କଲମପୁର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ସ୍ୱାଧୀନତା ସଂଗ୍ରାମର ଗାଥାକୁ ନେଇ ପରିକ୍ରମା କରୁଛି ଅହିଂସା ରଥ । ଗତକାଲି ନୂଆପଡା ଦେଇ କଳାହାଣ୍ଡି ସୀମାନ୍ତ ଗୋଲାମୁଣ୍ଡା ବ୍ଲକ ଅଂଚଳରେ ଏହି ରଥ ପହଂଚିବା ପରେ କଳାହାଣ୍ଡି ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗୋଲାମୁଣ୍ଡା ପରେ ଧର୍ମଗଡ, ଜୁନାଗଡ ଦେଇ ଗତକାଲି ଅପରାହ୍ନରେ କଲମପୁର ଠାରେ ଅହିଂସା ରଥ ପ୍ରବେଶ କରିଥିଲା । ଜୁନାଗଡ ବ୍ଲକ ପ୍ରଶାସନ ତରଫରୁ ବି.ଡି.ଓ, ଜୁନାଗଡ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଦାସୀଗାଁ ଓ ମୁଣ୍ଡୁରାଗୁଡା ସରପଂଚ ପ୍ରମୁଖ ଦାସିଗାଁ ଠାରେ ଉପସ୍ଥିତ ରହି କଲମପୁର ଅଭିମୁଖେ ଅହିଂସା ରଥକୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।
କଲମପୁର ବ୍ଲକ ପ୍ରଶାସନ ତରଫରୁ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୋତି ବିହାରୀ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ବି.ଡି.ଓ ପ୍ରସନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା ଅହିଂସା ରଥକୁ ସ୍ୱାଗତ କରି କଲମପୁର ବ୍ଲକ ସୀମା ବଙ୍କାପଲା ନିକଟକୁ ପାଛୋଟି ଆଣିଥିଲେ । ବଙ୍କାପଲା ଠାରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ମନ୍ନ କୁମାରୀ ଲେମ୍ବୋ, ମହିଳା କ୍ଷେତ୍ର ପରିଦର୍ଶିକା ସୂର୍ଯ୍ୟକାନ୍ତୀ ବେହେରା, ବଙ୍କାପଲା ଅଙ୍ଗନୱାଡି କର୍ମୀ ସଙ୍ଗୀତା ମହାପାତ୍ର, ବିରାଜିନୀ ମହାରଣାଙ୍କ ସେମେତ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଆଂଚଳିକ ସାଧାନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କରୁଣାକର ବାଗ, ସାଂସଦଙ୍କ ରୋଗୀ କଲ୍ୟାଣ ସମିତିର ପ୍ରତିନିଧି ନୀଳକଣ୍ଠ ସୁନାନୀ ପ୍ରମୁଖଙ୍କ ସମେତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଅହିଂସା ରଥକୁ ସ୍ୱାଗତ କରିବା ସହ ବଙ୍କାପଲା ଠାରେ ଶୋଭାଯାତ୍ରା କରି ରଥର ପରିକ୍ରମା କରାଇଥିଲେ ।
ଏହାପରେ ଦେପୁର ଦେଇ କଲମପୁର ଠାରେ ଅହିଂସା ରଥ ପହଂଚିଥିଲା । କଲମପୁର କସ୍ତୁରୀକାମୋଦିନୀ ଦେବୀ ମହାବିଦ୍ୟାଳୟ, ଅମୋହମଣି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୁର୍ଗାମଧବ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଅହିଂସା ରଥକୁ ସ୍ୱାଗତ କରିବା ସହ ସ୍ଥାନୀୟ ଆର.ଏମ.ସି ୟାର୍ଡକୁ ପାଛୋଟି ନେଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସମିତି ଅଧ୍ୟକ୍ଷା ଶ୍ରୀମତି ମୋତି ବିହାରୀଙ୍କ ସମେତ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବି.ଡି.ଓ ପ୍ରଶନ୍ନ କୁମାର ପଟେଲ, ତହସିଲଦାର କରିଶ୍ମା ବେଶ୍ରା, କଲମପୁର ସରପଂଚ ସୂର୍ଯ୍ୟକାନ୍ତି ପଣ୍ଡା, ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା, ପୂର୍ବତନ ସମିତି ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ହେଇଥିଲେ ।



