କଳାଫର୍ଦରେ ପଞ୍ଚାୟତିରାଜ

0
-ମନରେଗାରେ ବ୍ୟାପକ ଅନିୟମିତତା, -୩୧୧୫କୋଟି ଟଙ୍କା ପ୍ରଦାନରେ ବିଳମ୍ବ
-କାମ ନ କରି ମୂଲ; କାମ କରି କମ୍‍ ମଜୁରି,  -ରାଜୀବ ଆବାସରେ ବ୍ୟାପକ ତଞ୍ଚକତା
-ଅସ୍ୱଚ୍ଛରେ ଗତି କରୁଛି ସ୍ୱଚ୍ଛଭାରତ ମିଶନ, -୬୫ହଜାର କୋଟି ଟଙ୍କାର ଖଣି ମାମଲା ଗଡୁଛି
-ଭାର୍ଗବୀ, ପାଣ୍ଡରା ସେତୁରେ ବୁଡ଼ିଛି ୧୩୪ କୋଟି, -ରାଜସ୍ୱ ଅଭିବୃଦ୍ଧି ହାର ୧୩ ପ୍ରତିଶତକୁ ଖସିଲା
-୧୫ଟି ଉଦ୍ୟୋଗରେ ୫୦୭କୋଟି ଟଙ୍କା କ୍ଷତି

ଭୁବନେଶ୍ୱର: ବିଧାନସଭାରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ପକ୍ଷରୁ ୨୦୧୭ ମାର୍ଚ୍ଚର ୭ଟି ରିପୋର୍ଟ ଉପସ୍ଥାପିତ କରାଯାଇଛି। ସେଥିରେ ରାଜସ୍ୱକ୍ଷେତ୍ର ସହିତ ଆର୍ଥିକ ଓ ସରକାରୀ ଉଦ୍ୟୋଗ ଭଳି କ୍ଷେତ୍ର ରହିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପରିଚାଳନା ବେଳେ ବ୍ୟାପକ ଅନିୟମିତତା ହୋଇଛି। ଯାହାଦ୍ୱାରା କି ରାଜ୍ୟ ସରକାରଙ୍କୁ ବିପୁଳ ପରିମାଣର କ୍ଷତି ପହଞ୍ଚିଛି ଏବଂ ସାଧାରଣ ଲୋକଙ୍କୁ ବିଭିନ୍ନ ଯୋଜନାର ସୁଫଳ ମିଳିନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ପ୍ରମୁଖ ମହାଲେଖାକାର ମଧୁମିତା ବସୁ ଦର୍ଶାଇଛନ୍ତି।
ସିଏଜି ପ୍ରକୋଷ୍ଠରେ ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବସୁ କହିଥିଲେ ଯେ ରାଜ୍ୟରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ୟାପକ ଅନିୟମିତତା ଅବଲମ୍ବନ କରାଯାଇଛି। ଗତ ୫ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ଯୋଜନାରେ ପ୍ରାୟ ୩୧୧୪.୫୮କୋଟି ଟଙ୍କା ପ୍ରଦାନରେ ବିଳମ୍ବ କରିଥିବାବେଳେ କାମ୍‍ କରି ନଥିବା ଜବ୍‍କାର୍ଡଧାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଗଣିଛି।
ସେହିପରି ଯେଉଁ ଜବକାର୍ଡଧାରୀମାନେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଉଚିତ୍‍ ପ୍ରାପ୍ୟ ଦେଇ ନ ଥିବାବେଳେ ଆଉ କେତେକଙ୍କୁ ନିର୍ଦ୍ଧାରିତ ପ୍ରାପ୍ୟଠାରୁ କମ୍‍ ଅର୍ଥ ପ୍ରଦାନ କରିଛି। ବିଶେଷ କରି ବିଭାଗ ପକ୍ଷରୁ ମନରେଗା ନିୟମାବଳୀର ଖୋଲା ଉଲ୍ଲଘଂନ ହେବା ସହିତ ରାଜୀବ ଆବାସରେ ତଞ୍ଚକତା କରାଯାଇଛି। ମନରେଗାର ଅନୁଚ୍ଛେଦ-୩(ଗ)ରେ ସ୍ପଷ୍ଟ ଉଲ୍ଳେଖ ରହିଛି ଯେ ଦୈନିକ ମଜୁରି ବଣ୍ଟନ ୧୫ଦିନରୁ ଅଧିକ ବିଳମ୍ବ ହେବନାହିଁ। ମାତ୍ର ସମୀକ୍ଷା ବେଳେ ଜଣାଯାଇଛି ଯେ ୨୦୧୩ରୁ ୨୦୧୭ ମଧ୍ୟରେ ଜବକାର୍ଡଧାରୀଙ୍କୁ ପ୍ରାୟ ୩୧୧୪.୫୮କୋଟି ଟଙ୍କା ପ୍ରଦାନରେ ବିଳମ୍ବ ହୋଇଛି। ଏବାବଦକୁ ୫୩.୧୯କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିୟମ ରହିଥିବାବେଳେ ସରକାର ୧୫.୧୮କୋଟି ଟଙ୍କା ପ୍ରଦାନ କରିଛନ୍ତି। ମଜୁରି ପ୍ରଦାନରେ ବିଳମ୍ବ ଯୋଗୁଁ ମନରେଗା ଯୋଜନା ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇଛି। ସେହିପରି ୨୦୧୨ରେ କେନ୍ଦ୍ର ସରକାର ମଜୁରି ବାବଦ ଅର୍ଥ ୧୨୫ ଟଙ୍କାରୁ ୧୨୬ ଟଙ୍କାକୁ ବୃଦ୍ଧି କରିଥିବାବେଳେ ବିଭାଗ ପକ୍ଷରୁ କିନ୍ତୁ ପୁରୁଣା ଦରରେ ଜବକାର୍ଡଧାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଛି। ଯାହାଫଳରେ ୧.୫୫କୋଟି ଶ୍ରମ ଦିବସ ବାବଦକୁ ହିତାଧିକାରୀ ୧.୫୫କୋଟି ଟଙ୍କା ହରାଇଛନ୍ତି। ୨୦୧୫ରେ ସରକାର ମଜୁରି ୧୭୪ଟଙ୍କାକୁ ବଢ଼ାଇଥିଲେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମୁରଡ଼ିଗ୍ରସ୍ତ ଅଞ୍ଚଳ ଲାଗି ୩୦ପ୍ରତିଶତ ବୋନ୍‍ସ ଦେବାକୁ ଘୋଷଣା ହୋଇଥିଲା। ହେଲେ ବୈପାରୀଗୁଡା ଓ ନାରାୟଣପାଟଣାର ୪ଟି ପଞ୍ଚାୟତରେ ୬୧୪ଜଣ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ୭.୬୬ଲକ୍ଷ ଟଙ୍କା ପ୍ରଦାନ କରାଯାଇ ନଥିଲା। ବିଶେଷ କରି ବାଲିଗୁଡା, ବୈପାରୀଗୁଡା ଓ ନାରାୟଣପାଟଣାର ୫ଟି ଗ୍ରାମ ପଞ୍ଚାୟତରେ ମଷ୍ଟରରୋଲରେ ଗୋଟିଏ କାର୍ଯ୍ୟ ଦିବସ ଦର୍ଶାଯାଇଥିବାବେଳେ ହିତାଧିକାରୀଙ୍କୁ ସେହି ଅନୁପାତରେ ପ୍ରାପ୍ୟ ଦିଆଯାଇ ନାହିଁ। ଫଳରେ ୫୩ଜଣ ଶ୍ରମିକ ୫୩କ୍ଷ ୭୩୦ଟଙ୍କା ମଜୁରି କମ୍‍ ପାଇଥିଲେ ବୋଲି ଶ୍ରୀମତୀ ବସୁ ଦର୍ଶାଇଥିଲେ।
ସମ୍ମିଳନୀରେ ମହାଲେଖାକାର ବିଭୁଦତ୍ତ ବସନ୍ତିଆ କହିଥିଲେ ଯେ ପଞ୍ଚାୟତିରାଜ ବିଭାଗରେ ଏହିଭଳି ଅନେକ ପ୍ରକାର ଅନିୟମିତତା ପରିଲକ୍ଷିତ ହୋଇଛି। କେଉଁଠାରେ କାର୍ଯ୍ୟ କରି ଲୋକେ ପ୍ରାପ୍ୟ ପାଇ ନଥିବାବେଳେ ଅନ୍ୟ କେଉଁଠି ଜାଲ୍‍ ଜବକାର୍ଡଧାରୀଙ୍କ ନାଁରେ ଅର୍ଥ ବଣ୍ଟା ଯାଇଛି। ବୈପାରୀଗୁଡା ଓ ବାଲିଗୁଡାର ୨ଟି ପଞ୍ଚାୟତରେ ୧୪ଜଣ ଶ୍ରମିକଙ୍କୁ ୧୧ହଜାର ୭୦୨ଟଙ୍କାର ମଜୁରି ପ୍ରଦାନ କରାଯାଇଛି ବୋଲି ଅନ୍‍ଲାଇନ ମଷ୍ଟରରୋଲରେ ଦର୍ଶାଯାଇଛି। ହେଲେ ସେଭଳି ଶ୍ରମିକ କେହି ନାହାନ୍ତି ଏବଂ ଅର୍ଥ ନେଇ ନଥିବା ସମୀକ୍ଷା ବେଳେ ଜଣାଯାଇଛି।
ସେହିପରି ରାଜ୍ୟରେ ରାଜୀବ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। କେଉଁଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟରେ ଶୁଭ ପଡ଼ି ନଥିବାବେଳେ ଆଉ କେଉଁଠି ହିତାଧିକାରୀଙ୍କଠାରୁ ତାଙ୍କ ଅଂଶଧନ ବାବଦ ଅର୍ଥ ଆଦାୟ କରାଯାଇ ନାହିଁ। ସମୀକ୍ଷା ବେଳେ ଜଣାଯାଇଛି ଯେ କଟକ, ଯାଜପୁର ସହିତ ବିଏମ୍‍ସି ଓ ବିଇଏମ୍‍ସିରେ ୧୦ହଜାର ୪୮୪ଟି ରାଜୀବ ଆବାସ ନିର୍ମାଣ ପାଇଁ ୨୨୧.୬୧କୋଟି ଟଙ୍କା ମଞ୍ଜୁର ହୋଇଛି। ଇତିମଧ୍ୟରେ ୧୩୫୬ଟି ଆବାସ କାର୍ଯ୍ୟ ଶେଷ ହୋଇଥିବାବେଳେ ୪୦୬୩ଟି ଅସଂମ୍ପୂର୍ଣ୍ଣ ରହିଛି। ତେବେ ୫୦୬୫ଟି ରାଜୀବ ଆବାସର ମୂଳଦୁଆ ଏପର୍ଯ୍ୟନ୍ତ ପଡି ନାହିଁ। ଏବାବଦକୁ ୬୪କୋଟି ଟଙ୍କା ଖର୍ଚ୍ଚ ସତ୍ତେ୍ୱ କାର୍ଯ୍ୟ ଆରମ୍ଭ ନହେବା ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି କଟକରେ ୧୦ଟି ବସ୍ତିପୁଞ୍ଜରେ ୨୩୧ଜଣ ହିତାଧିକାରୀଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇଛି। ପ୍ରତି ଗୃହ ନିର୍ମାଣ ଲାଗି ଅଂଶଧନ ବାବଦକୁ ୧.୧୦ଟଙ୍କା ଆଦାୟ ହେବା କଥା। ମାତ୍ର ସିଏମ୍‍ସି ଏନେଇ ହିତାଧିକାରୀଙ୍କୁ ଜଣାଇ ନଥିବା ସମୀକ୍ଷାରୁ ଜଣାଯାଇଛି। ଏହାବାଦ୍‍ ବିଏମ୍‍ସିରେ ଏହି ଯୋଜନା କାର୍ଯ୍ୟକାରିତା ବେଳେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇଥିବାବେଳେ ଭୁଲ୍‍ ଡିପିଆର୍‍ ପ୍ରସ୍ତୁତ କରାଯାଇ ପ୍ରକଳ୍ପ ଅର୍ଥ ବୃଦ୍ଧି କରାଯାଇଛି। ସେହିପରି ବନ୍ଦ ପ୍ରକଳ୍ପରେ ଅଣଫଳପ୍ରଦ ବ୍ୟୟ ସାଙ୍ଗକୁ ସରକାରଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ନିଆଯାଇଥିଲା। ଯେଉଁଥିରେ ସ୍ପଷ୍ଟ ନିୟମ ରହିଛି ଯେ ଖୋଲା ସ୍ଥାନରେ ମଳ ତ୍ୟାଗ କରୁଥିବା ଅଞ୍ଚଳକୁ ନିଆଯିବ। ମାତ୍ର ଏଠାରେ ସର୍ବେକ୍ଷଣ କରା ନଯାଇ ପାଇଖାନା କରାଯାଉଛି, ତାହା ପୁଣି ତଦାରଖ ଅଭାବରୁ ଅଧାଗଢ଼ା ରହିଛି। ଯାହାଫଳରେ କି ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଗନ୍ଧ ଧରୁନାହିଁ। ଖାଲି ଏତିକି ନୁହେଁ; ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ଗୋଟିଏ ମାର୍ଗଦର୍ଶିକା ଜାରି କରିଥିବାବେଳେ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ୨୦୦୦ଟଙ୍କା ବନ୍ଦ କରିବା ଏବଂ ଆଇଏଚ୍‍ଏଚ୍‍ଏଲ୍‍କୁ କାର୍ଯ୍ୟାଦେଶ ନଦେଇ ମନଇଚ୍ଛା ମିଶନ କାର୍ଯ୍ୟକାରୀ କରୁଥିବାରୁ ଏହି ଯୋଜନା ଏବେ ବାଟବଣା ହେବାକୁ ବସିଛି। ଜାଗୃତିକତା ଅଭିଯାନ କେବଳ କାଗଜପତ୍ରରେ ଗଡୁଛି ବୋଲି ଶ୍ରୀ ବସନ୍ତିଆ ଦର୍ଶାଇଛନ୍ତି। ବୈଠକରେ ସିଏଜିର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଶ୍ରୀମତୀ ବସୁ ଦର୍ଶାଇଛନ୍ତି ଯେ ୨୦୦୧ରୁ ୨୦୧୦ ମଧ୍ୟରେ ନିୟମ ବହିର୍ଭୂତ ଖଣି ଖନନ ପାଇଁ ୧୨ଟି ଖଣିରେ କାର୍ଯ୍ୟରତ ୨୧୧ଜଣ ପଟ୍ଟାଧାରୀ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିଛନ୍ତି। ଏ ବାବଦକୁ ସରକାରଙ୍କ ପକ୍ଷରୁ ୪୪ହଜାର ୩୨୪.୭୬କୋଟି ଟଙ୍କା ୨୦୧୨ ନଭେମ୍ବରରେ ଦର୍ଶାଯାଇଥିଲା; ତେବେ ଦାବି କରାଯାଇଥିବା ରାଶି ଡିସିବିକୁ ନିଆଯାଇ ନ ଥିଲା। ମାତ୍ର ଯେଉଁ ଅର୍ଥ ଦର୍ଶାଯାଇଥିଲା ତାହା ପ୍ରକୃତ ବକେୟାଠାରୁ ୬୫ହଜାର ୪୨୬କୋଟି ଟଙ୍କାରୁ ଅଧିକ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବି ସରକାରଙ୍କ ପାଖରେ ହଜାର ହଜାର କୋଟି ଟଙ୍କାର ବେଆଇନ ଖଣିଜ ସମ୍ପଦ ଲୁଟ୍‍ ହିସାବ ନ ଥିବା ସମୀକ୍ଷାବେଳେ ଜଣାଯାଇଥିବା ଶ୍ରୀମତୀ ବସୁ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗରେ ମଧ୍ୟ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି। ନକ୍ସା ଠିକ୍‍ ନଥିବା ଯୋଗୁଁ ସରକାରଙ୍କ ପକ୍ଷରୁ ଦୁଇଟି ସେତୁରେ ଖର୍ଚ୍ଚ ହୋଇଥିବା ପ୍ରାୟ ୧୩୪କୋଟି ଟଙ୍କା ନିରର୍ଥକ ହୋଇଛି। ମାଳିସାହିଠାରେ ଭାର୍ଗବୀନଦୀ ଉପରେ ହେବାକୁ ଥିବା ସେତୁ ଏବଂ ଅଟ୍ଟାଗ୍ରାମଠାରେ ପାଣ୍ଡରାନାଳ ଉପରେ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଥିଲା। ଏହି ସେତୁ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଜନସାଧାରଣଙ୍କ କାର୍ଯ୍ୟରେ ଲାଗୁ ନ ଥିବାବେଳେ ୮୧.୧୪କୋଟି ଟଙ୍କା ବ୍ୟୟରେ ଘସିପୁରାଠାରେ ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମାଣ ହୋଇଥିବା ବନ୍ଧ, ବାହ୍ମଣୀ-କେଳୁଆ ବିରୂପା ବନ୍ଧ ଓ ଘେରିବନ୍ଧ ନିର୍ମାଣରେ ଖର୍ଚ୍ଚ ହୋଇଥିବା ୬୬.୧୯କୋଟି ଟଙ୍କା କେବଳ ପାଣିରେ ପଡିଛି। ଏଠାରେ ଯେଉଁ ବନ୍ଧ ନିର୍ମାଣ ହୋଇଛି ତାହା ବନ୍ୟା ପାଣି ନିୟନ୍ତ୍ରଣରେ ଆସିବ ନାହିଁ ବୋଲି ପ୍ରମୁଖ ମହାଲେଖାକାର ଶ୍ରୀମତୀ ବସୁ ଦର୍ଶାଇଛନ୍ତି।
ସେହିପରି ରାଜ୍ୟରେ ଥିବା ୫୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩୫ଟି ଉଦ୍ୟୋଗ ଲାଭରେ ଚାଲିଥିବାବେଳେ ୧୫ଟି କ୍ଷତିରେ ଚାଲୁଛି। ଗତ ୨୦୧୬-୧୭ ବର୍ଷରେ ଏହି ୧୫ଟି ଉଦ୍ୟୋଗର କ୍ଷତି ପରିମାଣ ୫୦୭କୋଟି ଟଙ୍କାରୁ ଅଧିକ ହୋଇଛି। ୫ଟି ଉଦ୍ୟୋଗ ଏପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକଳାପ ଆରମ୍ଭ କରି ନଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁଁ ଓଡ଼ିଶା ଗ୍ରୀଡ୍‍ ନିଗମ ଲି. ୪୦୬କୋଟି ଟଙ୍କା, ଓଡ଼ିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମ ଲି ୪୩କୋଟି ଟଙ୍କା ଏବଂ ଇଡକଲ କଳିଙ୍ଗ ଆଇରନ ୱାର୍କ୍ସ ଲି ୨୧କୋଟି ଟଙ୍କା କ୍ଷତି କରିଛନ୍ତି। ରାଜସ୍ୱ ବିଭାଗ ୨୦୧୨-୧୩ ଆର୍ଥିକ ବର୍ଷରେ ୪୩,୯୩୭କୋଟି ଟଙ୍କାର ରାଜସ୍ୱ ଆୟ କରିଥିବାବେଳେ ୨୦୧୬-୧୭ ବର୍ଷରେ ଏହା ୬୪ହଜାର ୨୯୯କୋଟିକୁ ବୃଦ୍ଧି ପାଇଥିଲା। ଯାହାର ଅଭିବୃଦ୍ଧି ହାର ୬୯ ପ୍ରତିଶତ ଥିଲା। ୨୦୧୫-୧୬ରେ ଅଭିବୃଦ୍ଧି ହାର ୨୧ପ୍ରତିଶତ ରହିଥିବାବେଳେ ୨୦୧୬-୧୭ ବର୍ଷରେ ଏହାର ୮ପ୍ରତିଶତ ରହିଥିଲା। ଯାହାକି ବିଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ରାଜସ୍ୱ ଆୟ କମ୍‍ ହୋଇଛି ବୋଲି ଶ୍ରୀମତୀ ବସୁ ଦର୍ଶାଇଛନ୍ତି।

୨୮ ବନ୍ଦ ସରକାରୀ ଉଦ୍ୟୋଗର ହିସାବ ଛିଣ୍ଡୁନି

ଭୁବନେଶ୍ୱର  : ରାଜ୍ୟର ୮୪ଟି ସରକାରୀ ଉଦ୍ୟୋଗ(ପିଏସ୍‍ୟୁ) ମଧ୍ୟରୁ ୫୬ଟି କାର୍ଯ୍ୟକ୍ଷମ ଥିବାବେଳେ ୨୮ଟି ନିଷ୍କ୍ରିୟ ରହିଛି। ଏହି ୫୬ ଉଦ୍ୟୋଗ ୨୦୧୭ ସେପ୍ଟେମ୍ବର ସୁଦ୍ଧା ୭.୬୭ପ୍ରତିଶତ ଲାଭ କରିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ସମୟ ସୁଦ୍ଧା ସମୁଦାୟ ୮୪ ଉଦ୍ୟୋଗରେ ୧୨୯୨୦.୫୦କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିଲା। କାର୍ଯ୍ୟରତ ୫୬ଟି ଉଦ୍ୟୋଗ ୨୧୫୯୬.୫୪କୋଟି ଟଙ୍କାର କାରବାର କରିଥିଲେ। ଏଗୁଡ଼ିକ ମୋଟ ୧୫୨୦.୮୭କୋଟି ଟଙ୍କା ଲାଭ କରିଥିବାବେଳେ ସେଥିମଧ୍ୟରୁ ୩୫ଟି ୨୦୨୮.୨୩କୋଟି ଟଙ୍କା ଲାଭ କରିଛନ୍ତି। ଅବଶିଷ୍ଟ ୧୫ଟି ଉଦ୍ୟୋଗ ୫୦୭.୩୬କୋଟି ଟଙ୍କାର କ୍ଷତି ସହିଛନ୍ତି। ଗତ ୫ବର୍ଷ ମଧ୍ୟରେ ସରକାର ନିଷ୍ପ୍ରିୟ ଥିବା ୨୮ଟି ଉଦ୍ୟୋଗରେ ୯୬.୭୨କୋଟି ଟଙ୍କା ନିବେଶ କରିଛନ୍ତି। କାର୍ଯ୍ୟରତ ଉଦ୍ୟୋଗଗୁଡ଼ିକରେ ମୋଟ ୧୨୮୨୩.୭୮କୋଟି ଟଙ୍କା ନିବେଶ ହୋଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି; ଏଥିମଧ୍ୟରୁ ମାତ୍ର ଗୋଟିଏ ଉଦ୍ୟୋଗ ଏହାର ଋଣ ଅମାନତକୁ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିଛି।
ଉଦ୍ୟୋଗଗୁଡ଼ିକର ଅଂଶଧନ, ଋଣ, ପ୍ରତିଭୂତି ବାବଦକୁ ବକେୟା ଦେୟର ପରିମାଣ ସରକାରଙ୍କ ଅର୍ଥ ବିଭାଗ ଦର୍ଶାଇଥିବା ପରିମାଣ ସହିତ ମେଳ ଖାଇବା ଉଚିତ ହୋଇଥିଲେ ମଧ୍ୟ ୪୧ଟିର ହିସାବରେ ବର୍ଷ ବର୍ଷ ଧରି ପାର୍ଥକ୍ୟ ଥିବା ଲକ୍ଷ୍ୟ କରାଯାଇଛି। ଏସବୁ ଅସାମଞ୍ଜସ୍ୟକୁ ସମତୁଲ କରିବା ପାଇଁ ବାରମ୍ବାର ତାଗିଦା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ନାହିଁ। ୩୯ଟି ଉଦ୍ୟୋଗ ୨୦୧୭ ସେପ୍ଟେମ୍ବର ସୁଦ୍ଧା ହିସାବ ଚୂଡ଼ାନ୍ତ କରିନଥିବା ରିପୋର୍ଟରେ ପ୍ରକାଶ ପାଇଛି। ନିଷ୍କ୍ରିୟ ଥିବା ୨୮ଟି ଉଦ୍ୟୋଗ ବନ୍ଦ ହେବା ଉପରେ ଥିବାବେଳେ ସେଗୁଡ଼ିକର ହିସାବ ଦୀର୍ଘ ଦଶନ୍ଧି ଧରି ଚୂଡ଼ାନ୍ତ ହୋଇ ନାହିଁ। ଏହା ଦ୍ୱାରା ସରକାରଙ୍କ ଦାୟତ୍ୱବୋଧ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଗୋଟିଏ ‘ସେଲ୍‍’ ଗଠନ କରି ବକେୟା ହିସାବ ଚୂଡ଼ାନ୍ତ କରିବା ଆବଶ୍ୟକ ଓ ଏହା ଧାର୍ଯ୍ୟ ସମୟ ମଧ୍ୟରେ ହେବା ଦରକାର। ଆବଶ୍ୟକସ୍ଥଳେ ବାହ୍ୟ ନିଯୁକ୍ତି ଦ୍ୱାରା ହିସାବ ଚୂଡ଼ାନ୍ତ କରାଯିବା ଦରକାର ବୋଲି ସିଏଜି ପରାମର୍ଶ ଦେଇଛନ୍ତି।

Leave A Reply