ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହୁମ୍ମା ପଞ୍ଚାୟତରେ ଅବସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ହୁମ୍ମା ଶୁଖୁଆ ହାଟର ଅବସ୍ଥା ଏବେ ପରିତ୍ୟକ୍ତ ଅବସ୍ଥାରେ। ବର୍ଷା ଦିନ ଆସିଯାଇଥିବାରୁ ଟିକିଏ ବର୍ଷାରେ ହାଟ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହେଇପଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ପ୍ରକାଶଯୋଗ୍ୟ ଯେ, ଏହି ହାଟର ଆଧୁନିକୀକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଏହି ହାଟରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ସାଧାରଣ ଭାବରେ ହାଟ ଭିତର ରାସ୍ତା ପ୍ରତି କାହାରି ଦୃଷ୍ଟି ନାହିଁ। ଯାହା ଫଳରେ ବ୍ୟବସାୟୀ ଓ ଗ୍ରାହକ ମାନେ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି। ହାଟରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ହେଉଥିବା ବେଳେ ଏଠାରେ ରାସ୍ତା କାମ କଣ ପାଇଁ ହେଉନାହିଁ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିଛି। ଏଥିପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲ ରେ ଦାବିହେଇଛି।
ଏହି ପ୍ରସିଦ୍ଧ ଶୁଖୁଆ ହାଟ ରବିବାରେ ହୋଇଥିଲେ ମଧ୍ୟ ଶନିବାର ଠାରୁ କିଣା ବିକା ଆରମ୍ଭ ହୋଇଥାଏ। ହାଟରେ ଶୁଖୁଆ ସାଙ୍ଗକୁ ପନିପରିବା ବିବାହ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ। ସେଥିପାଇଁ ଆଖପାଖ ଆଞ୍ଚଳର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଶୁଖୁଆ ବିକ୍ରି ବଟା ପାଇଁ ନିର୍ଭର କରଥାନ୍ତି। ପ୍ରତି ଶନିବାର ଓ ରବିବାର ଏଠାରେ ଶତାଧିକ ବ୍ୟବସାୟୀ ଓ ହଜାର ହଜାର ଗ୍ରାହକଙ୍କ ସମାଗମ ହୋଇଥାଏ। ତେଣୁ ବର୍ଷା ଦିନରେ ହାଟରେ ହେଉଥିବା ସମସ୍ୟାର ସମାଧାନ ଓ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି।



