ସମ୍ବଲପୁର: ସମ୍ବଲପୁରର ମୁଦିପଡ଼ା ନିବାସୀ ବିଶିଷ୍ଟ କ୍ରିଡାବିତ (ସୁନ୍ଦର ସ୍ୱାସ୍ଥ୍ୟ) ଓ ସମାଜସେବୀ ବିଶ୍ୱମ୍ବର ବହିଦାରଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିବା ଶ୍ରୀ ବହିଦାର ଶୁକ୍ରବାର ପୁର୍ବାହ୍ନରେ ସମ୍ବଲପୁର ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମ୍ବଲପୁରର ମୁଦିପଡ଼ା ସ୍ଥିତ ବୁଲେଟ ବ୍ୟାୟାମଶାଳାର ପ୍ରତିଷ୍ଠାତା ସଭାପତି, ସୁନ୍ଦରସ୍ୱାସ୍ଥ୍ୟ (ବଡି ବିଲଡିଂ), ମଲ୍ଲଯୁଦ୍ଧ, ଭାର ଉତ୍ତୋଳନ ଆଦି କ୍ରିଡା କ୍ଷେତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଏଥି ସହ ଜାତୀୟସ୍ତରର କ୍ରିଡା ପ୍ରତିଯୋଗିତାର ବିଚାରକ ଓ କ୍ରିଡା ସଙ୍ଗଠକ ରୂପେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟରତ ରହିଥିଲେ। ବହୁମୁଖୀ ପ୍ରତିଭାର ଧନୀ ସ୍ୱର୍ଗତ ଶ୍ରୀ ବହିଦାର ଜଣେ ଉତ୍କୃଷ୍ଟ ଖେଳାଳି ରହିବା ସହିତ ଜୀବନବ୍ୟାପି ବିଭିନ୍ନ କ୍ରିଡା ସଙ୍ଗଠନ, ସାମାଜିକ, ସାଂସ୍କୃତିକ, ଅଧ୍ୟାତ୍ମିକ ଓ ସେବା ଅନୁଷ୍ଠାନ ଗୁଡିକ ସହିତ ଜଡିତ ରହି ନିରନ୍ତର ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ। ସମ୍ବଲପୁର ମ୍ୟୁନିସିପାଲିଟୀରୁ ପ୍ରକଳ୍ପ ଅଧିକାରୀ ରୂପେ ଅବସର ଗ୍ରହଣ ପରେ ନିଜକୁ ବିଭିନ୍ନ ସଙ୍ଗଠନ ସହିତ ଜଡିତ ରଖିଥିଲେ। ଶ୍ରୀ ବହିଦାରଙ୍କ ଅଚାନକ ମୃତ୍ୟୁ ଖବର ମିଳିବା ପରେ ସହରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କର ବିୟୋଗରେ ବୁଲେଟ ବ୍ୟାୟାମଶାଳା, ଜିଲା ସନ୍ତରଣ ସଂଘ, ଜିଲା କ୍ରିଡା ସଂଘ, ରାଜ୍ୟ ବଡିବିଲଡିଂ ସଂଘ, ଓଡ଼ିଶା ସାଂସ୍କୃତିକ ସମାଜ, ପୂର୍ବ ଜୋନ ବଡି ବିଲଡିଂ ସଂଘ, କରଣ ସମାଜ ଆଦି ଅନେକ ଅନୁଷ୍ଠାନ ପକ୍ଷରୁ ଶୋକପ୍ରକାଶ କରାଯାଇଛି।
Popular Categories



