ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ସହର ସମେତ ଥାନାର ବିଭିନ୍ନ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଯୁବକ ଚୋରି ଗ୍ୟାଙ୍ଗରେ କାମ କରୁଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫/୭ଜଣ ରହିଛନ୍ତି ନାବାଳକ। ଦିନରେ ସାଇକଲ ଓ ଟ୍ରଲି ଧରି ସାହି ସାହିରେ ଭଙ୍ଗା ଟିଣ, ଲୁହାଖଣ୍ଡ ଓ ପୁରୁଣା କାଗଜ କିଣିବାକୁ ଡ଼ାକ ଛାଡୁଥିବା ଫେରିବାଲା ରାତିରେ ଚୋରି କରିବା ଘଟଣା ଲୋକଙ୍କୁ କାବା କରି ଦେଇଛି। ନୀଳଗିରି ଥାନା ସବଇନ୍ସପେକ୍ଟର ବିରଞ୍ଜି ସାହୁ ଏହି ଚୋରି ଘଟଣାରେ ଖୋଳତାଡ଼ ଆରମ୍ଭ କରି ସ୍ଥାନୀୟ ମଙ୍ଗଳାସାହିର ବାଙ୍ଗୁରୁ ଓରଫ ଫରିଜୁଲ ଶାହା (୨୫) ଓ ଅବଦ୍ଦୁଲ ଗଫର ଶାହା (୩୨) ଏବଂ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଷ୍ଟେସନସାହି ଅଞ୍ଚଳର ଲାଲୁ ଓରଫ ରମଜାନ ଶାହା (୩୦) ଓ ମହମ୍ମଦ ମେରଜ (୩୯)କୁ ଗିରଫ କରିଥିଲେ।
ପରେ ଜଗନ୍ନାଥ ମନ୍ଦିର ନିକଟରେ କବାଡ଼ି ଗୋଦାମ କରିଥିବା ଜଗା ଓରଫ ସରୋଜ ଭୂୟାଁଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ବ୍ୟାଟେରି, ଇନଭୋର୍ଟର, ୧୦ବଣ୍ଡଲ ଲୁହା ଜାଲି, ୨ଟି ମୋବାଇଲ, ୱେଲଡ଼ିଂ ମେସିନ, ଗ୍ରାଇଣ୍ଡର, ନଗଦ ୧୫ଶହ ଟଙ୍କା ସମେତ ଚୋରିରେ ବ୍ୟବହୃତ ୨ଟି ସ୍କୁଟି ମଧ୍ୟ ଜବତ କରାଯାଇଛି। ତେବେ ଅଭିଯୁକ୍ତ ରମଜାନ ଓ ମେରଜଙ୍କୁ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୁଲିସ ଗିରଫ କରିଥିବା ବେଳେ ଅନୁରୂପ ଭାବେ ଚୋରି ସାମଗ୍ରୀ କିଣିଥିବା ନୀଳଗିରି କଚେରୀ ବଜାର ଦୁର୍ଗାମଣ୍ଡପ ଛକର ଜଣେ ଚା’ ଦୋକାନି ଏବଂ ଜଣେ ନାବାଳକକୁ ପୁଲିସ କାହିଁକି ଛାଡ଼ି ଦେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟଙ୍କୁ ୪୧(ସି) ନୋଟିସ ଦେଇ ପୁଲିସ ଛାଡ଼ିଥିବା ଯୋଗୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସମାନ ଦଫା ଓ ସମାନ ଅଭିଯୋଗ ଥାଇ ପୁଲିସ ପାତର ଅନ୍ତର କରିଛି ବୋଲି ଗିରଫ ଅଭିଯୁକ୍ତଙ୍କ ପରିବାର ବୟାନ ରଖିଛନ୍ତି। ଏହି ଗିରଫ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ହୋଇଥିବା ଯୋଗୁ ପରିସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଥିବା କୁହାଯାଉଛି।
ଥାନା ସବଇନ୍ସପେକ୍ଟର ବିରଞ୍ଚି ସାହୁଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ କହିଛନ୍ତି ଯେ, ପୁଲିସ ପରିସ୍ଥିତିକୁ ନଜର ରଖି ୪୧(ସି) ନୋଟିସ ବଳରେ ଛାଡ଼ି ପାରିବ ବୋଲି କହିଛନ୍ତି। ଏସ୍ପି ନକହିଲେ ଆମେ ଗିରଫ କରି ପାରିବୁନି ବୋଲି ଜଣାଇଛନ୍ତି। ତେବେ ଏହି ଅଭିଯୁକ୍ତଙ୍କୁ ବାଲେଶ୍ୱର ଏସପି କ’ଣ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେପଟେ ଆଇଆଇସି ଗୋପାଳ ଚନ୍ଦ୍ର କହିଛନ୍ତି ଯେ, ସେ ଅନ୍ୟ ଡ୍ୟୁଟିରେ ଥିବା ଯୋଗୁ ଏହି ଘଟଣାକୁ ନଜର ରଖିନଥିଲେ। ଉକ୍ତ ଘଟଣାରେ ସେ ନିଶ୍ଚିତ ଦୃଷ୍ଟି ଦେବେ ବୋଲି ଜଣାଇଛନ୍ତି। ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଏହି ଚୋରି ଗ୍ୟାଙ୍ଗର ମୂଳୋତ୍ପାଟନ। ନୀଳଗିରି ଥାନା ଅଞ୍ଚଳରୁ ଚୋରି କରିବା ପରେ ସ୍କୁଟିରେ ବିଭିନ୍ନ ଲୌହ ସାମଗ୍ରୀ ରାତି ଅଧିଆ ବୁହା ହୋଇ ମଙ୍ଗଳାସାହିସ୍ଥିତ ହବ୍ ସେଣ୍ଟରରେ ପହଞ୍ଚୁଥିଲା। ପୁଣି ଏଠାରୁ ବାହାରକୁ ଚାଲାଣ କରାଯାଉଥିଲା। ଏହି ଗ୍ୟାଙ୍ଗରେ ଆହୁରି ସଂଖ୍ୟାଧିକ ଅଭିଯୁକ୍ତ ଦେହଛପା ଦେଇ ରହିଛନ୍ତି। କିଛିଦିନ ପୂର୍ବରୁ ଖରା ସତ୍ତ୍ୱେ ଏମାନେ ମୁହଁରେ ମଫଲର ବାନ୍ଧି, ଦେହରେ ବେଡସିଟ ଘୋଡ଼ାଇ ଚୋରି ସାମଗ୍ରୀ ହବ୍ ସେଣ୍ଟରରେ ପହଞ୍ଚାଉଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଏମାନଙ୍କୁ ସ୍ଥାନୀୟ ସହରବାସୀ ଅଟକାଇ ଫଟୋ ଉତ୍ତୋଳନ କରିଥିଲେ ଏବଂ ତାଗିଦ କରି ଛାଡ଼ି ଦେଇଥିଲେ।



