www.samajalive.in
Friday, December 12, 2025
17.1 C
Bhubaneswar

ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲା ଅଦାଲଦ ପରିସର ଶିଳାନ୍ୟାସ

ଫୁଲବାଣୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ୍‌‌ ଏସ୍‌‌. ମୁରଲୀଧର ଗୁରୁବାର କନ୍ଧମାଳ ଜଜସିପ୍‌‌ ଫୁଲବାଣୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଜିଲ୍ଲା ଅଦାଲତ ପରିସରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ପ୍ରସ୍ତାବିତ ନୂତନ ଜିଲ୍ଲା ଅଦାଲତର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ହାଇକୋର୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଡଃ ଜଷ୍ଟିସ୍‌‌ ବି.ଆର. ଷଡ଼ଙ୍ଗୀ କହିଛନ୍ତି, ମୁଖ୍ୟ ବିଚାରପତିଙ୍କର ଓଡ଼ିଶା ପ୍ରତି ଥିବା ଅବଦାନ ପାଇଁ ସେ ସବୁଦିନ ଆମ ମାନସପଟରେ ମନେରହିବେ। ସେ ନିଶ୍ଚିତ ଭାବେ ଉତ୍ସାହିତ କରିବେ ଆଗାମୀ ପିଢ଼ିଙ୍କ ପାଇଁ ସେହିଭଳି କିଛି କାର୍ଯ୍ୟ କରିବାକୁ। ତାଙ୍କ କାର୍ଯ୍ୟର ସୁପରିଚାଳନା ଆମ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ହେବ। ଯଦିଓ ଭିତ୍ତିଭୂମିକୁ ସମୃଦ୍ଧ କରିବା ପାଇଁ ୨୦୧୭ ମସିହାରୁ ସେତେବେଳର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା ତାହାଏବେ ଦକ୍ଷତାର ସହିତ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ବର୍ତ୍ତମାନର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ୍‌‌ ଏସ୍‌‌. ମୁରଲୀଧରଙ୍କ ଉଦ୍ୟମ ବାସ୍ତବିକ୍‌‌ ପ୍ରଶଂସାଯୋଗ୍ୟ। ଯେଉଁ ଚିନ୍ତାଧାରା ନିଶ୍ଚିତ ଭାବେ ଭଲ ତାହା ଆଜି ନ ହେଲେ ବି କାଲି ଫଳବତୀ ହେବ। କନ୍ଧମାଳ ଜିଲ୍ଲାକୁ ଅନୁନ୍ନତ ଜିଲ୍ଲା କୁହାଯାଉଥିଲା କିନ୍ତୁ ଏବେ ଏହା କୁହାଯିବ ନାହିଁ। କାରଣ ଏହି ଜିଲ୍ଲା ଧିରେ ଧିରେ ଉନ୍ନତି ପଥରେ ଆଗେଇଚାଲୁଛି। ଘରର ମୁଖ୍ୟ ନିଜ ପରିବାରକୁ ଭଲ ପରିବେଶରେ ରଖିବାକୁ ଚାହିଁବା ଭଳି ଜୁଡିସିଆଲ ପରିବାରର ମୁଖ୍ୟ ସେହିଭଳି ତାଙ୍କ ପରିବାରର ସମସ୍ତଙ୍କୁ ଭଲ ପରିବେଶରେ ରଖିବାକୁ ନୂତନ ଜିଲ୍ଲା ଅଦାଲତ ପରିସର ନିର୍ମାଣ ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବାକୁ ଯାଉଛନ୍ତି। ଗତକାଲିଠାରୁ ଅନୁଦାନ ମଧ୍ୟ ମଞ୍ଜୁର ହୋଇଯାଇଛି। ଗୋଟିଏ ସ୍ଥାନରେ ଜୁଡିସିଆଲ ପରିବାରର ସମସ୍ତଙ୍କ ସହିତ ନ୍ୟାୟ ପାଇଁ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। କାରଣ ଯାହା ବି ବିନିଯୋଗ କରାଯିବ ତାହା ସେହି ସାଧାରଣଲୋକଙ୍କ ଟଙ୍କା। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ଓ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ନିର୍ମାଣ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ କନ୍ଧମାଳ ଜଜସିପ୍‌‌ର ପ୍ରଶାସନିକ ବିଚାରପତି ଜଷ୍ଟିସ୍‌‌ ଏମ୍‌‌.ଏସ୍‌‌. ସାହୁ ମଧ୍ୟ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ୍‌‌ ଏସ୍‌‌. ମୁରଲୀଧରଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଏବେ ସବୁ ପ୍ରକାରର ଅଦାଲତ ଗୋଟିଏ ସ୍ଥାନରେ ଓ ଗୋଟିଏ ପରିସରରେ ସ୍ଥାନ ପାଇବା ସହିତ ନ୍ୟାୟ ପାଇବା ପାଇଁ ଆସିଥିବା ସାଧାରଣ ଜନତାଠାରୁ ଆରମ୍ଭ କରି ନ୍ୟାୟ ଦାତା ପର୍ଯ୍ୟନ୍ତ ସମସ୍ତଙ୍କ ସୁବିଧା ପାଇଁ ସେଠାରେ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଜିଲ୍ଲା ବାର୍‌‌ ଆସୋସିଏସନର ସଭାପତି ଭଗବାନ ମହାନ୍ତି ନ୍ୟାୟ ପ୍ରଦାନ ଦିଗରେ ସୁନ୍ଦର ପରିବେଶ ସହିତ ନୂତନ ଜିଲ୍ଲା ଅଦାଲତ ପରିସର ନିଶ୍ଚିତ ଭାବରେ ସହାୟକ ହେବ ବୋଲି କହିଥିଲେ। ସେଥିପାଇଁ ସେ ମୁଖ୍ୟ ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଜିଲ୍ଲା ଏବଂ ଦୌରା ଜଜ୍‌‌ ସତ୍ୟପୀର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ବାର୍‌‌ ଆସୋସିଏସନର ସମ୍ପାଦକ କମଳ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜେଏମଏଫସି, ଫୁଲବାଣୀ ସୌମ୍ୟାଶ୍ରୀ ମହାପାତ୍ର ଏହି ସମାରୋହକୁ ପରିଚାଳନା କରିଥିଲେ। ଏହି ସମାରୋହରେ କନ୍ଧମାଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାର ସମସ୍ତ ବିଚାରପତି, ଜିଲ୍ଲା ବାର୍‌‌ ଆସୋସିଏସନର ସଦସ୍ୟ ଓ ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନସାଧାରଣ ଏବଂ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories