ନକଲି ଔଷଧ କାରବାର ନେଇ ଦୁଇ ଷ୍ଟକିଷ୍ଟଙ୍କ ନାମରେ ଏତଲା
କଟକ: ନକଲି ବ୍ଲଡପ୍ରେସର(ରକ୍ତଚାପ) ଔଷଧ କାରବାର କରିବା ନେଇ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ତରଫରୁ ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜର୍ସ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । ଏତଲାକୁ ଭିତ୍ତିକରି ପୁଲିସ ଦୁଇଟି ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ରକ୍ତଚାପ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଅସଲି ଔଷଧ ପରୀବର୍ତ୍ତେ ବହୁଳମାତ୍ରାରେ ବଜାର ନକଲି ଔଷଧ ବିକ୍ରି ହେଉଥିବା ନେଇ ନିକଟରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ରାଜ୍ୟ ଡ୍ରଗ୍ସ କଂଣ୍ଟ୍ରୋଲର ବିଭାଗ ନିକଟରେ ଅଭିଯୋଗ ଆଣିଥିଲେ । ବିଶେଷକରି ବଜାରରେ ଟେଲମା-୪୦ ଓ ଟେଲମା-ଏଏମର ନକଲି ଔଷଧ ବିକ୍ରି ହେଉଛି । କଟକର କେତେକ ପ୍ରମୁଖ ଔଷଧ ଷ୍ଟକିଷ୍ଟ ବିପୁଳ ପରିମାଣର ଏହି ନକଲି ଔଷଧ ଗଚ୍ଛିତ ରଖିବା ସହିତ ବିକ୍ରି କରୁଥିବା ନେଇ ବ୍ୟକ୍ତିଜଣକ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ । ଏହାପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଏକ ଦଳ କଟକରେ ପହଞ୍ଚି ଯାଞ୍ଚ କରିବା ପରେ ଅତି ସନ୍ତର୍ପଣର ସହିତ ଚାଲିଥିବା ନକଲି ଔଷଧର କାରବାର ପଦାକୁ ଆସିଥିଲା ।
ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟକୁମାର ଜଲାନ ଏହି ଔଷଧ ଯୋଗାଣ କରୁଥିଲେ । ଏହାକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ବିହାରର ପାଟଣା, ଗୟା ସହରରୁ ଅଣାଯାଇଥିଲା । ଯାଞ୍ଚ ବେଳେ ଏହି ଦୁଇ ଷ୍ଟକିଷ୍ଟଙ୍କଠାରୁ ୩୦ଲକ୍ଷ ଟଙ୍କାର ନକଲି ଔଷଧ ଟେଲମା-୪୦ ଓ ଟେଲମା-ଏଏମ ଜବତ କରାଯାଇଥିଲା । ସେହିପରି ୧୫ରୁ ୧୮ଲକ୍ଷ ଟଙ୍କାର ଔଷଧ ବାହାର ରାଜ୍ୟ ତଥା ଦିଲ୍ଲୀ, ଗୁଜୁରାଟ, କଲକାତାକୁ ପଠାଯାଇଥିବା ଜଣାପଡିଥିଲା ।
ଫଳରେ ଦୁଇ ଷ୍ଟକିଷ୍ଟଙ୍କୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କଳା ତାଲିକାଭୁକ୍ତ କରିଛି । ଅନ୍ୟପଟେ ଉକ୍ତ ଔଷଧର ଗୁଣବତ୍ତା ଯାଞ୍ଚ ସହ ପ୍ରସ୍ତୁତି ନେଇ ଅସଲି ଟେଲମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିଲା । ତେବେ ଏହି ଔଷଧ ସଂପୂର୍ଣ୍ଣ ନକଲି ହୋଇଥିବା ଅସଲି କମ୍ପାନୀ ସ୍ପଷ୍ଟୀକରଣ ଦେବାପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଆଜି ଦୁଇ ଷ୍ଟକିଷ୍ଟଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ।
Comments are closed.