ବାରିପଦା: ମୟୂରଭଞ୍ଜ ଜିଲା ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି ଘାଟିରେ ଯାଉଥିବା ଗୋଟିଏ ଟ୍ରକ ପଛରେ ଏକ ଯାତ୍ରୀବାହୀ ବସ ପିଟି ହୋଇଯାଇଛି। ଫଳରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜୟ ହନୁମାନ ନାମକ ଏକ ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ବାଙ୍ଗିରିପୋଷି ଘାଟିରେ ହଠାତ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା। ଫଳରେ ଯାତ୍ରୀବାହୀ ବସର ସାମ୍ନା କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତରଖାନା ପଠାଇଥିଲେ।



