www.samajalive.in
Saturday, December 13, 2025
26.1 C
Bhubaneswar

ଅଧା କର୍ମଚାରୀରେ ଚାଲିଛି ଆଠଗଡ ତହସିଲ କାର୍ଯ୍ୟାଳୟ

ଆଠଗଡ : ଆଠଗଡ କଟକ ଜିଲ୍ଲାର ଏକ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଅଧା କର୍ମଚାରୀରେ ଚାଲିଛି ଏହି କାର୍ଯ୍ୟାଳୟ। ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହିତ ରାଜସ୍ୱ ଆଦାୟ ବାଧାପ୍ରାପ୍ତ ହୋଇଛି । ସରକାର ତହସିଲଗୁଡିକୁ ୫-ଟି ବିଭାଗ ଅଧିନକୁ ନେଇ ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟରେ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏଠାରେ କର୍ମଚାରୀ ଅଭାବ ଯୋଗୁଁ ଆଠଗଡ ତହସିଲ ବିଭିନ୍ନ ସେବା ଯୋଗାଇବାରେ ସମସ୍ୟାର ସମ୍ମୁଖୀନ ହେଉଛି । ଆଠଗଡ ବ୍ଲକର ୩୪ଟି ପଞ୍ଚାୟତ ଏବଂ ଏନଏସିର ୧୮ଟି ୱାର୍ଡକୁ ନେଇ ଆଠଗଡ ତହସିଲ ଗଠିତ । ଏହି ତହସିଲରେ ତହସିଲଦାର ଓ ୨ଜଣ ଅତିରିକ୍ତ ତହସିଲଦାର ପଦବୀ ସହିତ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୫୩ ହୋଇଥିବାବେଳେ ସେହି ସ୍ଥାନରେ ମାତ୍ର ୨୯ଜଣ ଏବେ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଛୁଟିରେ ଏବଂ ଅନ୍ୟ ଜଣେ ତାଲିମ ପାଇଁ ଯାଇଥିବାରୁ ବାସ୍ତବରେ ଏବେ ୨୬ ଜଣ କାର୍ଯ୍ୟ କରୁଛନ୍ତି । ସେହିପରି ଏଠାରେ ୨ଜଣ ଅତିରିକ୍ତ ତହସିଲଦାରଙ୍କ ମଧ୍ୟରୁ ଜଣେ, ବରିଷ୍ଠ ରାଜସ୍ୱ ସହାୟକ ପଦବୀ ୫ଟି ମଧ୍ୟରୁ ଜଣେ ବି ନାହାଁନ୍ତି । ଅନ୍ୟପକ୍ଷରେ ସହକାରୀ ରାଜସ୍ୱ ସହାୟକ ପଦବୀ ୧୨ଟି ମଧ୍ୟରୁ ମାତ୍ର ୭ଜଣ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରେ ୩ଜଣ ସଂପୂର୍ଣ୍ଣ ନୂଆ ନିଯୁକ୍ତି ପାଇଛନ୍ତି । ଏତଦ୍‌‌ବ୍ୟତୀତ ୧୦ଟି ଅମୀନ ପଦବୀ ମଧ୍ୟରୁ ୬ଜଣ, ୧୧ଟି ସହକାରୀ ରାଜସ୍ୱ ନିରୀକ୍ଷକ ପଦବୀରେ ମାତ୍ର ୩ଜଣ ଏବଂ ୧୧ଜଣ ରାଜସ୍ୱ ନିରୀକ୍ଷକଙ୍କ ମଧ୍ୟରୁ ୧୦ଜଣ କାର୍ଯ୍ୟରତ ଅଛନ୍ତି । ଏହିପରି ପ୍ରାୟ ୨୪ଟି ପଦବୀ ଖାଲିପଡିଥିବାରୁ ଜନସାଧାରଣଙ୍କୁ ବିଭିନ୍ନ ସେବା ଦେବାରେ ବିଳମ୍ବ ହେଉଛି। ଏ ସଂପର୍କରେ ତହସିଲଦାର ପ୍ରିୟବ୍ରତ ଦାସଙ୍କୁ ତାଙ୍କ ପ୍ରତିକ୍ରିୟା ପଚାରିବାରୁ ସେ ଏ ବିଷୟରେ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଏକାଧିବାର ଅବଗତ କରାଇଥିଲେ ମଧ୍ୟ ଅଦ୍ୟାବଧି ଖାଲି ପଡିଥିବା ପଦବୀଗୁଡିକ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ପ୍ରକାଶ କରିଥିଲେ । ଖୁବ୍‌‌ଶୀଘ୍ର ଖାଲିପଡିଥିବା କେତେକ ପଦବୀ ପୂରଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories