ଭୁବନେଶ୍ବର : ସରକାରୀ ଏବଂ ଘରୋଇ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ଅନୁଷ୍ଠିତ ନିଟ ୟୁଜି-୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାରୁ ନିଟ୍ ୟୁଜି ପରୀକ୍ଷା ପାଇଁ ୫୭ହଜାର ୯୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୫୫ ହଜାର ୮୬୬ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୮ହଜାର ୩୩୦ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇନ୍ତି। ୨୮ ହଜାର ୩୩୦ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ରାଙ୍କ ପାଇଛନ୍ତି। ରାଜ୍ୟରେ ୧୧ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ମୋଟ ୧୫୫୦ ଏମ୍ବିବିଏସ୍ ଆସନ ସଂଖ୍ୟା ଥିବାବେଳେ ଏଥିରୁ ରାଜ୍ୟସ୍ତରୀୟ ସଂରକ୍ଷଣ ଆସନ ୧୩୧୬ ଏବଂ ସର୍ବଭାରତୀୟ ସଂରକ୍ଷଣ ଆସନ(୧୫%)ହିସାବରେ ୨୩୪ଟି ରହିଛି। ଚଳିତ ବର୍ଷ କଳାହାଣ୍ଡି ସରକାରୀ ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବାକୁ ଥିବାରୁ ଗତବର୍ଷ ଅପେକ୍ଷା ୮୫ ନିଟ୍ ରାଙ୍କଧାରୀ ନାମଲେଖାଇବା ସୁଯୋଗ ପାଇପାରିବେ। ଏସସିବି ବିଡିଏସ ଆସନ ମୋଟ ୬୩ରୁ ରାଜ୍ୟସ୍ତରୀୟ ସଂରକ୍ଷଣ ଆସନ ୫୩ ଏବଂ ସର୍ବଭାରତୀୟ ସଂରକ୍ଷଣ ଆସନ ସଂଖ୍ୟା ୧୦ ରହିଛି।
ଘରୋଇ ଭୁବନେଶ୍ବର ଓ ରାଉରକେଲା ହାଇଟେକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ମୋଟ ୨୫୦ ଏମବିବିଏସ ଆସନ ରହିଛି। ରାଜ୍ୟସ୍ତରୀୟ ସଂରକ୍ଷିତ ଆସନ ସଂଖ୍ୟା ୨୧୩ ଥିବାବେଳେ ସର୍ବଭାରତୀୟ ସଂରକ୍ଷିତ ଆସନ ସଂଖ୍ୟା ୩୭। ଏହି ଘରୋଇ ପ୍ରତିଷ୍ଠାନ ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) କାଉନସେଲିଂ କରୁଛି। ଆସନ ପୂରଣ ହୋଇ ନପାରିଲେ ପ୍ରତିଷ୍ଠାନ ଆସନ ପୂରଣ କରିଥାନ୍ତି। ଚଳିତ ଶିକ୍ଷା ବର୍ଷରେ ସରକାରୀ ଭେଷଜ ମହାବିଦ୍ୟାଳୟ ଗୁଡିକ ମଧ୍ୟରୁ କୌଣସି ପ୍ରତିଷ୍ଠାନରେ ଏମବିବିଏସ ବିଡିଏସ ଆସନ ବୃଦ୍ଧି ପାଇନାହିଁ।
କଳାହାଣ୍ଡି ସରକାରୀ ଭେଷଜ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମଲେଖାଇବା ସୁଯୋଗ ପାଇବା ଦ୍ବାରା ରାଜ୍ୟରେ ଡାକ୍ତର ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି ଡିଏମଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ଅନେକ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତର କାଉନସେଲିଂରେ ଅଂଶ ଗ୍ରହଣ କରି ଏମ୍ସ ପରି ଜାତୀୟ ପ୍ରତିଷ୍ଠାନ ସହିତ ଅନ୍ୟାନ୍ୟ ରାଜ୍ୟର ଭେଷଜ ମହାବିଦ୍ୟାଳୟରେ ନାମଲେଖାଇବାର ସୁଯୋଗ ପାଇବେ। ସର୍ବଭାରତୀୟ ସଂରକ୍ଷଣ ଆସନ କେନ୍ଦ୍ର ପୂରଣ କରି ନପାରିଲେ ଓଜେଇଇ କାଉନସେଲିଂ ଦ୍ବାରା ପୂରଣ କରାଯିବ ବୋଲି ଓଜେଇଇ ପକ୍ଷରୁ ଜଣାପଡିଛି।
୧୫୫୦ ସରକାରୀ ଏମ୍ବିବିଏସ୍ ଆସନ ; ୨୮,୩୩୦ ଆଶାୟୀ
Popular Categories



