www.samajalive.in
Sunday, December 14, 2025
26.1 C
Bhubaneswar

ଚେନ୍ନଇ ଚମ୍ପିଆନ୍‌

ଅହମ୍ମଦାବାଦ : ଆଇପିଏଲ୍‌-୧୬ର ରୋମାଞ୍ଚକର ପରିସମାପ୍ତି ଘଟିଛି । ସୋମବାର ଫାଇନାଲ ମ୍ୟାଚ୍‌ ଜିତିବା ପାଇଁ ଶେଷ ୨ ବଲ୍‌ରୁ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ରନ୍‌ ଆବଶ୍ୟକ କରୁଥିବାବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଛକା ଓ ଚୌକା ଦଳକୁ ଚମ୍ପିଆନ୍ କରିଛି। ଧୋନି ସେନାର ଚେନ୍ନଇ ସୁପର କିଙ୍ଗ୍‌ସକୁ ମିଳିଛି ପଞ୍ଚମ ଆଇପିଏଲ୍‌ ଟ୍ରଫି। ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍‌ସକୁ ୫ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ସର୍ବଧିକ ୫ମ ଥର ଆଇପିଏଲ୍‌ ଟ୍ରଫି ଜିତି ମୁମ୍ବଇ ଇଣ୍ଡିଆନ୍‌ସ ସହ ସମକକ୍ଷ ହୋଇଛି ଧୋନିଙ୍କ ସିଏସ୍‌କେ। ଗୁଜରାଟର ସାଇ ସୁଦର୍ଶନ ଦର୍ଶନୀୟ ୯୬ ରନ୍‌ର ଇନିଂସ ଖେଳିଥିବା ବେଳେ ଓପ୍‌ନର ଋଦ୍ଧିମାନ ଶାହା ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ୪ ୱିକେଟରେ ୨୧୪ ରନ୍‌ କରିଥିଲା। ଏକ ଆଇପିଏଲ୍‌ ଫାଇନାଲରେ ଏହା ସର୍ବାଧିକ ସ୍କୋର୍‌। ୧୦ମ ଫାଇନାଲ ଖେଳିଥିବା ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୨୧୫ ରନ୍‌ ବିଜୟଲକ୍ଷ୍ୟର ପିଛାକରି ୩ଟି ବଲ୍‌ ଖେଳି ୪ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ରାତି ୧୨.୧୦ଟାରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା ଏବଂ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଚେନ୍ନଇକୁ ୧୫ ଓଭରରେ ୧୭୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାର ପିଛାକରି ଚେନ୍ନଇ ଶେଷ ବଲ୍‌ରେ ୫ ୱିକେଟ ହରାଇ ଜିତିଥିଲା।
ସଂଶୋଧିତ ବିଜୟଲକ୍ଷ୍ୟ ପାଇବା ପରେ ଚେନ୍ନଇ ସୁପର କିଙ୍ଗ୍‌ସର ୨ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୬.୩ ଓଭରରେ ୭୪ ରନ୍‌ ଯୋଡ଼ିଥିଲେ। ହେଲେ ଆଫ୍‌ଗାନିସ୍ତାନର ଚାଇନାମ୍ୟାନ୍ ସ୍ପିନର ନୁର୍ ଅହମ୍ମଦ ଗୋଟିଏ ଓଭରରେ ଉଭୟଙ୍କୁ ଆଉଟ୍‌ କରି ଦେଇଥିଲେ। ଋତୁରାଜ ୧୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ଡେଭନ୍ କନ୍‌ୱେ ୨୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୭ ରନ୍‌ କରିଥିଲେ। ୭ ଓଭରରେ ୭୮ ରନ୍‌ ସ୍କୋର୍‌ରେ ସିଏସ୍‌କେ ୨ଟି ୱିକେଟ ହରାଇଥିଲା। ପରେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେ ଆସି ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ରାହାଣେ ୨୭ ରନ୍‌କରି ବିଦାୟ ନେଇଥିଲେ। ୪ ଓଭରରୁ ଚେନ୍ନଇ ୫୩ ରନ୍‌ ଆବଶ୍ୟକ ଥିବା ବେଳେ ଶିବମ୍ ଦୁବେ ପ୍ରହାର ଆରମ୍ଭ କରିଥିଲେ। ଜୀବନର ଅନ୍ତିମ ଆଇପିଏଲ୍‌ ମ୍ୟାଚ୍‌ରେ ଅମ୍ବତି ରାୟୁଡୁ ବିସ୍ଫୋରକ ବ୍ୟାଟିଂକରି ୮ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ୨ ଓଭରରୁ ୨୨ ରନ୍ ଆବଶ୍ୟକ ଥିବା ବେଳେ ୧୪ଶ ଓଭରରୁ ମାତ୍ର ୮ ରନ୍‌ ହୋଇଥିଲା। ଶେଷ ଓଭରରୁ ୧୪ ଓ ଶେଷ ୨ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ଥିଲା। ମୋହିତ ଶର୍ମାଙ୍କ ଏହି ଶେଷ ୨ ବଲ୍‌ରୁ ରବୀନ୍ଦ୍ର ଜାଡ଼େଜା ଛକା ଓ ଚୌକା ମାରି ଦଳକୁ ଚମ୍ପିଆନ୍ କରିଥିଲେ। ଜାଡ଼େଜା ୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ। ଶିବମ୍ ଦୁବେ ୨୧ ବଲ୍‌ରୁ ୨ଟି ଛକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ମୋହିତ ଶର୍ମା ୩ଟି ଓ ନୁର୍ ଅହମ୍ମଦ ୨ଟି ୱିକେଟ ନେଇଥିଲେ।
ରବିବାର ବର୍ଷା ଯୋଗୁଁ ପ୍ରଥମଥର ଫାଇନାଲ ମ୍ୟାଚ୍‌ ଅତିରିକ୍ତ ଦିବସକୁ ଯାଇଥିଲା। ସୋମବାର ଟସ୍ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେଇଥିଲା। ଆରମ୍ଭରୁ ଗୁଜରାଟ ଟାଇଟାନ୍‌ସର ଦୁଇ ଓପ୍‌ନର ଋଦ୍ଧିମାନ ଶାହା ଏବଂ ଗତ ୪ଟି ମ୍ୟାଚ୍‌ରେ ୩ଟି ଶତକ ମାରିଥିବା ଶୁବ୍‌ମାନ ଗିଲ୍‌ ଦର୍ଶନୀୟ ବ୍ୟାଟିଂ କରିଥିଲେ। ଦୁହେଁ ୭ ଓଭରରେ ୬୭ ରନ୍‌ର ଭାଗିଦାରୀ କରିଥିଲେ। ଜୀବନର ଶ୍ରେଷ୍ଠ ଫର୍ମରେ ଥିବା ଗିଲ୍‌ ନିୟମିତ ବାଉଣ୍ଡରୀ ମାରିଥିଲେ। ୨୦ ବଲ୍‌ରୁ ୭ଟି ଚୌକା ସହ ୩୯ ରନ୍‌କରି ଶୁବ୍‌ମାନ ଗିଲ୍‌ ଆଉଟ୍‌ ହୋଇ ଯାଇଥିଲେ। ୧୭ଟି ମ୍ୟାଚ୍‌ରୁ ସର୍ବାଧିକ ୮୯୦ ରନ୍‌କରି ଶୁବ୍‌ମାନ ଅରେଞ୍ଜ୍‌ କ୍ୟାପ୍‌ ବଜାୟ ରଖିଛନ୍ତି। ପରେ ଋଦ୍ଧିମାନ ଶାହା ଓ ସାଇ ସୁଦର୍ଶନ ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ପରବର୍ତ୍ତୀ ୭ ଓଭରରେ ୬୪ ରନ୍‌ ଯୋଡ଼ିଥିଲେ। ଏହି ଆଇପିଏଲ୍‌ରେ ୨ୟ ଅର୍ଦ୍ଧଶତକ ହାସଲ କରିଥିବା ଋଦ୍ଧିମାନ ଶାହା ୩୯ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୪ ରନ୍‌କରି ବିଦାୟ ନେଇଥିଲେ। ୧୪ ଓଭରରେ ଗୁଜରାଟ ୧୩୧ ରନ୍‌ କରିଥିବା ବେଳେ ଶେଷ ୬ ଓଭରରୁ ଏହା ୮୩ ରନ୍‌ କରି ପାରିଥିଲା। ଚେନ୍ନଇର ୨୧ ବର୍ଷ ବୟସ୍କ ସାଇ ସୁଦର୍ଶନ ତାଙ୍କ ସହରର ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ବିସ୍ଫୋରକ ବ୍ୟାଟିଂକରି ଆଉ ୧୩ ବଲ୍‌ରୁ ୪୪ ରନ୍‌ କରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସୁଦର୍ଶନ ୩ୟ ୱିକେଟ ପାଇଁ ଦ୍ରୁତ ୮୧ ରନ୍‌ ଯୋଡ଼ିଥିଲେ। ଶେଷ ଓଭର​‌େ​‌ର ଆଉଟ୍‌ ହୋଇ ସୁଦର୍ଶନ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସାଇ ସୁଦର୍ଶନ ୪୭ ବଲ୍‌ରୁ ୬ଟି ଛକା ଓ ୮ଟି ଚୌକା ସହ ୯୬ ରନ୍‌ କରିଥିଲେ। ହାର୍ଦିକ ୧୨ ବଲ୍‌ରୁ ୨ଟି ଛକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ମାଥିଶା ପାଥିରାନା ୨ଟି ୱିକେଟ ନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories