୨୮ମାସର ବକେୟା ପ୍ରାପ୍ୟ ଦାବିରେ ଓଡ଼ିଶା ରାଜ୍ୟ ରିଟେଲର ମହାସଂଘର ଧାରଣା 

କେନ୍ଦୁଝରଗଡ଼: ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ୨୨ମାସ ଚାଉଳ ଯୋଗାଣ ଏବଂ ଚଳିତବର୍ଷ ଜାନୁଆରୀରୁ ଜୁନ ପର୍ଯ୍ୟନ୍ତ ୬ମାସକୁ ମିଶାଇ ମୋଟ ୨୮ମାସର ପାରିଶ୍ରମିକ ଦାବିରେ ଓଡ଼ିଶା ରାଜ୍ୟ ରିଟେଲର ମହାସଂଘ କେନ୍ଦୁଝର ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି। ବୁଧବାର ଓଡ଼ିଶା ରାଜ୍ୟ ରିଟେଲର ମହାସଂଘ କେନ୍ଦୁଝର ଶାଖା ସଭାପତି ରଞ୍ଜନ କୁମାର ନାଥ ଓ ସମ୍ପାଦକ ଦୀପକ ସାହୁଙ୍କ ନେତୃତ୍ୱରେ ପ୍ରାୟ ୮୦ଜଣ ଘରୋଇ ଖୁଚୁରା ବିକ୍ରେତା ସ୍ଥାନୀୟ ନଗରଭବନଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହାପରେ ବିଭିନ୍ନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ସାମିଲ ହୋଇଥିଲେ। ବିଶେଷକରି ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ୨୮ମାସ ଚାଉଳ ଯୋଗାଣର ପାରଶ୍ରମିକ ବାବଦ ପ୍ରାପ୍ୟ ୬ମାସର ମିଳିଥିବା ବେଳେ ଅବଶିଷ୍ଟ ୨୨ମାସ ଏବଂ ଚଳିତବର୍ଷ ଜାନୁୟାରୀରୁ ଜୁନ ପର୍ଯ୍ୟନ୍ତ ୬ମାସକୁ ମିଶାଇ ମୋଟ ୨୮ମାସର ପାରିଶ୍ରମିକ ପ୍ରଦାନ, ଇ-ପିଓଏସ୍‌‌ ମେସିନର ବ୍ୟବହାରିକ ଖର୍ଚ୍ଚ ଓ ମେସିନର ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଣ, ସାମଗ୍ରୀ ବଣ୍ଟନ ବାବଦ ପ୍ରାପ୍ୟ ବକ୍ରୋ ନରଖି ବଣ୍ଟନର ୫ଦିନ ମଧ୍ୟରେ ପାରିଶ୍ରକମିକ ପ୍ରଦାନ, ସାମଗ୍ରୀ ଯୋଗାଣଠାରୁ ଆରମ୍ଭ କରି ବଣ୍ଟନ ପର୍ଯ୍ୟନ୍ତ କମ୍‌‌ ବାବଦକୁ କ୍ବିଣ୍ଟାଲ ପ୍ରତି ୧କିଗ୍ରା ଭରଣା ବାବଦ ସାମଗ୍ରୀ ପ୍ରଦାନ, ଖୁଚୁରା ବିକ୍ରେତାମାନଙ୍କୁ ଦୋକାନ ଘର ଭଡା ଓ ବିଦ୍ୟୁତ୍‌‌ ଖର୍ଚ୍ଚ ବାବଦ ସହାୟତା ରାଶି ପ୍ରଦାନ, କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ଜୀବନ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ୨୫ଲକ୍ଷ ଟଙ୍କାର ବୀମା ପ୍ରଦାନ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ ଏବଂ ଖୁଚୁରା ବିକ୍ରେତାଙ୍କ ପଞ୍ଜିକରଣକୁ ସ୍ଥାୟୀ କରାଯିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପଡ଼ିକାର୍ଡଧାରୀଙ୍କୁ ଘରୋଇ ଖୁଚୁରା ବକ୍ରେତା ନିଜ ଜୀନକୁ ବିପନ୍ନ କରି କରୋନା ସମୟରେ ୨୮ମାସର ସାମଗ୍ରୀ ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ଏ ବାବଦକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପାରିଶ୍ରମିକ ପ୍ରଦାନ କରିଥିଲେ ହେଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ଏହି ପାରିଶ୍ରମିକ ଅର୍ଥକୁ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କୁ ପ୍ରଦାନ କରିନଥିଲେ ବୋଲି ମହାସଂଘର କେନ୍ଦୁଝର ଜିଲା ସଭାପତି ଶ୍ରୀ ନାଥ କହିଛନ୍ତି। ବିଧାନସଭାରେ ଏ ସମ୍ପର୍କରେ ତୁମ୍ବିତୋଫାନ ହେବାପରେ ବିଭାଗୀୟ ମନ୍ତ୍ରୀ ପର୍ଯ୍ୟାୟକ୍ରମେ ଖୁଚୁରା ବିକ୍ରେତାମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ମାତ୍ର ୬ମାସର ପାରିଶ୍ରମିକ ଦେଇ ଅବଶିଷ୍ଟ ୨୨ମାସର ନଦେଇ ହାତବାନ୍ଧି ଚୁପ୍‌‌ ହୋଇ ବସିପଡ଼ିବା କେନ୍ଦୁଝର ଶାଖା ସମ୍ପାଦକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ସେହିଭଳି ଚଳିତବର୍ଷ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ୬ମାସ ଚାଉଳ ଯୋଗାଣର ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ଉକ୍ତ ପାରିଶ୍ରମିକ ଅର୍ଥକୁ ମଧ୍ୟ ତୁରନ୍ତ ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ଦାବିକୁ ତୁରନ୍ତ ପୂରଣ ନେଇ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments are closed.