ବଡ଼ମ୍ବା: ରଗଡ଼଼ିପଡ଼ାର ଶତାଦ୍ଦି ପୁରୁଣା ଦଶଦୋଳ ମେଳଣ ଏବଂ ଏହି ଅବସରରେ ଅନୁଷ୍ଠିତ ୩ଦିନ ବ୍ୟାପି ମହୋତ୍ସବ ଉଦ୍ଘାଟିତ ହୋଇଛି। ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଗ୍ରାମ୍ୟ ଥାନାଧିପତି ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ଏହି ବାର୍ଷିକ ଉତ୍ସବ ଗ୍ରାମ୍ୟ ଭାଇଚାରା ଓ ମିଳନର ଅନନ୍ୟ ଗଡ଼଼ଯାତ ସଂସ୍କୃତି ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ନିଜ ଉଦ୍ବୋଧନରେ କହିଥିଲେ। ଆୟୋଜିତ ଦୋଳ ମେଳଣରେ ଥାନାଧିପତି ଶ୍ରୀ ରଘୁନାଥ ଦେବ, ଗ୍ରାମ୍ୟ ଦେବୀ ରାମଚଣ୍ଡି, ଦକ୍ଷିଣକାଳୀ, ଆଦିଶକ୍ତି ଏବଂ ଧବଳେଶ୍ୱରଙ୍କ ସମେତ ନିକଟସ୍ଥ ଦିନିଆରୀ ଗ୍ରାମର ଭୋଳେଶ୍ୱର ଦେବ, ସାନାବାରସିଂହର ବଁଶୀଧାରୀ, ଗଡ଼଼ାପୋଖରୀର ବାଲୁଙ୍କେଶ୍ୱର ମହାଦେବ, ଚମ୍ପେଇଦ୍ୱାରର ସିଦ୍ଧେଶ୍ବର ଦେବ, ବଡ଼ବାରସିଂହ ଗ୍ରାମର ନୀଳକଣ୍ଠେଶ୍ୱର, ମଙ୍ଗଳପୁରର ରଘୁନାଥ ଦେବଙ୍କ ବିଜେ ପ୍ରତିମା ସୁସଜ୍ଜିତ ବିମାନରେ ଆମନ୍ତ୍ରଣ କ୍ରମେ ଯୋଗ ଦେଇଥିଲେ। ପରମ୍ପରାନୁଯାଇ ଧାଡ଼ି ପଟୁଆରରେ ଠାକୁରମାନେ ଚାଚେରୀ ଭୋଗଲାଗି ରଗଡ଼଼ିପଡ଼ାର ବିଭିନ୍ନ ସାହି ପରିକ୍ରମା କରିଥିଲେ। ସେହିଭଳି ଶହଶହ ଶ୍ରଦ୍ଧାଳୁ ମେଳଣ ପଡ଼ିଆରେ ଠାକୁରମାନଙ୍କ ଦର୍ଶନ ଲାଭ କରିଥିଲେ।
ଏହି ପାରମ୍ପରିକ ଉତ୍ସବ ଅବସରରେ ଅନୁଷ୍ଠିତ ଦୋଳ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉଦ୍ଘାଟକ ତଥା ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ରବୀନ୍ଦ୍ରକୁମାର ସାହୁ,ସ୍ଥାନୀୟ ସରପଞ୍ଚ ସତ୍ୟଭାମା ରାଉତ, ସମିତିସଭ୍ୟ ଭଗବାନ ବେହେରା, ଗ୍ରାମ୍ୟ କମିଟି ସଭାପତି ଶିକ୍ଷକ ଦୀନବନ୍ଧୁ ପୃଷ୍ଟି, ସାନବାରସିଂହ ସରପଞ୍ଚ ସଦାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଆକର୍ଷଣୀୟ ରଙ୍ଗୀନ ଆଲୋକମାଳାରେ ମେଳା ପଡ଼ିଆ ଝଲୁସିଥିବା ବେଳେ ବିଭିନ୍ନ କିସମର ଚିତ୍ତାକର୍ଷକ ଆତସବାଜି ଏବଂ ରଙ୍ଗାରଙ୍ଗ ମେଲୋଡ଼ି ଦେଖିବାକୁ ହଜାରହଜାର ଦର୍ଶକଙ୍କ ସମାଗମ ଉତ୍ସବରେ ଦେଖିବାକୁ ମିଳିଥିଲା। ଉତ୍ସବ କମିଟିର ଉପଦେଷ୍ଟା ବିପିନବିହାରୀ ସାହୁ, ବିବିଧ କୁମାର ସାହୁ, ସୁବାଷଚନ୍ଦ୍ର ସାହୁ, ଅକ୍ଷୟ କୁମାର କରଣ, କାଶିନାଥ ସାହୁ, ଆହ୍ଲାଦ କୁମାର ନାୟକ, ବୈକୁଣ୍ଠନାଥ ବେହେରା, ପବିତ୍ର ସାହୁ, ରତ୍ନାକର ସ୍ୱାଇଁ, ଇଂ.ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ସୁକାନ୍ତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଶିବାନନ୍ଦ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।



