www.samajalive.in
Saturday, December 13, 2025
26.1 C
Bhubaneswar

ଖୋଲିବ ରତ୍ନଭଣ୍ଡାର

ମିଳିଲା ଅନୁମତି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ତାହାକୁ ଖୋଲିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଓ ବିଧି ବ୍ୟବସ୍ଥା ପାଳନ କରିବାକୁ ଚିଠିରେ କୁହାଯାଇଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗର ଜରୁରୀ ବୈଠକ ଡାକିଛି। ଗୁରୁବାର ଅପରାହ୍ଣରେ ସେବକ ନିଯୋଗ କର୍ମକର୍ତ୍ତାଙ୍କ ସହ ପ୍ରଶାସନ ଏ ସମ୍ପର୍କରେ ଆଲୋଚନା କରିବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତହେବ। ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଥିବାରୁ
ଏଥିପାଇଁ କମିଟି ଗଠନ କରାଯିବ। ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଯାଇଛି। କେବେ ଖୋଲାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ଏବଂ କୋର୍‍ କମିଟି ବିଶେଷଜ୍ଞ ରତ୍ନଭଣ୍ଡାର ଭିତରେ ପ୍ରବେଶ କରି ଛାତ, କାନ୍ଥ ଓ ଚଟାଣ ସ୍ଥିତି ଟିକିନିଖି ଭାବେ ଅନୁଧ୍ୟାନ କରିବେ। ସେଥିରେ ରହିଥିବା ସୁନାରୁପା କିମ୍ବା ହୀରାନୀଳା ଅଳଙ୍କାର ଆକଳନ କରାଯିବ ନାହିଁ। ଏଏସ୍‍ଆଇ ତଦାରଖ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯିବ। ଯଦି ଆବଶ୍ୟକ ହୁଏ ତେବେ ରତ୍ନଭଣ୍ଡାର ମରାମତି କରାଯିବ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ରୁଲସ୍‍ – ୧୯୬୦ର ଧାରା ୫ ଓ ୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରଶାସନ କମିଟି ଗଠନ କରିବା ସହ ନିର୍ଦେଶାବଳୀ ପ୍ରସ୍ତୁତ କରିବ। ପୁରୀ ସରକାରୀ ଟ୍ରେଜେରୀରେ ରହିଥିବା ରତ୍ନଭଣ୍ଡାର ଚାବି ଖୁବ୍‍ଶୀଘ୍ର ଅଣାଯିବ। ରତ୍ନଭଣ୍ଡାର ଖୋଲିବା ବେଳେ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସକ, ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ପରିଚାଳନା କମିଟିର ୨ଜଣ ସଭ୍ୟ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ହାଇକୋର୍ଟ ଗତ ୨୨ତାରିଖ ଦିନ ନିର୍ଦେଶ ଦେଇଥିଲେ। ତାହାକୁ ଭିତ୍ତିକରି ରାଜ୍ୟ ସରକାରଙ୍କଠାରୁ ମନ୍ଦିର ପ୍ରଶାସନ ଅନୁମତି ମାଗିଥିଲା। ରାଜ୍ୟ ଆଇନ ବିଭାଗ ଏଥିପାଇଁ ସର୍ତ୍ତମୂଳକ ଭାବେ ଅନୁମତି ଦେଇଛି। ବୁଧବାର ହେବାକୁଥିବା ପରିଚାଳନା କମିଟି ଏବଂ ଗୁରୁବାର ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ନୂଆ ପରିଚାଳନା କମିଟି ଗଠନ ପରେ ପ୍ରତି ୩ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ମୂଲ୍ୟବାନ ଗହଣା ଗୁଡିକର ଯାଞ୍ଚ କରିବା ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ବ୍ୟବସ୍ଥା ରହିଛି। ତେବେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏବେ କେବଳ ରତ୍ନଭଣ୍ଡାର ସ୍ଥାୟୀତ୍ୱ ନେଇ ଯାଞ୍ଚ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି। ଏହାପୂର୍ବରୁ ୧୯୦୫, ୧୯୨୬, ୧୯୭୮ ଏବଂ ୧୯୮୫ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ଯାଇଥିଲା। ବର୍ତ୍ତମାନ ଏଥିପାଇଁ ସ୍ୱତନ୍ତ୍ର ନିର୍ଦେଶାବଳୀ (ଏସ୍‍ଓପି) କାର୍ଯ୍ୟକାରୀ କରିବାକୁ ପ୍ରଶାସନ ସ୍ଥିର କରିଛି। ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଯେପରି ସୁରକ୍ଷିତ ଏବଂ ସ୍ୱଚ୍ଛ ରହିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ତେଣୁ ରତ୍ନଭଣ୍ଡାର ଭିତରେ ପ୍ରବେଶ ପୂର୍ବରୁ ବିଶେଷଜ୍ଞ ଏବଂ କମିଟି ସଭ୍ୟଙ୍କୁ ଯାଞ୍ଚ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories