www.samajalive.in
Saturday, December 13, 2025
23.1 C
Bhubaneswar

ଆଇଏସ୍‌ଆଇ ହାତରେ ଓଡ଼ିଶା ସିମ୍‌କାର୍ଡ

ଭୁବନେଶ୍ୱର/ ବରୀ/ଦଶପଲ୍ଲା : ମୋବାଇଲ ସିମ୍‌କାର୍ଡ ଓଡ଼ିଶାର; କିନ୍ତୁ ପାକିସ୍ତାନରେ ହେଉଥିଲା ଦୁରୁପଯୋଗ। ଏହି ସିମ୍‌ ସବୁ ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲା। ମାତ୍ର ଏହାକୁ ଭାରତ ବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଥିଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ) ଏଜେଣ୍ଟ। ଏମିତି ଜଘନ୍ୟ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଓଡ଼ିଆ ଯୁବକ। ସିମ୍ କାର୍ଡ ମାଧ୍ୟମରେ ଏକାଧିକ ଓଟିପି (ୱାନ୍‌ ଟାଇମ୍‌ ପାର୍ସୱାର୍ଡ) ଜେନେରେଟ୍ କରି ବିଭିନ୍ନ ଅପରାଧିକ ଓ ଅସାମାଜିକ ସଂସ୍ଥାକୁ ବିକ୍ରିକରି ବିପୁଳ ଅର୍ଥ ରୋଜଗାର କରୁଥିବା ଜଣାପଡିଛି।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ଆଇଏସ୍‌ଆଇ)କୁ ଓଟିପି ବିକ୍ରି କରିବା ସହ ରାଜସ୍ଥାନର ଏକ ହନିଟ୍ରାପ୍‌ ମାମଲାରେ ସମ୍ପୃକ୍ତି ଥିବା ଜଣେ ଆଇଟିଆଇ ଶିକ୍ଷକଙ୍କ ସମେତ ୩ ଓଡ଼ିଆ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ) ଗିରଫ କରି ରବିବାର ଅଦାଲତ ଚାଲାଣ କରିଛି। ସେମାନେ ହେଲେ ନୟାଗଡ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫), ନୟାଗଡ ଆଇଟିଆଇ କଲେଜ ଲେନ-୨ ଅଚ୍ୟୁତନଗରରେ ରହୁଥିବା ଦଶପଲ୍ଲା ଥାନା ସାକେଣୀ ଗ୍ରାମର ସରୋଜ କୁମାର ନାୟକ ଓରଫ ଅମିତ (୨୬) ଓ ଯାଜପୁର ଜିଲା ସୁଜନପୁରସ୍ଥିତ ଉଦୟପୁରର ସୌମ୍ୟ ପଟ୍ଟନାୟକ(୧୯)। ଅଭିଯୁକ୍ତଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ୍‌ କଭର ଜବତ କରାଯାଇଥିବା ଏସ୍‌ଟିଏଫ୍‌ ଆଇଜି ଜୟନାରାୟଣ ପଙ୍କଜ ଆୟୋଜିତ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀ ପଙ୍କଜ କହିଛନ୍ତି ଯେ, ଗିରଫ ପଠାଣିସାମନ୍ତ ଏହି ଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଏମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସିମକାର୍ଡ଼ କିଣି ପାକିସ୍ତାନ ଏଜେଣ୍ଟଙ୍କୁ ଓଟିପି ସେୟାର କରୁଥିଲେ। ଓଟିପି ପାଇବା ପରେ ପାକିସ୍ତାନ ଦଲାଲ୍‌ (ଏଜେଣ୍ଟ) ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମ, ଫେସବୁକ ସହ ଅନଲାଇନ ସପିଂ ଆପ୍‌ରେ ବ୍ୟବହାର କରୁଥିଲେ। ସେହି ନମ୍ବରରେ ହ୍ବାଟ୍ସଆପ ଖୋଲି ବିଭିନ୍ନ ଭାରତ ବିରୋଧୀ ପୋଷ୍ଟ କରୁଥିଲେ।
ସିମ୍‌ଗୁଡିକ ଓଡ଼ିଶାର ହୋଇଥିବାରୁ ଏହା ପଛରେ ପାକିସ୍ତାନ ଏଜେଣ୍ଟଙ୍କ ଭୂମିକା ଜଣାପଡୁ ନ ଥିଲା। ଏପରିକି ଆତଙ୍କବାଦୀଙ୍କ ସହ ଯୋଗାଯୋଗ, ଭାରତ ବିରୋଧୀ ଆଭିମୁଖ୍ୟ ଚଳାଇବା, ହନିଟ୍ରାପ ଇତ୍ୟାଦି ପାଇଁ ଏହି ନମ୍ବର ବ୍ୟବହାର ହେଉଥିଲା। ଗତବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଗିରଫ ମହିଳା ପାକିସ୍ତାନୀ ଗୁଇନ୍ଦା (ପିଆଇଓ) ଏଜେଣ୍ଟଙ୍କ ଶହ ଏହି ୩ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ତଦନ୍ତ ବେଳେ ଜଣାପଡ଼ିଛି। ପ୍ରତି ଓଟିପି ପିଛାକୁ ଅଭିଯୁକ୍ତମାନେ ୩୦୦ରୁ ୫୦୦ଟଙ୍କା ପାଉଥିଲେ। ଗିରଫ ତିନି ଅଭିଯୁକ୍ତଙ୍କ ଆଇଏସ୍‌ଆଇ ସହ ଯୋଗାଯୋଗ ଥିବା ସ୍ପଷ୍ଟ ହୋଇଛି। ତିନି ଜଣଙ୍କୁ ଗିରଫ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସହ ଯୋଗାଯୋଗ କରାଯାଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଅଭିଯୁକ୍ତଙ୍କୁ ଜିମା ଆଣି ପଚରାଉଚରା କରାଯିବ ବୋଲି ଶ୍ରୀ ପଙ୍କଜ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, କେବେଠାରୁ ଏହି ଦଳ ଏପରି କାର୍ଯ୍ୟରେ ସକ୍ରିୟ ରହିଥିଲା? କେବେଠାରୁ ପାକିସ୍ତାନୀ ଏଜେଣ୍ଟକୁ ଓଟିପି ଦେଉଥିଲେ ? ଏମାନଙ୍କ ସହିତ ଆଉ କିଏ ଅଛନ୍ତି ? ଏତେ ସିମକାର୍ଡ଼ ସେମାନେ କେଉଁଠୁ କିଣିଥିଲେ? ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ଥିବା ପାକିସ୍ତାନୀ ଏଜେଣ୍ଟ ରହୁଛନ୍ତି କେଉଁଠି ? ସେମାନଙ୍କ ସହିତ ଓଡ଼ିଶାର ଏପରି ଆଉ କେଉଁ ଦଳର ସମ୍ପୃକ୍ତି ରହିଛି ? ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ଜିମାରେ ଆଣି ଅଧିକ ତଦନ୍ତ କରିବ ତଦନ୍ତକାରୀ ଦଳ।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories