www.samajalive.in
Sunday, December 7, 2025
15.1 C
Bhubaneswar

ସମାଜ ବ୍ୟବସ୍ଥା ଓ ସାମାଜିକ କର୍ମୀ

ଆମ ସମାଜରେ ସାଧାରଣ ବ୍ୟକ୍ତିଟିଏ ଗତାନୁଗତିକ ଜୀବନଟିଏ ବଞ୍ଚେ। ନିଜର ତଥା ପରିବାର ସଦସ୍ୟମାନଙ୍କର ଜୀବନଧାରଣ ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ତା’ର ଅଧିକାଂଶ ସମୟ ଓ ଶକ୍ତି ଅପଚୟ ହୋଇଥାଏ। ଆଉ କିଛି ଆର୍ଥିକ ସ୍ବଚ୍ଛଳ ଶ୍ରେଣୀର ବ୍ୟକ୍ତିଙ୍କର ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତାର ଅଭାବ ନଥିବାବେଳେ ଆହୁରି ଅଧିକ ସଂପତ୍ତି ଠୁଳ କରିବା କିମ୍ବା ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ଆଦିରେ ସେମାନେ ବ୍ୟସ୍ତ ହୋଇ ସମୟ ନଷ୍ଟ କରିଥାନ୍ତି। ସମାଜର ସାମୂହିକ ହିତ ସାଧନ ନିମନ୍ତେ ସେମାନେ କିଛି କରିପାରନ୍ତି ନାହିଁ; କିନ୍ତୁ ପ୍ରଚଳିତ ଆଇନ ଏବଂ ପ୍ରଶାସନିକ ବ୍ୟବସ୍ଥା ସତ୍ତ୍ବେ ଆମର ସାମାଜିକ ଜୀବନରେ ଅନେକ ବିଲକ୍ଷଣ ଦୃଷ୍ଟିଗୋଚର ହୋଇଥାଏ। ଉଦାହରଣ ସ୍ବରୂପ ଅନେକ ଗରିବ ପରିବାର ସରକାରୀ ବ୍ୟବସ୍ଥାର ଲାଭ ପାଇପାରନ୍ତି ନାହିଁ। ଅଳ୍ପ ମୂଲ୍ୟରେ ​‌େ​‌ରସନ ପାଇବାର ଯୋଗ୍ୟତାଥିବା ସତ୍ତ୍ବେ ବିଭିନ୍ନ ବ୍ୟବସ୍ଥାଗତ ତ୍ରୁଟି ପାଇଁ ସେମାନେ ଏହା ପାଇପାରନ୍ତି ନାହିଁ ଏବଂ ଖାଦ୍ୟାଭାବରେ ରହନ୍ତି। ଏଭଳି ବ୍ୟକ୍ତିମାନେ ଅଗତ୍ୟା ଯାହା ପାଖକୁ ଯାଇ କିଛି ସାହାଯ୍ୟ ପାଇପାରନ୍ତି ଏବଂ ସରକାରୀ ଯୋଗାଣ ବ୍ୟବସ୍ଥାର ସୁବିଧା ନେଇପାରନ୍ତି, ସେହି ବ୍ୟକ୍ତି ଜଣକ ଜଣେ ସମାଜସେବୀ ବା ସାମାଜିକ କର୍ମୀ। ଆମର ପ୍ରଚଳିତ ସମାଜ ବ୍ୟବସ୍ଥାରେ ଏହି ସମାଜସେବୀମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏମାନେ ପ୍ରଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରନ୍ତି। ଏମାନେ ନିଜର ମୂଲ୍ୟବାନ ସମୟ ଖର୍ଚ୍ଚକରି ବିଭିନ୍ନ ସରକାରୀ ଦପ୍ତରମାନଙ୍କୁ ଯାଆନ୍ତି ଏବଂ ବ୍ୟକ୍ତିଟିକୁ ନ୍ୟାୟପ୍ରଦାନ କରାଇଥାନ୍ତି। ସଚ୍ଚା ସମାଜସେବୀମାନେ ଜନସାଧାରଣଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇ ଥାଆନ୍ତି ଏବଂ ଏଥିପାଇଁ ସେମାନେ କୌଣସି ଅର୍ଥ ଦାବି କରନ୍ତି ନାହିଁ। ଏମାନେ ବଞ୍ଚିତ ଏବଂ ଶୋଷିତ ଜନତାର ବନ୍ଧୁ ଅଟନ୍ତି। ସରକାରୀ ବଳ ଏବଂ ପ୍ରଶାସନ ସବୁବେଳେ ଏମାନଙ୍କୁ ସମ୍ମାନ ଦେବା ଉଚିତ୍‌। ଏହା ବ୍ୟତିକ୍ରମ ହେଲେ ଆମର ସମାଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।
ଆଧୁନିକ ସମୟରେ ସୂଚନା ବିଜ୍ଞାନ ଏବଂ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଫଳରେ ଆମର ସାମାଜିକ ବ୍ୟବସ୍ଥାର ଦ୍ରୁତ ପରିବର୍ତ୍ତନ ହେଉଛି। ଆମର ରକ୍ଷଣଶୀଳ ପାରିବାରିକ ବ୍ୟବସ୍ଥା ଆଉ ନାହିଁ। ବିବାହ ପୂର୍ବରୁ ପୁଅଝିଅମାନେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ଏହା କ୍ରମେ ଶାରୀରିକ ସମ୍ପର୍କରେ ରୂପାନ୍ତରିତ ହେବା ଏକ ସାଧାରଣ କଥା ହେଲାଣି। ସେହିପରି ବିବାହ ପରେ ମଧ୍ୟ ଅନ୍ୟ ପୁରୁଷ ଏବଂ ନାରୀ ସହିତ ବିବାହ ବାହାର ସମ୍ପର୍କ ବହୁଳଭାବେ ଦେଖାଯାଉଛି। ଏଥିରେ ଆମର ସାମାଜିକ ବ୍ୟବସ୍ଥା ଅତିମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଶାରୀରିକ ସମ୍ପର୍କ ପରେ ଗର୍ଭଧାରଣ ଏବଂ ସନ୍ତାନ ପ୍ରସବ ହେଉଛି କିନ୍ତୁ ପୁରୁଷଟି ବିବାହ କରିବାକୁ ମନା କରିଦେଉଛି। ଫଳରେ ଅନ୍ୟ ଉପାୟ ନପାଇ ଝିଅଟି ପୁଅଘର ଆଗରେ ଧାରଣାରେ ବସିବା ଦେଖାଯାଉଛି। ଏମାନେ ସାଧାରଣତଃ ପୁଲିସ କିମ୍ବା ପ୍ରଶାସନ ପାଖରୁ କିଛି ସାହାଯ୍ୟ ପାଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ କିଛି ସାମାଜିକକର୍ମୀ ଏମାନଙ୍କୁ ନୈତିକ ସାହସ ଦେଇ ପୁଲିସ କିମ୍ବା କୋର୍ଟ କଚେରିରୁ କିଛି ସାହାଯ୍ୟ ପାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ଆଉ କିଛି ସମାଜସେବୀ ଯୁବପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଏଭଳି କର୍ମରୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଉଦ୍ୟମ ସର୍ବଦା ସ୍ବାଗତଯୋଗ୍ୟ ଏବଂ ଆମ ସମାଜ ବ୍ୟବସ୍ଥାର ଜୀବନ ନାଟିକା ସଦୃଶ।
ସାଧାରଣତଃ ଦେଖାଯାଉଛି ଯେ ପ୍ରେମରେ ଧୋକା ଖାଇବା, ଅବାଞ୍ଛିତ ଗର୍ଭଧାରଣ କରିବା, ଯୌତୁକ ନିର୍ଯାତନା, ବୋହୂ ଉପରେ ଅତ୍ୟାଚାର ଆଦି ଯାବତୀୟ ପାରିବାରିକ ସମସ୍ୟାରେ ପୀଡିତ ବ୍ୟକ୍ତିଟି ପୁଲିସ ପାଖରୁ ଉପଯୁକ୍ତ ସହାନୁଭୂତି ଏବଂ ନ୍ୟାୟ ପାଏ ନାହିଁ। ସ୍ବାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଘଟି ପରସ୍ପରଠାରୁ ଅଲଗାହେବା ଘଟଣା ମଧ୍ୟ ଆଜିକାଲି ଅନେକ ଦେଖାଦେଲାଣି। ଏଭଳି ପରିସ୍ଥିତିରେ ଅନେକ ସମୟରେ ପୁଲିସ ସମସ୍ୟାର ମୂଳକୁ ଯାଇ ଉଭୟ ପକ୍ଷ ସହିତ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବା ଉଚିତ୍‌। ମାତ୍ର ଏଭଳି ପ୍ରାୟ ହୁଏ ନାହିଁ ଏବଂ ପୁଲିସ କେସଟିଏ ଦରଜ କରିଦେଇ ଅଦାଲତ ଆଡ଼କୁ ସମସ୍ୟାକୁ ଠେଲିଦେଇ ବସିଯାଏ। ଅଦାଲତଗୁଡ଼ିକର ସମୟ ସାପେକ୍ଷ ବିଚାର ପଦ୍ଧତି ପୀଡ଼ିତକୁ ତୁରନ୍ତ ନ୍ୟାୟ ଦେଇପାରେ ନାହିଁ। ଏଣୁ ସେ ଭବିଷ୍ୟତ ଚିନ୍ତାରେ ବ୍ୟତିବ୍ୟସ୍ତ ହୁଏ। ସନ୍ତାନ ସନ୍ତତିମାନଙ୍କର ଭବିଷ୍ୟତ ମଧ୍ୟ ନଷ୍ଟ ହୁଏ। ଏଭଳି ସମୟରେ କିଛି ସାମାଜିକକର୍ମୀ ଶ୍ରମ ସ୍ବୀକାର କରି ସମସ୍ୟାର ମୂଳକୁ ଯାଇ ସମାଧାନର ସୂତ୍ର ଖୋଜିଥାଆନ୍ତି।
କେବଳ ସାମାଜିକ ଏବଂ ପାରିବାରିକ ସମସ୍ୟା ନୁହେଁ ବରଂ ଗାଁ ଗାଁ ଏବଂ ସାହିସାହି ମଧ୍ୟରେ ବିବାଦର ସମାଧାନ ପାଇଁ ସାମାଜିକ କର୍ମୀମାନଙ୍କୁ ଖୋଜା ପଡେ। ଅନେକ ସମୟରେ ପରିବେଶ ଜନିତ ସମସ୍ୟାରେ ଏହି ସାମାଜିକ କର୍ମୀମାନେ ସରକାର ଏବଂ ପରିବେଶ ଅଦାଲତର ଦ୍ବାରସ୍ଥ ହୋଇ ସମାଧାନର ରାସ୍ତା ଖୋଜି ଥାଆନ୍ତି। କାଠ ମାଫିଆ ଦ୍ବାରା ଜଙ୍ଗଲ ନଷ୍ଟ, ବାଲି ମାଫିଆ ଦ୍ବାରା ନଦୀର ପରିବେଶ ନଷ୍ଟ ଏବଂ ପଥର ମାଫିଆ ଦ୍ବାରା ପାହାଡ଼ ଧ୍ବଂସ ଆଦି ସମାଜର ସମାଧାନ ପାଇଁ ଜନସାଧାରଣ ସାମାଜିକ କର୍ମୀମାନଙ୍କ ମଧ୍ୟସ୍ଥତାରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।
ଯଦିଓ ସାମାଜିକ କର୍ମୀମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ, ଏମାନେ ସରକାରଙ୍କଠାରୁ କୌଣସି ସହାୟତା ପାଇନଥାନ୍ତି। ଏମାନଙ୍କର ରେଜି​ଷ୍ଟ୍ରେ‌ସନ କରିବାର କୌଣସି ସରକାରୀ ବ୍ୟବସ୍ଥା ନଥିବାରୁ କେତେକ ସ୍ବାର୍ଥପର ଏବଂ ଲୋଭୀ ମଣିଷ ନିଜକୁ ସାମାଜିକ କର୍ମୀ କହି ନିରୀହ ଜନସାଧାରଣମାନଙ୍କୁ ଶୋଷଣ କରିଥାଆନ୍ତି। ଏଣୁ ସମୟର ଆହ୍ବାନ ସଚ୍ଚା ସାମାଜିକ କର୍ମୀମାନଙ୍କୁ ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରଦାନ କରାଯାଉ ଏବଂ ଏମାନଙ୍କୁ ଏମାନଙ୍କ କାମ ଅନୁସାରେ A,B,C ଆଦି ବର୍ଗୀକରଣ କରାଯାଉ। ପୁଲିସ ପାଖରେ ପଞ୍ଜିକୃତ କେସ୍‌ଗୁଡ଼ିକୁ ଅଦାଲତ ବାହାରେ ସମାଧାନ କରିବାରେ ଏମାନଙ୍କର ପରିଶ୍ରମ ଏବଂ ଭୂମିକା ବିଚାରକୁ ନେଇ ଏମାନଙ୍କୁ ସରକାରଙ୍କ ଦ୍ବାରା କିଛି କ୍ଷତି ପୂରଣ ଅର୍ଥ ଆକାରରେ ପ୍ରଦାନ କରାଗଲେ ସେମାନେ ଏଭଳି କାମ ଅଧିକ ଉତ୍ସାହରେ କରିବେ।
ସମୟର ଆହ୍ବାନ ଏହା ଯେ ସାମାଜିକ କର୍ମୀମାନଙ୍କୁ ସାମାଜିକ ଏବଂ ଆର୍ଥିକ ସ୍ବୀକୃତି ପ୍ରଦାନ କରାଯାଉ। ପାରିବାରିକ, ଚିକିତ୍ସାଗତ, ଶିକ୍ଷାଗତ, ପରିବେଶ ଜନିତ ସମସ୍ୟାରେ ଜର୍ଜରିତ ହୋଇ ବ୍ୟକ୍ତିଟି ସରକାରୀ ଦପ୍ତର ଏବଂ ବ୍ୟବସ୍ଥାରୁ ହତାଶ ହୋଇ ଯାହା ପାଖକୁ କିଛି ସାହାଯ୍ୟ ପାଇବା ପାଇଁ ଦୌଡ଼ିଯାଏ, ସେଭଳି ବ୍ୟକ୍ତିଟିକୁ ଉପଯୁକ୍ତ ସମ୍ମାନ ଦେଇ ପାରିଲେ ଆମର ସାମାଜିକ ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳିତ ହେବ।

ଅତୁଲ୍ୟ ଚରଣ ଦେବତା
ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌, ରାଉରକେଲା
ଦୂରଭାଷ:୮୮୯୫୫୦୦୫୭୦

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories