www.samajalive.in
Saturday, December 13, 2025
21.1 C
Bhubaneswar

ସବୁ ଭାରତୀୟ ସାମ୍ବାଦିକଙ୍କୁ ତଡ଼ିଲା ଚୀନ୍‌

ବେଜିଂ : ଚୀନ୍‌ରେ ଭାରତର ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତି ଶେଷ ହୋଇଛି। ସେଠାରେ କାର୍ଯ୍ୟରତ ଶେଷ ଭାରତୀୟ ସାମ୍ବାଦିକଙ୍କ ଭିସା ଅବଧି ବୃଦ୍ଧି ନକରି ତାଙ୍କୁ ଦେଶ ଛାଡ଼ିବା ପାଇଁ ଚୀନ୍‌ ସରକାର ନିର୍ଦେଶ ଦେଇଛନ୍ତି। ଏହାଦ୍ବାରା ସମ୍ବାଦ ସରବରାହ ସଂସ୍ଥା ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ପ୍ରତିନିଧିଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ। ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ଚୀନ୍‌ ସରକାର ଏପରି ପଦକ୍ଷେପ ନେଇଛନ୍ତି।
ବେଜିଂରେ ଭାରତୀୟ ଗଣମାଧ୍ୟମର ୪ଜଣ ପ୍ରତିନିଧି ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସରକାରୀ ସଂସ୍ଥା ‘ପ୍ରସାର ଭାରତୀ’, ପିଟିଆଇ, ‘ଦି ହିନ୍ଦୁ’ ଓ ‘ହିନ୍ଦୁସ୍ତାନ ଟାଇମ୍ସ’ର ଜଣେ ଲେଖାଏଁ ପ୍ରତିନିଧି। ଗତ ମେ’ରେ ହିନ୍ଦୁସ୍ତାନ ଟାଇମ୍ସ ପ୍ରତିନିଧିଙ୍କ ସ୍ବୀକୃତିପତ୍ରକୁ ଚୀନ୍‌ ସରକାର ପ୍ରତ୍ୟାହାର କରିନେଇଥିଲେ। ଏପ୍ରିଲରେ ପ୍ରସାର ଭାରତୀ ଓ ଦି ହିନ୍ଦୁ ପ୍ରତିନିଧିଙ୍କ ଭିସା ଚୀନ୍‌ ରଦ୍ଦ କରିଥିଲା। କେବଳ ପିଟିଆଇ ପ୍ରତିନିଧି ଚୀନ୍‌ରେ ରହିଯାଇଥିଲେ। ଏବେ ତାଙ୍କୁ ବିତାଡ଼ିତ କରାଯାଇଛି। ଏଥିସହିତ ଚୀନ୍‌ ଅଭିଯୋଗ କରିଛି ଯେ ଭାରତ ସରକାର ଏହାର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ପାତରଅନ୍ତର ସହ ଅନ୍ୟାୟୋଚିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ ଦୁଇ ଚୀନ୍‌ ଗଣମାଧ୍ୟମ ପ୍ରତିନିଧିଙ୍କ ଭିସା ନବୀକରଣ କରାଯାଇନାହିଁ। ଗତ ମାସରେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ତାଙ୍କର ଜଣେ ମାତ୍ର ସାମ୍ବାଦିକ ଥିବା କୁହାଯାଇଥିଲା। ୨୦୨୦ରୁ ଭାରତ ସରକାର ଚୀନ୍‌ ସାମ୍ବାଦିକଙ୍କୁ ଭିସା ଅନୁମୋଦନ କରୁନାହାନ୍ତି। ଏହାଦ୍ବାରା ମୋଟ ୧୪ ସାମ୍ବାଦିକଙ୍କ ମଧ୍ୟରୁ ଏବେ ମାତ୍ର ଜଣେ ଥିବା ଅଭିଯୋଗ କରାଯାଇଥିଲା। ଅପରପକ୍ଷରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇ କୁହାଯାଇଛି ଯେ ଚୀନ୍‌ ସମେତ ସମସ୍ତ ବୈଦେଶିକ ଗଣମାଧ୍ୟମ ପ୍ରତିନିଧି ଏଠାରେ ସେମାନଙ୍କ ପେସାଗତ କାର୍ଯ୍ୟକଳାପ ଜାରି ରଖିଛନ୍ତି ଏବଂ ସେମାନଙ୍କ ଉପରେ କୌଣସି ନିୟନ୍ତ୍ରଣ ଧାର୍ଯ୍ୟ କରାଯାଇନାହିଁ। ଗତ ମାସରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ପାଇଁ ଚୀନ୍‌ ସାମ୍ବାଦିକଙ୍କୁ ଅସ୍ଥାୟୀ ଭିସା ପ୍ରଦାନ କରାଯାଇଥିଲା। ଭାରତରେ ସବୁ ବୈଦେଶିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯେମିତି ସ୍ବାଧୀନ ଭାବେ କାର୍ଯ୍ୟକାରିବାର ସୁଯୋଗ ଦିଆଯାଉଛି ଚୀନ୍‌ ସରକାର ସେଭଳି ପଦକ୍ଷେପ ନେବେ ବୋଲି ଭାରତ ଆଶା ବ୍ୟକ୍ତ କରିଛି। କିଛି ମାସ ପୂର୍ବେ ଭାରତୀୟ ସାମ୍ବାଦିକମାନେ ଚୀନ୍‌ ନାଗରିକଙ୍କୁ ସହାୟତା ପାଇଁ ନିୟୋଜିତ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଚୀନ୍‌ ସରକାର ଏ କ୍ଷେତ୍ରରେ କଟକଣା ଜାରି କରିବା ସହ ଭାରତୀୟ ସାମ୍ବାଦିକମାନେ ସର୍ବାଧିକ ତିନି ଜଣଙ୍କ ସହାୟତା ନେଇପାରିବେ ଏବଂ ସେହି ତିନିଜଣ ଚୀନ୍‌ ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇଥିବା ଆବଶ୍ୟକ ବୋଲି ନିର୍ଦେଶନାମା ଜାରି କରାଯାଇଥିଲା। ଭାରତ ପକ୍ଷରୁ ସେଭଳି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲେ ମଧ୍ୟ ଚୀନ୍‌ ଅଧିକ ଉଗ୍ରତା ପ୍ରଦର୍ଶନ କରି ଭାରତୀୟ ସାମ୍ବାଦିକଙ୍କ ଭିସା ବାତିଲ କରିବା ଆରମ୍ଭ କରିଥିଲା। ପୂର୍ବରୁ ଆମେରିକୀୟ ସାମ୍ବାଦିକଙ୍କ ସହ ଚୀନ୍‌ର ଭିସା ବିବାଦ ରହିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories