ବଲାଙ୍ଗିର:ପୁଇଁନ୍ତଲା ଥାନା ଅନ୍ତର୍ଗତ ବହଲପଦର ଛକ ଓ ଅର୍ଜୁଣ୍ଡା ଛକରେ ଲୁଟ୍ପାଟ୍ କରୁଥିବା ଅଭିଯୋଗରେ ୪ ଲୁଟିଆଙ୍କୁ ପୁଇଁନ୍ତଲା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁର୍ଷିପାଲି ଗାଁର ଆକାଶ ସ୍ୱାଇଁ(ସିତୁ), ସୁଧୀର ସ୍ୱାଇଁ(ସିଦ୍ଧାନ୍ତ), ଜାମଗାଁର ବବଲୁ ବେହେରା ଓ ଉମୁରିଆର ରୋହିତ ଗୁରାଣ୍ଡି। ସୋମବାର ସନ୍ଧ୍ୟାରେ ବହଲପଦର ଛକଠାରେ ବହଲପଦର ଗାଁର ପ୍ରଶାନ୍ତ ମେଶ୍ୱାଙ୍କ ବାଇକ୍, ମୋବାଇଲ ଓ ଟଙ୍କା ଲୁଟ୍ ହୋଇଥିଲା। କିଛି ସମୟ ପରେ ଅର୍ଜୁଣ୍ଡା ଛକ ଠାରେ ଅର୍ଜୁଣ୍ଡା ଗାଁର ସନ୍ତୋଷ ମହଲାଙ୍କ ଠାରୁ ମୋବାଇଲ୍ ଓ ଟଙ୍କାପଇସା ଲୁଟ୍ ହୋଇଥିଲା।
ଉକ୍ତ ସମୟରେ ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରୁ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ଲୁଟ୍ ହୋଇଥିବା ବାଇକ୍ ଓ ଗୋଟିଏ ମୋବାଇଲ୍ ଜବତ କରିଥିଲା। ଆଜି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି। ଅଭିଯୁକ୍ତ ଆକାଶ ନାମରେ କିଛି ଦିନ ତଳେ ସଦର ଥାନାରେ ମଧ୍ୟ ଏକ ଲୁଟ୍ ମାମଲା ରୁଜୁ ହୋଇଥିବା ସଦର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।



