ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ପିପିଲିଠାରେ ବାଇପାସ୍ ରାସ୍ତା ନିର୍ମାଣ ହେବା ପରଠାରୁ ଅଧିକାଂଶ ଯାତ୍ରୀବାହୀ ବସ୍ ନିୟମ ଖିଲାପ କରି ପିପିଲି ବଜାର ଦେଇ ଯାଉନଥିବାରୁ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଯାତ୍ରୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଅଧିକାଂଶ ଯାତ୍ରୀବାହୀ ବସ୍ ଓ ସିଟି ବସ୍ଗୁଡିକ ବାଇପାସ୍ ରାସ୍ତା ଦେଇ ଚଳାଚଳ କରିବା ଫଳରେ କଟକ, ଭୁବନେଶ୍ୱର, ପୁରୀ, ନିମାପଡ଼ା, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଆଦି ଅଞ୍ଚଳକୁ ଯିବା ଲାଗି ପିପିଲି ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ଶ୍ରମିକ, ରୋଗୀ, ଶିଶୁ, ବୟସ୍କ ବ୍ୟକ୍ତି ଓ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିପିଲି ବଜାର ମଧ୍ୟ ଦେଇ ଗାଡି ଚଳାଚଳ ନକରିବା ଫଳରେ ପିପିଲି ଟୋଲଗେଟ୍ ଛକ ଓ ବାଇପାସ ରାସ୍ତାର ଓଭରବ୍ରିଜ ଛକଠାରେ ଯାତ୍ରୀମାନଙ୍କୁ ବସ୍ଗୁଡିକ ଓହ୍ଲାଇ ଦେଉଛନ୍ତି। ଫଳରେ ସେମାନେ ପିପିଲି ବଜାରକୁ ଆସିବା ପାଇଁ ନାନା ସମସ୍ୟା ଭୋଗୁଥିବା ବେଳେ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଏପରିକି ରାତି ସମୟରେ ଯାତ୍ରୀମାନେ ଏକୁଟିଆ ବାଇପାସ ରାସ୍ତାରୁ ପିପିଲି ବଜାରକୁ ଆସିବାକୁ ନିରାପଦ ମଣୁନଥିବା ଜଣାଯାଇଛି। ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛି କଂଗ୍ରେସ। ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳଙ୍କୁ ଭେଟି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ପିପିଲି ବଜାର ମଧ୍ୟ ଦେଇ ଯାତ୍ରୀବାହୀ ବସ୍ ଚଳାଚଳ ନକରିବା ଘଟଣାକୁ ନେଇ ଆଡ୍ଭୋକେଟ୍ ନିଶିକାନ୍ତ ମିଶ୍ର ୨୦୧୩ ମସିହାରୁ ଲଗାତର ଭାବେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଏନେଇ ଶ୍ରୀମିଶ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଙ୍କ ଠାରୁ ଆରମ୍ଭ କରି ପରିବହନ କମିଶନ, ପୁରୀ ଜିଲାପାଳ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ପିପିଲି ବଜାର ମଧ୍ୟ ଦେଇ ଯାତ୍ରୀବାହୀ ବସ୍ ଗୁଡିକ ଯିବାଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, କଟକ ଗତ ୨୦୧୩ ଡିସେମ୍ବର ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କ୍ରମେ ତତ୍କାଳୀନ ପିପିଲି ତହସିଲଦାରଙ୍କ ଅଧ୍ୟକ୍ଷତାରେ ୨୦୧୪ ଜାନୁଆରୀ ୪ ତାରିଖରେ ଏକ ବୈଠକ ହୋଇଥିଲା। ବୈଠକ ନିଷ୍ପତ୍ତି ଅନୁଯାଇ, ପିପିଲି ପୁଲିସ, ଆର୍ଟିଓ କର୍ମଚାରୀମାନେ ସେହିମାସ ୭ଓ ୮ ତାରିଖରେ ଭୋଗୁଆବାଙ୍କ ଛକଠାରେ ଉପସ୍ଥିତ ରହି ଯାତ୍ରୀବାହୀ ବସ୍ଗୁଡିକୁ ପିପିଲି ବଜାର ମଧ୍ୟ ଦେଇ ଯିବାଲାଗି ସଚେତନ କରାଇଥିଲେ। ସେହିଦିନ ଠାରୁ କିଛି ମାସ ପର୍ଯ୍ୟନ୍ତ ବସ୍ ଗୁଡିକୁ ପିପିଲି ବଜାର ମଧ୍ୟ ଦେଇ ଚଳାଚଳ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅଧିକାଂଶ ବସ୍ ପୂର୍ବ ପରି ପିପିଲି ବଜାର ପରିବର୍ତ୍ତେ ପିପିଲି ବାଇପାସ ରାସ୍ତା ଦେଇ ଚଳାଚଳ କରୁଛନ୍ତି। ଫଳରେ ସାଧାରଣ ଲୋକେ ନାନା ହଇରାଣ ହେଉଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ପିପିଲି ଏସ୍ଡିପିଓଙ୍କୁ ଏକ ଦାବିପତ୍ର ଦିଆଯିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି। କଂଗ୍ରେସର ଏହି ପ୍ରତିନିଧି ଦଳରେ ପିପିଲି ଏନ୍ଏସି କଂଗ୍ରେସ କମିଟି ଅଧ୍ୟକ୍ଷ ସେକ୍ ମେହେବୁବ, ଭରତ ଜେନା, ଭରତ ବାରିକ, ମାନସ ଦାଶ, ରଞ୍ଜିତ ମହାପାତ୍ର, ଦେବରାଜ ସାହୁ, ସୁରେନ୍ଦ୍ର ସେଠୀ, ଏମ୍ଡି ଆରିଫ ପ୍ରମୁଖ ଉପସ୍ଥିତ ଥିଲେ।



