www.samajalive.in
Saturday, December 13, 2025
26.1 C
Bhubaneswar

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବସନ୍ତ ପଟ୍ଟନାୟକ

ଆଠଗଡ : ଆଠଗଡର ପ୍ରତିଭାଦୀପ୍ତ ବ୍ୟକ୍ତି ୰ବସନ୍ତ କୁମାର ପଟ୍ଟନାୟକ ଯିଏ କି ଏକାଧାରରେ ଜଣେ ଜଣାଶୁଣା ଆକାଶବାଣୀ ସମ୍ବାଦ ପାଠକ, ସୁନାମଧନ୍ୟ ଫୁଟବଲ ଖେଳାଳି ଓ ରେଫରି, ନାଟ୍ୟକାର, ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଥିଲେ, ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସୋମବାର ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସମ୍ମାନିତ ଅତିଥି ଭାବେ ଲେଖକ ତଥା ସମାଜସେବୀ ବିଭୂତି ଭୂଷଣ ମିଶ୍ର, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ନଏସି ନଗରପାଳ ସସ୍ମିତା ରାଉତ ଯୋଗଦେଇଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ପରି ବସନ୍ତ ବାବୁଙ୍କର ପିଲାଟି ଦିନରୁ ଶିକ୍ଷା ସହିତ କ୍ରୀଡା ଓ କଳା ପ୍ରତିଭା ଉଦ୍‍ଭାସିତ ହୋଇଥିଲା। ଆକାଶବାଣୀ ଦିଲ୍ଲୀରୁ ଗମ୍ଭୀର କଣ୍ଠରେ ସମ୍ବାଦ ପଢୁଛନ୍ତି ବସନ୍ତ କୁମାର ପଟ୍ଟନାୟକ ଶୁଣିଲା ବେଳେ ପ୍ରତ୍ୟେକ ଆଠଗଡବାସୀ ଗର୍ବ ଅନୁଭବ କରୁଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ଅବସରରେ ବସନ୍ତ କୁମାର ପଟ୍ଟନାୟକ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ଶ୍ରଦ୍ଧାଞ୍ଜଳି ପୁସ୍ତକ ‘ବସନ୍ତାଞ୍ଜଳି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥି ସହିତ ତାଙ୍କ ଉପରେ ଆଧାରିତ ଏକ ବୃତ୍ତ ଚିତ୍ରକୁ ମଧ୍ୟ ମୁଖ୍ୟଅତିଥି ଶ୍ରୀ ଦାସ ଉନ୍ମୋଚନ କରିଥିଲେ। ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ଯୁବ ସଂଗୀତ ନିର୍ଦ୍ଦେଶକ ଗୁରୁଦତ୍ତ ନାୟକଙ୍କ ଦ୍ୱାରା ଜୀବନ ଦର୍ଶନଭିତ୍ତିକ ସଂଗୀତ ଓ ଭଜନ ସ୍ଥାନୀୟ କଳାକାର ପରିବେଷଣ କରିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡିଶା ଶାଖା ଅଧ୍ୟକ୍ଷ ଏବଂ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଦିନବେଳା ପହଞ୍ଚି ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ପେଟ୍ରୋଲ ଡିଲର ଆସୋସିଏସନର ସଭାପତି ବିଶ୍ୱଜିତ୍‍ ପଟ୍ଟନାୟକ, ଶିଳ୍ପଦ୍ୟୋଗୀ ଇଂ ବ୍ରହ୍ମାନନ୍ଦ ମିଶ୍ର, ଏଟିବିଏନ ଓକିଲ ସଂଘର ସଭାପତି ଫଣିଭୂଷଣ ରଥ, ରାଜ୍ୟ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଡାକ୍ତର ଭୁବନାନନ୍ଦ ଦାସ, ଡାକ୍ତର ପଦ୍ମଚରଣ ଦାଶ, ଡାକ୍ତର ଭାଗିରଥି ପରିଡା, ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ରାଉତ, ଗ୍ରାଜୁଏଟ୍‍ସ କ୍ଲବ ଉପସଭାପତି ସୁବାସ ରାଉତ, ସମାଜସେବୀ ମୁକ୍ତିକାନ୍ତ ବଡୁ, ଚନ୍ଦ୍ରକାନ୍ତ ପୃଷ୍ଟି, ଅକ୍ଷୟ କୁମାର ତୁଙ୍ଗସାମନ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ଦୁଇପୁଅ ସବ୍ୟସାଚ୍ଚୀ ଓ ପ୍ରାର୍ଥସାରଥୀଙ୍କ ସମେତ ପରିବାର ସଦସ୍ୟ ସମସ୍ତ ଅତିଥିଙ୍କ କୃତଜ୍ଞତା ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories