www.samajalive.in
Sunday, December 14, 2025
14.1 C
Bhubaneswar

ବାଉଁଶ ଖୁଣ୍ଟରେ ୱାଇଫାଇ ସେବା ; ଅପହଞ୍ଚ ଅଞ୍ଚଳର ଭରସା ବ୍ୟାଙ୍କ ଦିଦି

ସୋରଡ଼ା : ସାରା ଦେଶରେ ବ୍ୟାଙ୍କସେବା କ୍ଷେତ୍ରରେ ଅନେକ ସଂସ୍କାର ଆସିଛି। ୫-ଜି ନେଟୱର୍କ ସାଙ୍ଗକୁ ଡିଜିଟାଲ ସେବା ମାଧ୍ୟମରେ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କାଗଜପତ୍ରବିହୀନ ସେବା ଯୋଗାଇଦେବା ପାଇଁ ସବୁ ବ୍ୟାଙ୍କ ନିଜ ନିଜର ଜ୍ଞାନ କୌଶଳ ବୃଦ୍ଧି କରୁଥିବାବେଳେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏବେ ମଧ୍ୟ ବ୍ୟାଙ୍କ ସେବା ସାତସପନ। ମୋବାଇଲ ସେବା ନ ଥିବାରୁ ଗ୍ରାହକ ସେବା କେନ୍ଦ୍ର ମଧ୍ୟ ଖୋଲିପାରୁନି। ଏଭଳି ସ୍ଥିତିରେ ମହିଳା ଗୋଷ୍ଠୀର ଜଣେ ସଦସ୍ୟଙ୍କ ନିଆରା ପଦକ୍ଷେପ ଅପହଞ୍ଚ ଅଞ୍ଚଳରେ ବେଶ୍‌ ଉପଯୋଗୀ ହୋଇପାରିଛି। ବାଉଁଶ ଖୁଣ୍ଟରେ ୱାଇଫାଇ ଯନ୍ତ୍ର ବାନ୍ଧି ଲୋକଙ୍କୁ ଘର ଦୁଆରେ ବ୍ୟାଙ୍କ ସେବା ଯୋଗାଇ ମହିଳା ଗୋଷ୍ଠୀର ଏହି ସଦସ୍ୟା ଏବେ ବ୍ୟାଙ୍କ ଦିଦି ଭାବେ ସମସ୍ତଙ୍କ ପ୍ରିୟଭାଜନ ହୋଇଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ ବଡ଼ଗୋଛା ପଞ୍ଚାୟତରେ।
ଆଦିବାସୀ ଅଧ୍ୟୁଷିତ ବଡ଼ଗୋଛା ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ମୋବାଇଲ ସେବା ଉପଲବ୍ଧ ହେଉନାହିଁ। ସୋରଡ଼ାଠାରୁ ୬୦କିମି ଦୂର ଏହି ପଞ୍ଚାୟତବାସୀ ବ୍ୟାଙ୍କସେବା ପାଇଁ ସୋରଡ଼ା କିମ୍ବା ୪୦ କିମି ଦୂର ବଡଗଡ ଉପରେ ନିର୍ଭରଶୀଳ। ଟଙ୍କା ଉଠାଣ କିମ୍ବା ଜମା କରିବା ନିମନ୍ତେ ଏତେ ଦୂର ଯାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଠପଢ଼ାଠାରୁ ଆରମ୍ଭ କରି ଘରୋଇ
ଗ୍ୟାସ୍‍ ବୁକିଂ ଅନ୍‌ଲାଇନରେ କରିବା ଆବଶ୍ୟକ ଥିବାବେଳେ ସେମାନେ ସେଥିରୁ ବଞ୍ଚିତ। ଏଭଳି ପରିସ୍ଥିତିରେ ଏମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗ୍ରାମର କିଛି ମିଶନଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା। ମହିଳା ଗୋଷ୍ଠୀର ସଦସ୍ୟା ଝିଲ୍ଲୀ ମଲ୍ଲିକ ବିଭିନ୍ନ ବ୍ୟାଙ୍କର ବ୍ୟାବସାୟିକ ସଂଯୋଜକ ଭାବେ ମିଶନ ଶକ୍ତି ଦ୍ୱାରା ନିଯୁକ୍ତ ହୋଇ ନିଜ ଘର ଦୁଆର ମୁହଁରେ ବ୍ୟାଙ୍କସେବା ଯୋଗାଉଛନ୍ତି। ଏକ ବାଉଁଶ ସାହାଯ୍ୟରେ ୱାଇଫାଇ ମେସିନ ଲଗାଇ ପଡ଼ୋଶୀ କନ୍ଧମାଳ ଜିଲାର ମୋବାଇଲ ନେଟ୍‍ୱର୍କକୁ ସଂଯୋଗ କରି ସେବା ଯୋଗାଇ ଦେଇ ଆସୁଛନ୍ତି। ସେଠାରେ ଯାହା କିଛି ନେଣଦେଣ ହୋଇଥାଏ ସେହି ଅର୍ଥରାଶିକୁ ବ୍ୟାଙ୍କରେ ପୈଠ କରିବା ନିମନ୍ତେ ବଡଗଡ କିମ୍ବା ସୋରଡ଼ା ଆସିଥାନ୍ତି। କୌଣସି ବ୍ୟାଙ୍କ ତରଫରୁ ନିର୍ଦିଷ୍ଟ ଭାବେ ମାସିକ ଦରମା କିମ୍ବା ପ୍ରୋତ୍ସାହନ ରାଶି ତାଙ୍କୁ ମିଳୁନି। ପ୍ରତି ନେଣଦେଣ ଉପରେ ମିଳୁଥିବା ଛୋଟ ରକମର କମିଶନରେ ଏହି ସେବା ସେ ଯୋଗାଇ ଆସୁଛନ୍ତି। ବ୍ଲକ ମିଶନ ଶକ୍ତି ଜରିଆରେ ତାଙ୍କୁ କିଛି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି। ଅପହଞ୍ଚ ଅଞ୍ଚଳ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଇ ଝିଲ୍ଲୀ ମଲ୍ଲିକ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ପାଲଟିଛନ୍ତି ବୋଲି ମିଶନ ଶକ୍ତି ବିପିଏମ୍‍ ସୁଶାନ୍ତ ନାୟକ କହିଛନ୍ତି। ଏଥିନିମନ୍ତେ ସରକାରଙ୍କ ତରଫରୁ ସହାୟତା ସହିତ ସ୍ଥାୟୀ ମୋବାଇଲ ନେଟୱର୍କ ଓ ଗ୍ରାହକସେବା କେନ୍ଦ୍ର କରାଗଲେ ଉତ୍ତମ ସେବା ଯୋଗାଇଦେବା ସମ୍ଭବପର ହୋଇପାରିଥାନ୍ତା ବୋଲି ସହାୟିକା ସଂଘର ସଦସ୍ୟମାନେ କହିଛନ୍ତି। ଏନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଯଥାଶୀଘ୍ର ମୋବାଇଲ ଟାୱାର ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories