କେନ୍ଦୁଝରଗଡ଼: ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟ ହେବାନେଇ ହିତାଧିକାରୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ କ୍ରମେ ଆନ୍ଦୋଳନର ରୂପ ନେବାକୁ ବସିଛି। କେବଳ ସେତିକିନୁହେଁ, ମରାମତି ଆଳରେ ଦିନବେଳା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଯେତିକି ନିରାଶ କରିଛି ସନ୍ଧ୍ୟାହେବା ମାତ୍ରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହରବାସୀଙ୍କୁ ସେତିକି ଯନ୍ତ୍ରଣା ଦେଉଛି। ଏତଦ୍ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍ କାଟ ଗ୍ରୀଷ୍ମଋତୁରେ ସହରବାସୀଙ୍କୁ ଅତିଷ୍ଟ କରିଦେଉଛି।
ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ବିଶେଷ କରି ପାନୀୟଜଳ ଯୋଗାଣ ଓ ଚିକିତ୍ସା ସେବା ଅଧିକାଂଶ ଦିନରେ ବାଧାପାପ୍ତ ହେଉଛି। ସହରର ପ୍ରମୁଖ ଅଞ୍ଚଳ ଓ ମୁଖ୍ୟବଜାରକୁ ବାଦ୍ ଦେଲେ ପୁରୁଣାବଜାର, ଆଟୋପୁର, ବୀରବରପୁରପାଟଣା, ଜନାର୍ଦ୍ଦନପୁର ଶାସନ, ଧାଙ୍ଗରପଡା, ମାଧପୁର, ବଣିଆପାଟ, ନୂଆସାହି, କାଶିପୁର, ବଡହଳ, ବ୍ରାହ୍ମଣୀଗାଁ ଆଦି ଅଞ୍ଚଳ ମାନଙ୍କରେ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ଅଘୋଷିତ ବିଦ୍ୟୁତ୍ କାଟ ସମସ୍ୟାରୁ ମୁକୁଳିବା ପାଇଁ ହିତାଧିକାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଖୋଦ ଜିଲା ମୁଖ୍ୟାଳୟରେ ବଦ୍ୟୁତ୍ ବିଭାଗର ଏଭଳି ଦୟନୀୟ ସେବା ଥିବାବେଳେ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ କିଭଳି ବିଭାଗ ପକ୍ଷରୁ ସେବା ଯୋଗାଇ ଦିଆଯାଉଥିବ ତାହା ଏଥିରୁ ସହଜରେ ଅନୁମାନ କରାଯାଇପାରେ ।
ଗ୍ରୀଷ୍ମଋତୁରେ ସାଧାରଣ ଲୋକେ ଗ୍ରୀଷ୍ମପ୍ରବାହରୁ କିଭଳି ମୁକ୍ତି ପାଇବେ ସେ ନେଇ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଗୁରୁତ୍ୱ ଦେଇ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକ ସେବା ଯୋଗାଇ ଦିଆନଗଲେ ଏହା ପ୍ରତିବାଦରେ ଆଗାମୀ ଦିନରେ ସହରର ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ ବାଧ୍ୟ ହୋଇ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯିବ ଚେତାବନୀ ଦିଆଯାଇଛି।



