ଆପଣ ସୁରକ୍ଷିତ ନୁହନ୍ତି

‘ଡେମୋଗ୍ରାଫିଆ ୱାର୍ଲଡ ଅର୍ବାନ ଏରିଆଜ’ର ୨୦୨୨ ସଂସ୍କରଣ ନିକଟରେ ପ୍ରକାଶ ପାଇଛି। ପୃଥିବୀର ୯୯୦ଟି ସହରାଞ୍ଚଳ ଉପରେ ପର୍ଯ୍ୟବସିତ ଏଇ ଅଧ୍ୟୟନ ଏମିତି ଇଲାକାକୁ ହିସାବକୁ ନେଇଛି ଯେଉଁଠି ସର୍ବନିମ୍ନ ଜନସଂଖ୍ୟା ପାଞ୍ଚ ଲକ୍ଷ। କୁହାଯାଇଛି, ୨୦୨୨ ଆରମ୍ଭରେ ପୃଥିବୀର ସହରାଞ୍ଚଳ ଜନସଂଖ୍ୟା ଏହାର ମୋଟ ଜନସଂଖ୍ୟାର ୫୭ ପ୍ରତିଶତରେ ପହଞ୍ଚିଛି। ରିପୋର୍ଟରେ ୪୪ ଟି ମେଗାସିଟି ସମ୍ପର୍କରେ ତଥ୍ୟ ଅଛି ଯେଉଁଠି ଜନସଂଖ୍ୟା ଦଶ ନିୟୁତରୁ ଅଧିକ। ଏଥିରୁ ୧୧ ଟି କେବଳ ଚୀନରେ, ଭାରତରେ ୬ଟି, ବ୍ରାଜିଲ, ଜାପାନ, ପାକିସ୍ତାନ ଓ ଯୁକ୍ତରାଷ୍ଟ୍ରରେ -ପ୍ରତ୍ୟେକ ୨ଟି ଲେଖାଏଁ। ତମାମ ପୃଥିବୀରେ ଏମିତି ଅନ୍ତତଃ ୯୭ଟି ସହରାଞ୍ଚଳ ରହିଛି ଯେଉଁଠି ଜନସଂଖ୍ୟା ୫ ନିୟୁତରୁ ଅଧିକ। ପ୍ରଥମ ଥର ପାଇଁ ପୃଥିବୀର ସହରାଞ୍ଚଳ ଜନସଂଖ୍ୟା ମୋଟ ଜନସଂଖ୍ୟାର ଅଧାରୁ ଅଧିକ ହୋଇଛି। ତେବେ ୟାର ବିଲକୁଲ ଅର୍ଥ ନୁହେଁ ଯେ ସହରାଞ୍ଚଳ କହିଲେ ସବୁ ଦୃଷ୍ଟିରୁ ଜଣେ ଆଶ୍ୱସ୍ତ। ରାସ୍ତା, ପରିମଳ, ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବସ୍ଥା ସହିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଭଲ ରୋଜଗାର ପାଇଁ ସୁବିଧା ସୁଯୋଗ ସହରରେ ଉପଲବ୍ଧ। ମୋଟାମୋଟି ଗୁଣାତ୍ମକ ଜୀବନର ଭୂଇଁ ସହର !ପାଠକେ, ଯଦିଓ ପୃଥିବୀ ଜିଡିପି ବା ମୋଟ ଘରୋଇ ଉତ୍ପାଦର ୮୦ ପ୍ରତିଶତ ସମ୍ପର୍କିତ ସିଧାସଳଖ ସହରାଞ୍ଚଳ ସହିତ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହରାଞ୍ଚଳ ହିଁ ନିରାପଦ ମାର୍ଗ, ଯୋଜନାବିତ୍‌ମାନେ ଏଥିରେ ସନ୍ତୁଷ୍ଟ ନୁହନ୍ତି। ସହରର ଆକାଶ ରେଖାକୁ ଅନେକାଂଶରେ ଅଣନିଃଶ୍ୱାସୀ କରି ରଖିଥିବା ଉଚ୍ଚ ଅଟ୍ଟାଳିକା ଓ ରାତିକୁ ଅର୍ଥହୀନ କରିଥିବା ସ୍ବର୍ଣ୍ଣାଭ ଆଲୋକମାଳା ସବୁବେଳେ ସୁଖ ଓ ସମୃଦ୍ଧିର ନିଦର୍ଶନ ନୁହନ୍ତି। ଏମିତି ସହରଟିଏ କାହିଁ ଯେଉଁଠି ବସ୍ତି ନାହିଁ , ଯେଉଁଠି ସବୁ ସହର ବାସିନ୍ଦା ଅନ୍ତତଃ ଦିନକୁ ଦୁଇ ବେଳ ପେଟ ପୂରେଇ ଖାଇ ପାରୁଛି, ଖରା, ବର୍ଷା, ଶୀତ, କାକରରୁ ରକ୍ଷା ପାଇବା ପାଇଁ ତା ମୁଣ୍ଡ ଉପରେ ଚାଳ ଅଛି!  ପୃଥିବୀର କୌଣସି ସହର ସେଇ ଦୃଷ୍ଟିରୁ ରମ୍ୟ ନଗରୀ ବିଲକୁଲ ନୁହନ୍ତି, ବରଂ ଅନେକାଂଶରେ ଅସମ୍ପୂର୍ଣ୍ଣ।  ଅପ୍ରୀତିକର ସମୀକରଣ।

ଏଣେ ଯେଉଁ ଗତିରେ ସହରୀକରଣ  ବଢୁଛି, ମିଳିତ ଜାତିସଙ୍ଘର ଆକଳନ ଅନୁସାରେ ଆଗକୁ କେବଳ ୯୦ ପ୍ରତିଶତ ଲୋକେ ଆସିବେ ଏସିଆ ଓ ଆଫ୍ରିକାର ବିଭିନ୍ନ ଅଞ୍ଚଳରୁ । ସେତିକିବେଳକୁ ପୃଥିବୀର ମୋଟ ସହରାଞ୍ଚଳ ଜନସଂଖ୍ୟାର ୩୫ ପ୍ରତିଶତରୁ ଅଧିକ ଥିବେ ଭାରତ, ଚୀନ ଓ ନାଇଜେରିଆରେ। ଭାରତର ଯୋଗଦାନ ହେବ ୪୮୬ ନିୟୁତ, ଚୀନର ୨୫୫ ନିୟୁତ ଓ ନାଇଜେରିଆର ୧୮୯ ନିୟୁତ। ଏଇଠି କହିରଖେ ଯେ ୧୯୫୦ରୁ ୨୦୧୯ ଭିତରେ ପୃଥିବୀର ସହରାଞ୍ଚଳ ଜନସଂଖ୍ୟା ୪.୨ ବିଲିଅନ ବଢିଛି ଏବଂ ତୁଳନାତ୍ମକ ଭାବରେ ସହରୀକରଣ କମ ହୋଇଥିଲେ ହେଁ ଏକା ଏସିଆ ମହାଦେଶରେ ଅଛନ୍ତି ମୋଟ ଜନସଂଖ୍ୟାର ୫୫ ପ୍ରତିଶତ। ପଛକୁ ୟୁରୋପ ଓ ଆଫ୍ରିକା । ଉଭୟଙ୍କ ଭାଗ ୧୩ ପ୍ରତିଶତ। ଏବେ ସର୍ବାଧିକ ସହରାଞ୍ଚଳ ଥିବା ଇଲାକା ଉତ୍ତର ଆମେରିକା, ଲାଟିନ ଆମେରିକା, କାରିବିଏନ ଓ ୟୁରୋପ। ଅନ୍ୟ ପକ୍ଷରେ ଆଫ୍ରିକାର ୪୫ ପ୍ରତିଶତ ଜନସଂଖ୍ୟା ଗ୍ରାମାଞ୍ଚଳରେ। ଉଲ୍ଲେଖଯୋଗ୍ୟ ଯେ ଗ୍ରାମାଞ୍ଚଳ ଜନସଂଖ୍ୟା ବୃଦ୍ଧିରେ ରୋକ ଲାଗି ସାରିଛି ଏବଂ ଏଇ ଧାରା ଜାରି ରହିଲେ ଜୀବିକା ଓ ବସତି ପାଇଁ ୨୦୫୦ ପରେ ଗ୍ରାମାଞ୍ଚଳ ଲୋକ ସଂଖ୍ୟା ଦ୍ରୁତ କ୍ଷୟ ହେବ। ଏବେ ଭାରତ ଓ ଚୀନରେ ଗ୍ରାମୀଣ ବାସିନ୍ଦାଙ୍କ ସଂଖ୍ୟା ଯଥାକ୍ରମେ ୯୦୦ ୦ ୬୦୦ ନିୟୁତ। ସହରୀକରଣ ଓ ସେଇ ପ୍ରବାହରେ ଜୀବନ ଆଗକୁ ଅବିକଳ କ’ଣ ମୋଡ ନେବ ସେ ବାବଦରେ ଯଦିଓ ନିର୍ଦିଷ୍ଟ ଭାବରେ କୁହାଯାଇପାରିବ ନାହିଁ, ତେବେ ପ୍ରମୁଖ ମତ : ସହରୀକରଣର ପଶ୍ଚାତ ଗତି ସମ୍ଭବ ନୁହେଁ। ଏଣେ ଯାହାକୁ ଆମେ ସହରୀକରଣ କହୁଛୁ ଗୁଣାତ୍ମକ ଅର୍ଥରେ ତାହା ହୁଏତ ସହର ନୁହେଁ। କହିପାରନ୍ତି ଗ୍ରାମାଞ୍ଚଳର ଉନ୍ନତ ସମ୍ପ୍ରସାରଣ। ଯଦି ଯୋଜନାବଦ୍ଧ ବିକାଶ, ଭିତ୍ତିଭୂମି, ନୀତି ନିୟମ ଅନୁପାଳନ ଏବଂ ସୁସଂହତ ନାଗରିକ ଜୀବନକୁ ବିଚାରକୁ ନିଆଯାଏ ତେବେ ତ ଅଧିକାଂଶ ସହର ସହର ପଦବାଚ୍ୟ ହେବେ ନାହିଁ, କାରଣ କେବଳ ଏକ ନିର୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟା ସ୍ଥିରୀକୃତ ସୀମା ଟପିଯିବା ପରେ ସେମାନେ ଯାହା ଆପଣ ସଂଜ୍ଞା ବଦଳେଇ ସହରାଞ୍ଚଳ ବନ୍ଧନୀକୁ ଆସିଛନ୍ତି ! ଏକଦା ଗ୍ରାମାଞ୍ଚଳ ବୋଲାଉଥିବା ଚକଡାର ପରିଚୟ କୌଣସି ପ୍ରକାର ବଦଳି ସିନା ଯାଇଛି କିନ୍ତୁ ଈପ୍ସିତ ସହରର ସାରାଂଶ, ସୁଖ ସୁବିଧା ନୂଆ ସହରମାନଙ୍କରେ କାହିଁ ? ଏମାନେ ନା ସହର ନା ଗାଁ।

prayash

ପାଠକେ, ଏ ସମୁଦାୟ ପ୍ରକରଣର ଯେଉଁ ଦିଗ ଏବେ ପର୍ଯ୍ୟବରଣବିତ୍‌ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ତାହା ହେଉଛି ସହରର ଅବୟବ ବୃଦ୍ଧି କାରଣରୁ ଅସମ୍ଭବ ଭାବରେ ହ୍ରାସ ପାଉଥିବା ଚାଷ ଜମି। ତଥ୍ୟ ଅନୁସାରେ ୨୦୦୦ରୁ ୨୦୩୦ ଭିତରେ ଉଗ୍ର ସହରୀକରଣ ପାଇଁ ପୃଥିବୀ ପ୍ରତି ବର୍ଷ ହରେଇବ ୧.୬ ନିୟୁତ ହେକ୍ଟରରୁ ୩.୩ ନିୟୁତ ହେକ୍ଟର ଉନ୍ନତ ଚାଷ ଜମି। ଆଉ ସର୍ବାଧିକ କ୍ଷତି ଏଇ କ୍ରମରେ ସହିବ ଏସିଆ। ତା ପଛକୁ ଆଫ୍ରିକା। ପୃଥିବୀ ହରେଇବାକୁ ଥିବା ମୋଟ ଚାଷ ଜମିର ୮୦ ଭାଗ ଯିବ ଏଇ ଦୁଇ ମହାଦେଶରୁ। କୃଷିବିତ୍‌ମାନଙ୍କ ଆଶଙ୍କା, ଏତେ ପରିମାଣର ମୂଲ୍ୟବାନ ଚାଷ ଜମି ହରେଇବା କାରଣରୁ ଏସିଆ ଓ ଆଫ୍ରିକାର ଉତ୍ପାଦନ ହାନି ହେବ ଯଥାକ୍ରମେ ୬ ଓ ୯ ପ୍ରତିଶତ। ଚାଷ ଜମି ହାନି କେବଳ ଚାଷକୁ ନୁହେଁ, କ୍ଷତି ପହଞ୍ଚେଇବ ଜୈବ ବିବିଧତାକୁ। ଏକ ଅଧ୍ୟୟନ ମୁତାବକ ଗ୍ରାମାଞ୍ଚଳର ଏଇ ଅତିକ୍ରମଣ କ୍ଷତିଗ୍ରସ୍ତ କରିବ ଅନ୍ତତଃ ୧୩୯ ପ୍ରଜାତିର ଉଭୟଚର, ୪୧ ସ୍ତନ୍ୟପାୟୀ ଓ ୨୫ ପ୍ରଜାତିର ପକ୍ଷୀଙ୍କୁ ଯେଉଁମାନେ ପୂର୍ବରୁ ବି ସଙ୍କଟ ଘେରରେ ଅଛନ୍ତି।  ଆକଳନ ହେଉଛି ୨୦୩୦ ସୁଦ୍ଧା ପୂର୍ବ ଓ ପଶ୍ଚିମ ଆଫ୍ରିକା, ଭାରତର ପଶ୍ଚିମ ଘାଟ ପର୍ବତମାଳା ଓ ଶ୍ରୀଲଙ୍କାରେ ୨୦୦୦ମସିହା ସ୍ତର ତୁଳନାରେ ୨୦୩୦ ରେ ଜୈବ ବିବିଧତା କ୍ଷୟ ହେବ ଯଥାକ୍ରମେ ୧୯୦୦ ପ୍ରତିଶତ, ୯୨୦ % ଓ ୯୦୦ %। ସେତିକି ନୁହେଁ, ସବୁଠୁ ବଡ ସମସ୍ୟା ହେବ ପାନୀୟ ଜଳର। ସହରାଞ୍ଚଳ ମାନଙ୍କରେ ଯେତିକି ପାନୀୟଜଳ ଆବଶ୍ୟକ ତା’ର ୪୦ ପ୍ରତିଶତ କମ ଉପଲବ୍ଧ ହେବ ୨୦୩୦ ସୁଦ୍ଧା ଏବଂ ୨୦୫୦ ଆଡକୁ ପୃଥିବୀରେ ୧ ବିଲିଅନ ସହର ବାସିନ୍ଦା ଜଳ କଷ୍ଟ ଭୋଗୁଥିବେ।

ଭାରତ ପରି ଦେଶରେ ଏଇ ସମସ୍ୟା ସହିତ ଉତ୍କଟ ହେବ ପରିମଳ ଓ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା। ପରିବେଶବିତ୍‌ କହନ୍ତି ସହର ସବୁ ଚମତ୍କାର ‘ମୁଖା’ ପରି ଯାହା ସବୁ ଘୋଡେଇ ଦିଏ। ଯେତେବେଳେ ଗୋଟିଏ ଜାଗାରେ ଖଣିଜ ଉତ୍ତୋଳନ ହୁଏ ନଚେତ୍‌ କଳ କାରଖାନା ଗଢି ଉଠେ ସେତେବେଳେ ପ୍ରଦୂଷଣ ବାରିବା କଷ୍ଟ ହୁଏ ନାହିଁ। ଧୂଳି, ଧୂଆଁ ସବୁ ବାରି ହୋଇ ପଡେ।  ସହରରେ ଲୋକ ବଢିଲେ , କୋଠାବାଡି ବଢିଲେ ସେମିତି କିଛି ସିନା ଉପରକୁ ଜଣା ପଡେ ନାହିଁ କିନ୍ତୁ ମଣିଷଙ୍କ ପାଇଁ ମାଟି, ପାଣି ଓ ପବନର କିଛି କମ ପ୍ରଦୂଷଣ ହୋଇ ନଥାଏ। ଆମେ ମନକୁ ସାନ୍ତ୍ୱନା ଦେଉ – ଏଠି କାରଖାନା ତ ନାହିଁ , ମଣିଷ ଯାହା ଅଛନ୍ତି ! ଆଜିକୁ ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଥିଲେ ସହରମାନଙ୍କରେ ଯାହା ଏବେ ପ୍ରାୟ ୬୦ ପ୍ରତିଶତ। ୧୯୭୦ ବେଳକୁ ପୃଥିବୀରେ ଥିବା ମାତ୍ର ୪ ମେଗା ସିଟି ଏବେ ୪୨ ରେ। ଏକାଧିକ ଅଧ୍ୟୟନ ଏବଂ ୩ ବର୍ଷ ଧରି ନୟାନ୍ତ କରି ରଖିଥିବା କରୋନା ପ୍ରମାଣିତ କରି ସାରିଛି ସହରାଞ୍ଚଳରେ ସଂକ୍ରାମକ ରୋଗ ଆଗକୁ ଶୀଘ୍ର ବ୍ୟାପିବ। ସହରରେ ଗାଁ ତୁଳନାରେ ଉପଭୋଗ, ଉପଯୋଗ ସବୁ ଅଧିକ। ଅଧିକ ପାଣି, ଅଧିକ ବିଜୁଳି, ଅଧିକ ଖାଦ୍ୟ, ଅଧିକ ଜାଳେଣି , ଭୋଗ ବିଳାସର ଅଧିକ ସାମଗ୍ରୀ। ଯୋଜନାବିତ୍‌ଙ୍କ ଆକଳନ, ୨୦୫୦ ଆଡକୁ ଉଗ୍ର ଉପଭୋକ୍ତାସର୍ବସ୍ୱ ଜୀବନ ସହରମାନଙ୍କୁ Heat Islandରେ ପରିଣତ କରିବ ଯେଉଁଠି ବିକିରଣ ହ୍ରାସ ପାଇବାରୁ ବାୟୁମଣ୍ଡଳ ତାପମାତ୍ରା ବଢିବ । ଏବେ ପୃଥିବୀର ମାତ୍ର ଏକ ତୃତୀୟାଂଶ ସହରରେ ପରିମଳ ବ୍ୟବସ୍ଥା ଉନ୍ନତ। ସମାଜତତ୍ୱବିତ୍‌ ବରାବର କହି ଆସୁଛନ୍ତି, ଯୋଜନାବଦ୍ଧ ସହରୀକରଣ ନ ହେଲେ ଆଗକୁ ସହରରେ ସାମାଜିକ ଅସ୍ଥିରତା, ଅପରାଧ ବଢିବ। କମ ସମ୍ବଳ ଉପରେ ଅଧିକ ନିର୍ଭରଶୀଳତା ଜୀବନଶୈଳୀକୁ କେବଳ ଫିକା କରି ନଥାଏ ହିଂସାର ମୂଳଦୁଆ ବି ଟାଣ କରେ। ଏଣେ ଅର୍ଥନୈତିକ ବୈଷମ୍ୟ ସହିତ ଅପରାଧ ପ୍ରବଣତା ବୃଦ୍ଧି ଏକ ଐତିହାସିକ ସତ୍ୟ।

୬୦ ବର୍ଷ ତଳେ ଆଫ୍ରିକା ଓ ଏସିଆର ସହରାଞ୍ଚଳରେ ଅପରାଧ ସଂଖ୍ୟା ୧୪.୩ % ଓ ୧୭.୫ % ଥିବାବେଳେ ଏବେ ତାହା ୪୩.୫ ଓ ୫୧.୧%କୁ ବଢି ସାରିଛି। ଭାରତରେ ଏମିତି ସହର ଭିତରେ ଅଛନ୍ତି ପାଟନା, ଲକ୍ଷ୍ନୌ, ନାଗପୁର, ବେଙ୍ଗାଲୁରୁ,  ଇନ୍ଦୋର, କାନପୁର, ପୁଣେ, ଦିଲ୍ଲୀ, ସୁରଟ, ଚେନ୍ନାଇ ଓ ମୁମ୍ବଇ। ସ୍ପର୍ଶକାତର ହେଉଛି ଏସବୁ ସହରରେ ମହିଳାଙ୍କ ପ୍ରତି ହିଂସା ବଢୁଛି। ଆଉ ଗାଁ ! ଗାଁର ନାଁ ତ ସ୍ୱପ୍ନପୁରୀ ହୋଇ ରହି ନାହିଁ; କିନ୍ତୁ ସହର ମଧ୍ୟ ସୁରକ୍ଷିତ ନୁହେଁ।  ସଭ୍ୟତାର ସଂକ୍ରମଣ ଉଭୟ ଚକଡାକୁ ଉଜୁଡା ଭୂଇଁରେ ପରିବର୍ତ୍ତିତ କରିବା ଜାରି ରଖିଛି। ପୃଥିବୀର ଅତ୍ୟଧିକ ପ୍ରଦୂଷିତ ୧୦୦ ସହର ଭିତରେ ଭାରତର ଭାଗ ୬୩। ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଭାରତ ସ୍ୱାଧୀନ ହେଵା ପରେ ଗାଁ ମାନଙ୍କର ପୁନଃ ନିର୍ମାଣ ହେବ। ସେକଥା ତ ହେଲା ନାହିଁ; କିନ୍ତୁ ଏବେ ସହର ନା ସୁରକ୍ଷିତ ନା ସୁରମ୍ୟ।

kalyan agarbati

Comments are closed.