ପାତ୍ରପୁର: ଜନ୍ମ ଦେଇ ବଡ଼ କରିଥିବା ବାପା ହାତରେ ଚାଲିଗଲା ପୁଅର ଜୀବନ । ନୃସିଂହ ବାପା କୌଣସି କାରଣକୁ କେନ୍ଦ୍ର କରି ପୁଅକୁ ଛୁରୀ ମାରି ହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ଜରଡ଼ା ଥାନା ଧାଡିଆମ୍ବ ଆଦିବାସୀ ଗ୍ରାମରେ। ବାପା ବାଉରିଆ ବିଷୋୟୀ ନିଜ ସାନପୁଅ ପ୍ରତାପ ଶବରକୁ ଏକ ଧାରୁଆ ଛୁରୀରେ ଭୁଷି ହତ୍ୟା କରିଛି । ଘଟଣାର ଖବର ଶୁଣି ଜରଡ଼ା ଥାନା ଆଇଆଇସି ସୁନୀଲ ବେହେରା ନିଜ ଟିମ ସହିତ ପହଞ୍ଚି ହତ୍ୟାକାରୀ ବାପାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛନ୍ତି।
ଏହି ଘଟଣା ନେଇ ପ୍ରତାପ ଶବରଙ୍କ ସ୍ତ୍ରୀ ଜେମା ଶବରଙ୍କ ଏତଲା ପ୍ରକାରେ, ଶୁକ୍ରବାର ସକାଳେ ପ୍ରତାପ ତାଙ୍କ ବାପାଙ୍କୁ ଗୋଟିଏ ଭୋଜିକୁ ଯିବା ପାଇଁ ଡାକିବାକୁ ଯାଇଥିଲେ। ହେଲେ ବାପା ଵାଉରିଆ ହଠାତ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ପ୍ରତାପଙ୍କ ଡାହାଣ କାନ୍ଧ ପାଖକୁ ଭୁଷି ଦେଇଥିଲେ। ଯାହା ଫଳରେ ସେ ତଳେ ପଡି ଯାଇଥିବା ବେଳେ ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଜରଡ଼ା ଥାନା ପକ୍ଷରୁ ଏକ ହତ୍ୟା ମାମଲା ୭୯/୨୩ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି ସୂଚନା ଦେବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା କହିଛନ୍ତି । ମୃତ ପ୍ରତାପଙ୍କ ନିଜ ଗାଁ ପାହାଡ଼ ଉପରେ ଥିବା ବୁରତାଲ ପଂଚାୟତର ବଡ଼ଗାଁ ହୋଇଥିବା ବେଳେ ଦତ୍ତ ପୁତ୍ର ଭାବେ ସେ ଧାଡିଆମ୍ବ ଗ୍ରାମରେ ନିଜ ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅ ସହିତ ରହୁଥିଲେ। ସେହି ଗ୍ରାମରେ ହିଁ ପ୍ରତାପଙ୍କ ବାପା ମଧ୍ୟ ଅନ୍ୟ ଏକ ଘରେ ରହୁଥିଲେ।



