www.samajalive.in
Saturday, December 13, 2025
26.1 C
Bhubaneswar

ଚଇତିରେ କଳାହାଣ୍ଡିକୁ ମେଡିକାଲ କଲେଜ ଭେଟି

ଭୁବନେଶ୍ୱର : ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲାବାସୀଙ୍କ ଆନନ୍ଦ ଉଲ୍ଲାସର ପର୍ବ ଚଇତିପର୍ବ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ ଉପହାର ଦିଆଯାଇଛି। ବେଦାନ୍ତ ସହଭାଗିତାରେ ଭବାନୀପାଟଣାଠାରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜରେ ୫୦୦ ଶଯ୍ୟା ରହିବା ସାଙ୍ଗକୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ୧୦୦ଟି ଖୋଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଦୁର୍ଗମ ଅଞ୍ଚଳ କଳାହାଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳବାସୀ ସବୁ ପ୍ରକାର ଜଟିଳ ରୋଗର ଚିକିତ୍ସା ସୁବିଧାରେ ପାଇପାରିବେ। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ ହୋଇପାରିବ। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଥିବାବେଳେ କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠା କରି ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ଏକ ନୂତନ ଫର୍ଦ ଯୋଡିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ। ରାଜ୍ୟରେ ଇତିମଧ୍ୟରେ ଏସ୍‌ସିବି, ଭିମ୍‌ସାର, ଏମ୍‌କେସିଜି, କୋରାପୁଟ ଓ ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ଆସନ୍ତା ଶିକ୍ଷାବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ପାଠପଢ଼ା ପାଇଁ ସରକାର ସବୁ ପ୍ରକାର କାର୍ଯ୍ୟ ସମ୍ପାଦନା କରିଛନ୍ତି। ଏହାବାଦ୍‌ ପୁରୀଠାରେ ମେଡିକାଲ କଲେଜ କାର୍ଯ୍ୟ ଆଗେଇ ଚାଲିଥିବାବେଳେ କଳାହାଣ୍ଡର ମେଡିକାଲ କଲେଜ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଏଥିପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଇଞ୍ଜିନିୟରିଂ କଲେଜ, କୃଷି କଲେଜ, ପଲିଟେକ୍‌ନିକ କଲେଜ, ନର୍ସିଂ କଲେଜ କଳାହାଣ୍ଡିରେ ପ୍ରତିଷ୍ଠା ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ କରିଛନ୍ତି। ବେଦାନ୍ତ ସହଭାଗିତାରେ କଳାହାଣ୍ଡି ଜିଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ୧୦୦ ସିଟ୍‌ ଖୋଲିବ। ଏହାବାଦ୍‌ ସୁନ୍ଦରଗଡ଼ଠାରେ ଏନ୍‌ଟିପିସି ଏବଂ ତାଳଚେରଠାରେ ଏମ୍‌ସିଏଲ୍‌ ସହଭାଗିତାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଏବେ ବିଭିନ୍ନ ମେଡିକାଲ କଲେଜରେ ୮୫୦ ସିଟ୍‌ ରହିଥିବାବେଳେ ଆସନ୍ତା ବର୍ଷ ଏହା ୧୦୫୦ ସିଟ୍‌କୁ ବୃଦ୍ଧି ପାଇବ। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ବର୍ଷକୁ ରାଜ୍ୟରୁ ୧୫୫୦ ଡାକ୍ତର ବାହାରିବେ। ଏହାବ୍ୟତୀତ ସମ୍‌ହସ୍ପିଟାଲ, ହାଇଟେକ୍‌, କିମ୍‌ସ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ୪୦୦ ଏମ୍‌ବିବିଏସ୍‌ ସିଟ୍‌ରେ ପାଠ୍ୟକ୍ରମ ଚାଲୁ ରହିଛି। ଏହି ସମସ୍ତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍‌ ବାଲକ୍ରିଷ୍ଣନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ଭି ଭି ଶର୍ମା, ଗୃହବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ଶାସନ ସଚିବ ସୁରଜିତ ଦାସ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଅତିରିକ୍ତ ଶାସନ ସଚିବ ଶରତ ଚନ୍ଦ୍ର ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ଜି ଜି ଦେବତାଙ୍କ ସହ ବହୁ ପଦସ୍ଥ ଅଧିକାରୀ ସାମିଲ ଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍‌ଇଟି ନିର୍ଦେଶକ ସୋନାମାଲି ବାଗ୍‌ ଏବଂ ବେଦାନ୍ତ ପକ୍ଷରୁ କର୍ପୋରେଟ୍‌ ଷ୍ଟ୍ରାଟେଜି ନିର୍ଦେଶକ ରାହୁଳ ଶର୍ମା ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ ଧନ୍ୟବାଦ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories