www.samajalive.in
Sunday, December 14, 2025
26.1 C
Bhubaneswar

ତରୁର୍‌ ଓ ଦିଗ୍‌ବିଜୟ ଅଧ୍ୟକ୍ଷ ପ୍ରାର୍ଥୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୩୦ (ଶୁକ୍ରବାର) ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ନିର୍ବାଚନ ଲଢିବା ନିମନ୍ତେ ଦୁଇଜଣ ନେତା ନିଜର ପ୍ରାର୍ଥିତ୍ବ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ସାଂସଦ ଶଶୀ ତରୁର ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ। ଶୁକ୍ରବାର ଉଭୟ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ତରୁର୍‌ ପୂର୍ବରୁ ପ୍ରାର୍ଥିପତ୍ର ସଂଗ୍ରହ କରି ରଖିଥିବାବେଳେ ଗୁରୁବାର ଦିଗବିଜୟ ନିଜର ପ୍ରାର୍ଥିପତ୍ର ସଂଗ୍ରହ କରିଛନ୍ତି। ଦିଗବିଜୟଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଓ ସମର୍ଥକ ରହିବା ନିମନ୍ତେ ମଧ୍ୟପ୍ରଦେଶର କଂଗ୍ରେସ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ନିର୍ବାଚନ ନିମନ୍ତେ ଦଳର ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଥିବାବେଳେ ଅନ୍ୟ କେହି ନିଜର ପ୍ରାର୍ଥିତ୍ବ ସମ୍ପର୍କରେ ଘୋଷଣା କରି ନାହାନ୍ତି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ଶେଷ ପରେ ଏହାର ଦୃଶ୍ୟପଟ ସ୍ପଷ୍ଟ ହୋଇଯିବ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଦୁଇ ନେତା ତରୁର୍‌ ଓ ଦିଗବିଜୟ ଗୁରୁବାର ସାକ୍ଷାତ ଆଲୋଚନା କରିଛନ୍ତି। ମନୋନୟନ ପତ୍ର ସଂଗ୍ରହ ପରେ ଦିଗବିଜୟ ଗୁରୁବାର ଅପରାହ୍ଣରେ ତରୁର୍‌ଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ କାଳରେ ଉଭୟ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷାତ ପରେ ତରୁର୍‌ ଟୁଇଟ୍‌ କରିଛନ୍ତି ଯେ ‘ଆମେ ନିଷ୍ପତ୍ତି ନେଇଛୁ ଯେ ଉଭୟ ବନ୍ଧୁତ୍ବପୂର୍ଣ୍ଣ ଲଢେଇ ଲଢିବୁ। ଆମ ଭିତରୁ ଯିଏ ବି ଜିତିବ ତାହା କଂଗ୍ରେସର ବିଜୟ ହେବ।’ ଦିଗବିଜୟ କହିଛନ୍ତି ଯେ ନିର୍ବାଚନ ଲଢିବା ନିମନ୍ତେ ମୁଁ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେଇଛି। ଏଥିପାଇଁ କାହାର ପରାମର୍ଶ ନେଇ ନାହିଁ। ଅକ୍ଟୋବର ୮ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ତେଣୁ ୮ ତାରିଖ ପରେ ହିଁ ନିର୍ବାଚନ ହେବା ନ ହେବା ସ୍ପଷ୍ଟ ହେବ। ଯଦି ଏକାଧିକ ପ୍ରାର୍ଥୀ ରୁହନ୍ତି ତେବେ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୧୯ରେ ଭୋଟ ଗଣତି ହେବ।
ଶଶୀ ତରୁର୍‌ କେରଳ ତିରୁଅନନ୍ତପୁରମ୍‌ରୁ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ସାଂସଦ ଅଛନ୍ତି। କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ନିମନ୍ତେ ଦାବି କରିଥିବା ଦଳର ୨୩ ବିଦ୍ରୋହୀ ନେତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ତରୁର। କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବା ସପକ୍ଷରେ ସେ ମତ ଦେଇଥିଲେ। ଇଂରାଜୀ ଭାଷାରେ ବେଶ ଦକ୍ଷତା ରଖିଥିବା କଂଗ୍ରେସର ଏହି ନେତା ହିନ୍ଦୀ ଭାଷାରେ ଦୁର୍ବଳ। ଦିଗବିଜୟ ସିଂହ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଏହା ସହିତ ସେ ଦୁଇଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ଲୋକସଭାକୁ ଦୁଇଥର ଓ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଛନ୍ତି। ତରୁରଙ୍କ ଅପେକ୍ଷା ସେ ଗାନ୍ଧୀ ପରିବାର ବେଶ ନିକଟତର।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories