ରାୟପୁର: ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀଙ୍କୁ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିରୋଧରେ ଛିଡ଼ା କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଛତିଶଗଡ଼ର ରାଜନନ୍ଦଗାଓ ଆସନରୁ ବିଜେପି ପକ୍ଷରୁ ରମଣ ସିଂହ ପ୍ରାର୍ଥୀ ହେବା ସ୍ଥିର ହେବା ପରେ କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଳାଙ୍କ ସମେତ ଅନ୍ୟ ୬ଜଣଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନଭେମ୍ବର ମାସରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କମିଟି ଆଗାମୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିପକ୍ଷରେ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଳାଙ୍କୁ ମନୋନୀତ କରିଛି। ଶ୍ରୀମତି ଶୁକ୍ଳା କଂଗ୍ରେସରେ ଯୋଗ ଦେବା ପରଠାରୁ ରାଜନନ୍ଦଗାଓ ନିର୍ବାଚନ କ୍ଷେତ୍ର ରାଜନୀତିରେ ସକ୍ରିୟ ରାଜନୀତିରେ ଜଡ଼ିତ ଥିବାବେଳେ ତାଙ୍କୁ ଏହି ନିର୍ବାଚନ କ୍ଷେତ୍ରରେ ଛିଡ଼ା କରିବାକୁ କଂଗ୍ରେସ ସ୍ଥିର କରିଛି।
ସେହିପରି ଗିରୱର ଜାଙ୍ଘେଲଙ୍କୁ ଖଇରାଗଡ଼ ଆସନରୁ ଛିଡ଼ା କରିବାକୁ କମିଟି ନିଷ୍ପତ୍ତି ନେଇଥିବାବେଳେ ଭୁନେଶ୍ୱର ସିଂହ ବାଘେଲ ଦେଓଗଡ଼ ସଂରକ୍ଷିତ ଆସନରୁ ନିର୍ବାଚନ ଲଢିବା ଏକ ପ୍ରକାର ସ୍ଥିର ହୋଇଛି। ସେହିପରି ଖୁଜି ଆସନରୁ ଚେନ୍ନାଇ ସାହୁ ନିର୍ବାଚନ ଲଢୁଥିବାବେଳେ ଇନ୍ଦ୍ର ସାହା ମାଲଦାଭିଙ୍କୁ ମେହଲା ମାନପୁର ସଂରକ୍ଷିତ ଆସନରୁ ଛିଡ଼ା କରିବାକୁ କଂଗ୍ରେସ ଚୂଡ଼ାନ୍ତ କରିଛି।
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ୧୮ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୭୨ଟି ଆସନ ପାଇଁ ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।
ରମଣ ସିଂହଙ୍କ ବିରୋଧରେ ବାଜପେୟୀଙ୍କ ଝିଆରୀ
Popular Categories



