www.samajalive.in
Monday, December 8, 2025
13.1 C
Bhubaneswar

ଅଣ୍ଡା ନୁହେଁ, କୁକୁଡ଼ା ଆଗ

ନୂଆଦିଲ୍ଲୀ: କୁକୁଡ଼ା କିମ୍ବା ଅଣ୍ଡା- କେଉଁଟି ଆଗେ ବୋଲି କାଳ କାଳ ଧରି ବିଭିନ୍ନ ବର୍ଗର ଲୋକ ଓ ଛାତ୍ରଛାତ୍ରୀଙ୍କ ମନରେ ରହିଆସିଥିବା ଦ୍ବନ୍ଦ୍ବ ଏବେ ଆପାତତଃ ଦୂର ହୋଇଛି। ବୈଜ୍ଞାନିକମାନେ ଦୀର୍ଘ ଗବେଷଣାରୁ ଏହାର ଉତ୍ତର ପାଇଥିବା ଦାବି କରିଛନ୍ତି। ସେମାନଙ୍କ ଦାବି ଅନୁସାରେ ପ୍ରଥମେ କୁକୁଡ଼ାର ସୃଷ୍ଟି, ପରେ ଅଣ୍ଡା। ସେମାନେ ୫୧ଟି ଜୀବାଶ୍ମ ଓ ୨୯ଟି ଜୀବନ୍ତ ଜନ୍ତୁଙ୍କୁ ନେଇ ଗବେଷଣା ଚଳାଇଥିଲେ। ଏଥିମଧ୍ୟରେ ପ୍ରାଚୀନ କାଳର ପକ୍ଷୀ ଓ ଝିଟିପିଟି ଜାତୀୟ ଜୀବଙ୍କ ଜୀବାଶ୍ମ ରହିଥିଲା। ‘ନେଚର ଇକୋଲଜି ଆଣ୍ଡ ଇଭୋଲୁସନ୍‌’ ପତ୍ରିକାରେ ସେମାନଙ୍କ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ଏଥିରେ ସେମାନେ କୁକୁଡ଼ାର ସୃଷ୍ଟି ଆଗେ, ଅଣ୍ଡା ପରେ ବୋଲି ଦୃଢ଼ ଭାବେ ଉଲ୍ଲେଖ କରିଛନ୍ତି। ପ୍ରାଚୀନ କାଳରେ ପକ୍ଷୀ, ସରୀସୃପ ଆଦି ଜୀବଜନ୍ତୁମାନେ ଅଣ୍ଡା ଦେଉନଥିଲେ; ଛୁଆ ଜନ୍ମ କରୁଥିଲେ; ଅତଏବ ସେହି ଧାରାରେ କୁକୁଡ଼ାର ଜନ୍ମ ପ୍ରଥମେ। ପରେ ଅଣ୍ଡା ଦେଉଥିବା ଜୀବଙ୍କର ସୃଷ୍ଟି ହୋଇଥିଲା। ଗବେଷକମାନେ ଓଭିପାରସ୍‌ (ଅଣ୍ଡା ଦେଉଥିବା ଜୀବ) ଓ ଭିଭିପାରସ୍‌ (ଛୁଆ ଜନ୍ମ କରୁଥିବା ଜୀବ) ମଧ୍ୟରେ ପାର୍ଥକ୍ୟ ଉପଲବ୍ଧି କରିବା ପରେ ଉପରୋକ୍ତ ନିଷ୍ପତ୍ତିରେ ଉପନୀତ ହୋଇଥିଲେ। ‘ଓଭିପାରିଟି’ର ଉଦ୍‌ଭାବନ ଦ୍ବାରା ଭିଭିପାରସ୍‌ ଉଭେଇ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା; କିନ୍ତୁ ଏହା ଘଟିନଥିଲା। ଉଭୟ ପ୍ରଜନନକ୍ଷମ ରହିବା ସହ ପରିବର୍ଦ୍ଧିତ ଗର୍ଭାଶୟ ରକ୍ଷଣ (ଏକ୍ସଟେଣ୍ଟେଡ ଏମ୍ବ୍ରୟ ରିଟେନ୍‌ସନ୍‌ ବା ଇଇଆର) ମାଧ୍ୟମରେ ବଂଶ ବିସ୍ତାର କରିଚାଲିଲେ। ପରିବେଶ ପରିସ୍ଥିତିକୁ ନେଇ ମା’ ବଞ୍ଚିରହିବା ଓ ବଂଶ ବିସ୍ତାର କରିବା ହେଉଛି ଇଇଆର ବୋଲି ଗବେଷକମାନେ ଜାଣିବାକୁ ପାଇଥିଲେ।

ପ୍ରାୟ ୩୨୦ ନିୟୁତ ବର୍ଷ ପୂର୍ବେ ପାଣିରୁ ‘ଆମ୍‌ନିଓଟ୍‌’ ଭଳି ଉତ୍ପନ୍ନ ହୋଇଥିବା ଜୀବ ଅଣ୍ଡା ଦେଇଥିଲେ। ପରେ ସେମାନେ ପାଣିରୁ ବାହାରି ଉପରକୁ ଆସିଥିଲେ ଏବଂ ଶୁଖିଲା ସ୍ଥାନରେ ବଞ୍ଚିବା ଶିଖିଥିଲେ। ସେମାନେ ପରିବେଶ ସହ ଖାପ ଖୁଆଇ ଶୁଷ୍କ ସ୍ଥାନରେ ବଂଶ ବିସ୍ତାର ପ୍ରୟାସ ସ୍ବରୂପ ଅଣ୍ଡା ଦେଇଥିଲେ ବୋଲି ବ୍ରିଷ୍ଟଲ ସ୍କୁଲ ଅଫ ଆର୍ଥ ସାଇନ୍ସେସ୍‌ର ଗବେଷକ ପ୍ରଫେସର ମାଇକେଲ ବେଣ୍ଟନ୍‌ ମତ ଦେଇଛନ୍ତି। ପରେ ଝିଟିପିଟି ଓ ସାପ ଜାତୀୟ ଜୀବ ସୃଷ୍ଟିହେଲେ; ଯେଉଁମାନେ ଛୁଆ ଓ ଅଣ୍ଡା ଦେଇ ପାରୁଥିଲେ ବୋଲି ଜୀବାଶ୍ମ ଅନୁଧ୍ୟାନରୁ ଜଣାପଡ଼ିଥିବା ବେଣ୍ଟନ ଦାବି କରିଛନ୍ତି। ଇଇଆର ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବ ହୋଇଥିବା ଏବଂ ଏବେ ମଧ୍ୟ ଏହି ପ୍ରକ୍ରିୟା ବଳବତ୍ତର ଥିବା କହିଛନ୍ତି ଅନ୍ୟତମ ଗବେଷକ ଡଃ ଯୋସେଫ କିଟିଂ। ପାଣିପାଗ ଉଷୁମ ଥିବା ଓ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାବେଳେ ଛୁଆ ଜନ୍ମ ସମ୍ଭାବନା ଅଧିକ ସୃଷ୍ଟି ହୋଇଥିଲା ବୋଲି ସେ ଦାବି କରିଛନ୍ତି; କିନ୍ତୁ ସେମାନଙ୍କ ପ୍ରତିପାଦିତ ସୂତ୍ର ଅଦ୍ୟାବଧି ଚୂଡ଼ାନ୍ତ ନୁହେଁ ବୋଲି କୁହାଯାଉଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories