବ।

ସହରାଞ୍ଚଳରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ମିଟର ରିଡିଂ ଓ ପାଣି ବିଲ୍ ଆଦାୟ କରିବା ସହ ଜଳର ମାନ ପରୀକ୍ଷା କରୁଛନ୍ତି। ଏହାଫଳରେ ସହାରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ହେବା ସହିତ ମିଶନ ଶକ୍ତିର ମା’ମାନଙ୍କ ଜୀବିକା ସୁନିଶ୍ଚିତ ହୋଇପାରୁଛି।

ଦୈନନ୍ଦିନ ଜୀବନରେ ଶୁଦ୍ଧ ଜଳ ହେଉଛି ଲୋକଙ୍କ ପାଇଁ ଏକ ପ୍ରମୁଖ ଆବଶ୍ୟକତା। ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ମିଳିତ ଜାତିସଂଘର ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ମଧ୍ୟରେ ଅନ୍ୟତମ। କେନ୍ଦୁଝର ଜିଲରେ ଲୋକଙ୍କ ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି। ଖୁବଶୀଘ୍ର ଏଗୁଡ଼ିକର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦୁଝର ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

କେନ୍ଦୁଝର ଜିଲା ଦେଇ ଅନେକ ନଦୀ ପ୍ରବାହିତ ହେଉଛି। ଏହି ଜଳ ଉତ୍ସଗୁଡ଼ିକରୁ ଇନଟେକ ୱେଲ ମାଧ୍ୟମରେ ପାଣି ଉଠାଯାଉଛି। ଏହାକୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଆଧୁନିକ ପ୍ରକ୍ରିୟାରେ ବିଶୋଧନ କରାଯାଇ ପାଇପ୍ ଯୋଗେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଯାଇବା ଲାଗି ପ୍ରଶାସନ ପ୍ରାଥମିକତା ଦେଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories