www.samajalive.in
Sunday, December 14, 2025
23.1 C
Bhubaneswar

ଟିପିଡବ୍ଲ୍ୟୁଓଡିଏଲ୍‌‌ର ଚରମ ଅବହେଳା ଯୋଗୁଁ ଘନଘନ ବିଦ୍ୟୁତ କାଟ; ତ୍ରୁଟିପୂର୍ଣ୍ଣ ବିଲ୍‌‌ ଓ ଜୁଲୁମ୍‌‌ରେ ଅତିଷ୍ଠ ଉପଭୋକ୍ତା

ଦେବଗଡ଼: ଟିପିଡବ୍ଲ୍ୟୁଓଡିଏଲ୍‌‌ର ଚରମ ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁଁ ଦେବଗଡ଼ ଜିଲାରେ ଘନଘନ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ବିଭାଗର ଏଭଳି ଅଘୋଷିତ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଦେବଗଡ଼ ଜିଲାବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ଅନ୍ୟ ପକ୍ଷରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ବିଲ୍‌‌ ପ୍ରସ୍ତୁତ, ଜୋର ଜୁଲୁମ କରି ବିଲ୍‌‌ ଆଦାୟ ଏବଂ ବିଦ୍ୟୁତ ସଂଯୋଗ ଛିନ୍ନ କରିବାକୁ ଧମକ ଗ୍ରାହକମାନଙ୍କୁ ବ୍ୟଥିତ ଏବଂ ବିଚଳିତ କରିଛି। ତେବେ କେବଳ ଯେ, ଧନୀକ, ମଧ୍ୟବିତ କିମ୍ବା ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ଶହଶହ ଚାଷୀ ମଧ୍ୟ ଏଭଳି ଲୁଣ୍ଠନର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଉଦାହରଣ ଭାବେ ଯଦି ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ବୁଢିବିଲ ଗ୍ରାମର ଚାଷୀ ସିଦ୍ଧାର୍ଥଙ୍କ କଥାକୁ ବିଚାରକୁ ନିଆଯାଏ ତେବେ ଚାଷୀମାନଙ୍କୁ କିଭଳି ଲୁଣ୍ଠନ କରାଯାଉଛି ଓ ସମାଧାନ ପାଇଁ ଦ୍ୱାରସ୍ଥ ହେଲେ କିଭଳି ହଇରାଣ ହରକତ କରାଯାଉଛି ତାହା ସ୍ପଷ୍ଟ ଭାବେ ଅନୁମେୟ।

ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧାର୍ଥ ନାମକ ଜଣେ ଚାଷୀ ତାଙ୍କର ବୁଢିବିଲ ଗ୍ରାମରେ ଆମ୍ବ ବଗିଚାରେ ସଂଯୋଗ ହୋଇଥିବା ବିଦ୍ୟୁତ ପାଇଁ ବିଲ୍‌‌ ନିୟମିତ ଭାବେ ଦେଇ ଆସୁଥିଲେ। ଫଳରେ ବକେୟା ଶୂନ ରହିଥିଲା। ଏପରିକି ଆଦୌ ଏରିଅର ନଥିବା ବିଭାଗ ପକ୍ଷରୁ ପ୍ରଦତ୍ତ ବିଲ୍‌‌ରେ ମଧ୍ୟ ଦର୍ଶାଯାଇଥିଲା। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ବିଭାଗ ପକ୍ଷରୁ ଗତ ମେ’ ମାସ ୨୮ ତାରିଖରେ ପ୍ରସ୍ତୁତ ବିଲରେ ୧୦୧୯୮ ଟଙ୍କା(ସମସ୍ତ କର ମିଶାଇ)ର ବିଲ୍‌‌ ଦର୍ଶାଯାଇଥିଲା। ଫଳରେ ଏକକାଳୀନ ଏତେ ବଡ ପରିମାଣର ବିଲ୍ ଦେଖି ଚାଷୀ ଜଣକ ଚକିତ ହୋଇପଡ଼ିଥିଲେ। ଏଥିସହ ଗତ ଜୁନ ୧୩ ତାରିଖରେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ସାହୁଙ୍କୁ ଅଭିଯୋଗ କରିଥିଲେ। ତ୍ରୁଟିପୂର୍ଣ୍ଣ ବିଲ୍‌‌ର ସଂଶୋଧନ କରି ନୂତନ ବିଲ ପ୍ରଦାନ କରିବାକୁ ନିବେଦନ କରିଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ମଧ୍ୟ ବିଭାଗ ପକ୍ଷରୁ ଏଭଳି ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ମିଟର୍‌‌ ରିଡର୍‌‌ ଘରେ ବସି ବିଲ୍‌‌ ପ୍ରସ୍ତୁତ କରିଥିବାରୁ ଏଭଳି ତ୍ରୁଟି ହୋଇଛି ବୋଲି ଉତ୍ତର ଦେଇଥିଲେ। ଏହାସହ ଦୁଇ ଦିନ ମଧ୍ୟରେ ସଂଶୋଧିତ ବିଲ୍‌‌ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁ ପରବର୍ତ୍ତୀ ସମୟରେ ପ୍ରତିଶୃତି ପାଳନ କରିବା ପରିବର୍ତ୍ତେ ଦିନ ଗଡ଼ାଇ ଚାଲିବା ସହ ମନ୍ଦ ଉଦ୍ଦେଶ୍ୟରେ ଆଜି କରିଦେବି… କାଲି କରିଦେବି… କହି ଦିନ ଗଡ଼ାଇ ଚାଲିଛନ୍ତି। ଫଳରେ ଗ୍ରାହକ(ଚାଷୀ) ସିଦ୍ଧାର୍ଥ ଅନନ୍ୟୋପାୟ ହୋଇ ବୁଧବାର ଜିଲା ବିଦ୍ୟୁତ ଉପଭୋକ୍ତା ସଂଘର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ସେହିପରି ଯଦି ତୁରନ୍ତ ତ୍ରୁଟିପୂର୍ଣ୍ଣ ବିଲକୁ ସଂଶୋଧନ କରାନଯାଏ ତେବେ ସେ ଖାଉଟୀ ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍‌‌ର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ସାହୁଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା। ମାତ୍ର ଏହା ସମ୍ଭବ ନହେବାରୁ ମତାମତ ମିଳିପାରିନାହିଁ। ତେବେ କେବଳ ଯେ ଚାଷୀ ସିଦ୍ଧାର୍ଥଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଦେଇଛି ତାହା ନୁହେଁ, ଜିଲାର ଶହଶହ ଗ୍ରାହକଙ୍କୁ ମଧ୍ୟ ଦୈନନ୍ଦିନ ଏଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ଏଣୁ ଖୋଦ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାସହ ଟିପିଡବ୍ଲ୍ୟୁଓଡିଏଲ୍‌‌ କର୍ତ୍ତୃପକ୍ଷଙ୍କ ଅତ୍ୟାଚାରରୁ ରକ୍ଷା କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories