www.samajalive.in
Sunday, December 14, 2025
16.1 C
Bhubaneswar

ମୁମୂର୍ଷୁ ଅବସ୍ଥାରେ ଶିଶୁ ଉଦ୍ଧାର ଘଟଣା ; ଅଭିଯୁକ୍ତ ଗିରଫ

ପିପିଲି :ପିପିଲି ବଜାର ସ୍ଥିତ ଭବାନୀପୁର ଅଞ୍ଚଳର ଜଣେ ୮ବର୍ଷର ନିଖୋଜ ଶିଶୁପୁତ୍ରକୁ ମୁମୂର୍ଷୁ ଅବସ୍ଥାରେ ପୁଲିସ ରବିବାର ରାତିରେ ଉଦ୍ଧାର କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାରେ ଅଭିଯୁକ୍ତ ଜୁମା ଖାଁ (୪୫) ଓରଫ ରାଜାକୁ ପୁଲିସ ଗିରଫ କରି ସୋମବାର ଅପରାହ୍ନରେ ପୁରୀ ଜିଲା ସେସନ୍ସ କୋର୍ଟକୁ ଚାଲାଣ କରିଛି । ତେବେ ଉକ୍ତ ଶିଶୁପୁତ୍ର ସହ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରିୟା କରିବା ପରେ ଧରାପଡିଯିବା ଆଶଙ୍କାରେ ଅଭିଯୁକ୍ତ ତାକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିବା ସଂପର୍କରେ ସୋମବାର ପୁରୀ ଏସ୍‌ପି ଡ ସାର୍ଥକ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପିପିଲି ଆଇଆଇସି ଓ ତାଙ୍କ ଟିମ୍‌ର ତ୍ୱରିତ ପଦକ୍ଷେପ ଯୋଗୁଁ ଶିଶୁପୁତ୍ରଟି ଜୀବିତ ଅବସ୍ଥାରେ ଉଦ୍ଧାର ହେବା ଓ ପୁଲିସ ତାକୁ ଚିକିତ୍ସା ପାଇଁ ହସପିଟାଲ୍‌ରେ ଭର୍ତ୍ତି କରିଥିବା ସଂପର୍କରେ ଏସ୍‌ପି ସୂଚନା ଦେବା ସହ ଏଥିପାଇଁ ଥାନାଧିକାରୀ ଶରତ କୁମାର ସାହୁଙ୍କୁ ସାମ୍ବାଦିକ ସମ୍ମିଳନୀରେ ସାବାସି ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ଜନୈକ ମାର୍ବଲମିସ୍ତ୍ରୀ ପିପିଲି ବଜାର ଭବାନୀପୁର ବଡବସ୍ତିରେ ଭଡାରେ ପରିବାର ସହ ରହୁଥିଲେ । ତାଙ୍କର ୮ ବର୍ଷର ଶିଶୁପୁତ୍ର ରବିବାର ପୂର୍ବାହ୍ନରେ ସାଇକେଲ୍‌ ନେଇ କୁଆଡେ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ତେବେ ଶିଶୁପୁତ୍ରର ନିଖୋଜ ସଂପର୍କରେ ବସ୍ତିର ଲୋକେ ମାଇକ୍‌ ଯୋଗେ ଆଖପାଖ ଅଞ୍ଚଳରେ ପ୍ରଚାର କରିଥିଲେ । ପୁଲିସକୁ ଏସଂପର୍କରେ ରାତିରେ ସୂଚନା ମିଳିବା ପରେ ଶିଶୁପୁତ୍ରକୁ ସାଙ୍ଗରେ ନେଇ ଯାଇଥିବା ଜୁମା ଖାଁକୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଥିଲା । ସେ ନିଖୋଜ ଶିଶୁପୁତ୍ର ସଂପର୍କରେ କୌଣସି ସୂଚନା ଦେବା ଦୂରେ ଥାଉ ପୁଲିସକୁ କୌଣସି ଉତ୍ତର ନଦେଇ କେବଳ ନିରବ ରହିଥିଲା । ତେବେ ଶିଶୁପୁତ୍ରକୁ ନେଇ ଅଭିଯୁକ୍ତ ଜୁମା ଖାଁ ନିକଟବର୍ତ୍ତି ଷଣ୍ଢବଟ ଗ୍ରାମ ଦେଇ ଭାର୍ଗବୀ ନଦୀ ବନ୍ଧକୁ ଯାଇଥିବା ସଂପର୍କରେ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଉକ୍ତ ନଦୀବନ୍ଧରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏଣେ ରାତି ପ୍ରାୟ ୧୨ଟା ସମୟରେ ଥାନାଧିକାରୀ ଶ୍ରୀସାହୁ ଚତୁରତାର ସହ ଅଭିଯୁକ୍ତକୁ ଜେରା କରିବା ପରେ ସେ ଉକ୍ତ ଶିଶୁପୁତ୍ରକୁ ଆମ୍ବ ଖୁଆଇବା ବାହାନାରେ ତାସହ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରିୟା କରିବା ପରେ ତାକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିବା ସ୍ୱୀକାର କରିଥିଲା । ତୁରନ୍ତ ପୁଲିସ ଅଭିଯୁକ୍ତକୁ ସାଙ୍ଗରେ ନେଇ ପିପିଲି ବାଇପାସ ରାସ୍ତା କଡରେ ଥିବା ଏକ ଅର୍ଦ୍ଧନିର୍ମିତ ଘର ପଛପଟେ ଥିବା ବୁଦାମଧ୍ୟରୁ ଶିଶୁକୁ ମୁମୂର୍ଷୁ ଓ ସଂଜ୍ଞାହିନ ଅବସ୍ଥାରେ ଉଦ୍ଧାର କରିଥିଲା । ତାକୁ ତୁରନ୍ତ ଚିକିତ୍ସା ପାଇଁ ପିପିଲି ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଲିସ ସେଠାରୁ ଶିଶୁକୁ ଦୁଇଟି ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରିବା ପରେ ଶେଷରେ ଭୁବନେଶ୍ୱରର ଅନ୍ୟଏକ ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରିଥିଲା । ତାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତାକୁ ସଂଜ୍ଞାହୀନ ଅବସ୍ଥାରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଏବେବି ତାର ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ସୋମବାର ପୁରୀ ଏସ୍‌ପି ଡ. ସାର୍ଥକ ଷଡଙ୍ଗୀ, ପିପିଲି ଏସ୍‌ଡିପିଓ ଦିଲିପ ତ୍ରିପାଠୀ, ଥାନାଧିକାରୀ ଶ୍ରୀସାହୁ, ଏସ୍‌ଆଇ କ୍ଷୀରୋଦ କୁମାର ମିଶ୍ର ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଘଟଣା ସ୍ଥଳରୁ ପୁଲିସ ରକ୍ତଭିଜା ଇଟାକୁ ଜବତ କରିବା ସହ ଅଭିଯୁକ୍ତ ଜୁମାର ଘରୁ କେତେକ ମାରଣାସ୍ତ୍ରକୁ ଜବତ କରିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories