ଆଠଗଡ଼: ଆଠଗଡ଼ ଅଞ୍ଚଳର ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ଶୁକ୍ରବାର ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଥିବା ଜଣାପଡ଼ିଛି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭୟ ଓ ତାଙ୍କ ସମର୍ଥକମାନେ ଦଳରେ ଯୋଗଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭୟଙ୍କୁ ପୁଷ୍ପଗୁଚ୍ଛ, ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଶ୍ରୀ ବାରିକ ଓ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ଅଭୟଙ୍କ ଯୋଗଦାନ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀ ଆହୁରି ମଜବୁତ୍ ଓ ସଂଗଠିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ସଭାପତି ଶ୍ରୀ ସାମଲ ଆଶାବ୍ୟକ୍ତ କରିଥିଲେ।
ଅଭୟ ପୂର୍ବରୁ ନିଜକୁ ବିଜେଡି ଦଳର ଯୁବ ସଂଗଠକ ବୋଲି କହୁଥିଲେ ମଧ୍ୟ ଶାସକ ଦଳ ତାଙ୍କୁ କୌଣସି ଦାୟିତ୍ୱ ବା ପରିଚୟ ଦେଇନଥିଲେ। ଅନେକ ସମୟରେ ଅଭୟ ବିଜେଡି ଦଳୀୟ ଚିହ୍ନ ଓ ପତାକା ଧରି ସଭାସମିତି ଓ ଶୋଭାଯାତ୍ରା କରୁଥିବା ଦେଖାଯାଉଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସିଧାସଳଖ ବିରୋଧ କରୁଥିବା ଶ୍ରୀ ବାରିକ ବିଭିନ୍ନ ସମୟରେ ଅନେକ ପ୍ରସଙ୍ଗକୁ ନେଇ ତାଙ୍କୁ ବିରୋଧ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଥିଲେ। ଏଠାରେ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳ ବିରୁଦ୍ଧରେ ଥିବା ପ୍ରସଙ୍ଗକୁ ନେଇ ସେପରି କୌଣସି ଆଖିଦୃଷ୍ଟିଆ ବିରୋଧ ବା ଆନ୍ଦୋଳନ କରୁନଥିବାବେଳେ ଅଭୟ କିନ୍ତୁ ନିୟମିତ ବିଭିନ୍ନ ପ୍ରସଙ୍ଗ ଯଥା ସମବାୟ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ଚାଷୀଙ୍କ ସମସ୍ୟା, ତିଗିରିଆରେ ପଞ୍ଚାୟତ ପ୍ରତିନିଧିଙ୍କ ବେଆଇନ ଭାବେ ଲାଭଜନକ ପଦବୀ ହାସଲ କରିବା ଆଦି ପ୍ରସଙ୍ଗରେ ବ୍ୟାପକ ଆନ୍ଦୋଳନ କରି ସ୍ଥାନୀୟ ବିଧାୟକଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିଲେ। ଗତ ୨୦୧୯ନିର୍ବାଚନରେ ଅଭୟ ସ୍ୱାଧୀନ ଭାବେ ଲଢି ୧୦୩୦୧ ଭୋଟ ପାଇଥିଲେ। ସେତେବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୯୮୧୧୪ଭୋଟ ପାଇଥିବାବେଳେ, ବିଜେପି ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ ୪୦୧୧୯ ଓ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ୧୦୯୪୫ଖଣ୍ଡ ଭୋଟ ପାଇଥିଲେ। ଆଗାମୀ ୨୦୨୪ନିର୍ବାଚନରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଭାବେ ଅଭୟ କୁମାର ବାରିକ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ପାଇଁ ଆଶା ବାନ୍ଧିଛନ୍ତି। ତେବେ ପୂର୍ବରୁ ଏଠାରେ ବିଜେପି ସଂଗଠନ ଦାୟିତ୍ୱରେ ଥିବା ଏବଂ ବିଗତ ନିର୍ବାଚନ ଗୁଡିକରେ ଦଳୀୟ ପ୍ରାର୍ଥୀ ହୋଇଥିବା ବ୍ରଜେନ୍ଦ୍ର ରାୟ, ରାମନାରାୟଣ ମହାନ୍ତି ଓ ବିକ୍ରମ କେଶରୀ ଦାଶଙ୍କ ସମେତ ଦଳୀୟ କ୍ୟାଡର ଓ ଛାମୁଆ ନେତା ଅଭୟ ବାରିକଙ୍କୁ କେତେଦୂର ଗ୍ରହଣ କରିପାରିବେ ତାହା ସମୟ କହିବ। ତେବେ ଏହା ସତ୍ତ୍ବେ ଅଭୟଙ୍କର ବିଜେପିରେ ଯୋଗଦାନ ଶାସକ ଦଳ ବିରୋଧରେ ବିରୋଧୀଙ୍କ ଶକ୍ତି ବୃଦ୍ଧି ପାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଆଠଗଡ଼ରେ ଦଳର ସମସ୍ତ ନେତା ଓ ଛାମୁଆଁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳକୁ ଆହୁରି ସଂଗଠିତ ଓ ତୃଣମୂଳସ୍ତରରେ ମଜବୁତ କରାଯିବ ଏବଂ ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜୋରଦାର ଲଢେଇ ହେବ ବୋଲି ନିଜ ପ୍ରତିକ୍ରିୟାରେ ଅଭୟ ବାରିକ ପ୍ରକାଶ କରିଛନ୍ତି। ଏଠାରେ ରାଜନୈତିକ ସମୀକରଣ ପରିବର୍ତ୍ତନ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।



