ଅତାବିରାରେ ପି.ଏଚ୍.ଡିର ଅବହେଳା; ଜନସାଧାରଣଙ୍କ ପାଇଁ ସାଜିଛି କାଳ

ରେଙ୍ଗାଲିକ୍ୟାମ୍ପ: ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି  ‘ଜଳ ହିଁ ଜୀବନ’ର ବ୍ୟାନର ପୋଷ୍ଟର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଜଳର ସଦୁପଯୋଗ କରିବା ପାଇଁ ସଚେତନ କରୁଛନ୍ତି । ହେଲେ ବରଗଡ଼ ଜିଲ୍ଲାରେ ତାର ବାସ୍ତବ ରୂପ ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳୁଛି । ପାନୀୟ ଜଳ ସକାଶେ ବସୁଧା, ଅମୃତଧାରା ଭଳି କେତେକ ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ମାନ ତିଆରି ହେଉଥିବା ବେଳେ ଗାଁ ଗଣ୍ଡାରେ ଏବେ ବି ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ପ୍ରକଳ୍ପ ମାନ ଅଚଳ ହୋଇ ଖତଖାଉଛି । . କେଉଁଠି ପାଇପ୍ ଫାଟି ଯାଇଛି ତ ଆଉ କେଉଁଠି ମଟର ପୋଡ଼ି ଯାଇ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ଠପ୍ ହୋଇପଡିଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ଜନିତ ସମସ୍ୟାରେ ଦୀର୍ଘ ଦିନ ଧରି ସବୁ ଥାଇ ମଧ୍ୟ ପାଣି ଟୋପେ ପାଇଁ ଲୋକଙ୍କୁ ଛଟପଟ ହେବାକୁ ପଡୁଛି  । ଅତାବିରା  ଅଞ୍ଚଳଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ।  ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ଓ  ୧୨ଟି ୱାର୍ଡ ବିଶିଷ୍ଟ ଏନ୍.ଏସିକୁ ନେଇ ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ଗଠିତ ହୋଇସାରିଛି । ହେଲେ ଏଠାରେ ଏବେ ବି ଲୋକେ ପିଇବା ପାଣି ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ରହୁଛନ୍ତି ।

ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ସକାଶେ ବହୁ ଗୁଡ଼ିଏ ଯୋଜନା ମାନ ପ୍ରଣୟନ ହୋଇ କୋଟିକୋଟି ଟଙ୍କା ସରକାରୀ ଅନୁଦାନରୁ ବ୍ୟୟ ବରାଦ ଆସି ଖର୍ଚ୍ଚ ହେଉଛି । କାର୍ଯ୍ୟ ମଧ୍ୟ ହେଉଛି, ହେଲେ ତାର ବାସ୍ତବତା କେତେ ତାହା ଏହି କୋଟି ଟଙ୍କାରେ ତିଆରି ଅଚଳାବସ୍ଥାରେ ଦଣ୍ଡାୟମାନ ହୋଇ ରହିଥିବା  ପାଣିଟାଙ୍କି ଗୁଡ଼ିକୁ ଦେଖିଲେ ବେଶ୍  ଅନୁମାନ କରିହେବ । ଅଞ୍ଚଳର ଅନେକ ସ୍ଥାନରେ  ଆବାହମାନ କାଳରୁ ରହିଛି ବହୁ ପୁରୁଣା ନଳକୂପ । ସେହି ନଳକୂପ ଗୁଡ଼ିକ ପୁରୁଣା ହେବା ସହ ସେଥିରୁ ଲୁହାଳିଆ ପାଣି ବାହାରୁଛି  ଯାହା ପିଇବା ତ ଦୂରର କଥା ପାଟିରେ ଦେଇ ହେଉନାହିଁ । ପାନୀୟ ଜଳ ସକାଶେ କୋଟିକୋଟି ଟଙ୍କା ଅର୍ଥ ଅନୁଦାନରେ ଆର୍ ଡବ୍ଲୁଏସଏସ ଓ ପିଏଚଡି ବିଭାଗ ଅଧୀନରେ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମିତ ହେଉଥିବା ବେଳେ, ତିଆରି ହୋଇ କିଛି ମାସ  ଗଲା ପରେ ଅଳିଆ ଆବର୍ଜନା ଘେରରେ ପଡ଼ି ରହିଯାଉଛି । କେତେକ ସ୍ଥାନରେ ଟାଙ୍କିଗୁଡିକରେ ଟୋପାଏ ବି ପାଣି ନାହିଁ । କେବଳ ପ୍ରତି ବର୍ଷ ଟାଙ୍କି ଉପରେ ରଙ୍ଗ ଲଗାଇ ଦେଖାଣିଆ ଭାବରେ କାମ କରାଯାଉଛି । ବ୍ୟାନର ପୋଷ୍ଟର ମାଧ୍ୟମରେ ପ୍ରକଳ୍ପ ମାନ ରହିଯାଉ ଥିବାବେଳେ କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ  ।

prayash

ବିଭାଗୀୟ କିଛି ସରକାରୀ ଅଧିକାରୀ ମାନଙ୍କ ଅବହେଳା ତଥା କିଛିଟା ସ୍ବାର୍ଥ ଲାଳସା ଯୋଗୁଁ ଲୋକଙ୍କୁ ପାଣି ଦେବା ତ ଦୂର କଥା ପାଇପ୍ ବିଛାଇବା ପାଇଁ ଦୀର୍ଘ ଦିନ ହେବ ରାସ୍ତା କଡ଼ ଖୋଲି ଦେଇ କେଉଁଠି ମାସ ମାସ ଧରି ମରଣଜନ୍ତା ଭାବେ ଛାଡ଼ି ଦିଆଯାଉଛି ତ ଏନ୍.ଏସି ଅଞ୍ଚଳରେ ଠିକ୍ ଭାବରେ ପାନୀୟ ଜଳ ପାଇପ୍ ବିଛା ଯାଇ ନଥିବାରୁ ପାଇପ୍ ଗୁଡ଼ିକ ଭାଙ୍ଗି ଯାଇ ରାସ୍ତାରେ ବହୁଥିବା ଅଳିଆ ଆବର୍ଜନା ତଥା ନର୍ଦ୍ଦମା ପାଣି ଫାଟି ଯାଇଥିବା ପାନୀୟ ଜଳରେ ମିଶି ଆଗକୁ ହାଇଜା ଭଳି ମହାମାରୀର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।  ପୁରୁଣା ନଳକୂପ ଗୁଡ଼ିକ ଲୁହାଲିଆ ପାଣି ବାହାରି ଆବଶ୍ୟକ ମୁତାବକ ପାଣି ଦେଉ ନଥିବାବେଳେ ଅତାବିରାରେ ପାଣି ଚୋରି ହେବା ସହ ନଳକୂପ ଚୋରି ମଧ୍ୟ ଦୀର୍ଘ ଦିନରୁ ହେଉଥିବାର ଅଞ୍ଚଳରେ ବେଶ୍ ନଜିର ରହିଛି । ସେହିପରି ପି.ଏଚ.ଡି ପକ୍ଷରୁ ଏନ୍.ଏସି ଅଞ୍ଚଳର କେଉଁଠି ପାଣି ପାଇପ୍ ପୋତାଯାଇଛି ତ ଆଉ କେଉଁଠି ପାଣି ପାଇପ୍ ଆଦୌ ବିଛା ଯାଇନାହିଁ  l

କେଉଁଠି ପାଇପ୍ ବିଛାଯାଇ ଟ୍ୟାପ୍‌ ଲାଗିଥିଲେ ହେଁ ଏଯାବତ୍ ପାଣି ପହଞ୍ଚି ପାରିନାହିଁ ।  କେବଳ ବ୍ୟାନର ପୋଷ୍ଟରରେ ହିଁ ପାନୀୟ ଜଳ  । ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ । ଯାହା ପିଏଚଡି ବିଭାଗର ଖେଳ ଏବେ ଏନ୍.ଏସି ପାଇଁ କାଳ ହେବାକୁ ବସିଲାଣି ।  ଟୋପେ ପାଣି ପାଇଁ ଲୋକେ ବାର ଦୁଆର ହୋଇ ଛଟପଟ ହେବାକୁ ପଡ଼ୁଥିବା ବେଳେ ନିମ୍ନ ମାନର ପାଇପ୍ ସହ ଠିକାଦାର ପୋଷା ନୀତିରେ କାର୍ଯ୍ୟ ହୋଇଚାଲିଛି । ଲୋକେ ପାଣି ଟୋପେ ପାଇ ପାରୁନଥିବା ବେଳେ ରାସ୍ତା କଡ଼ ଓ ନଈ ନାଳ ଦେଇ ଯାଇଥିବା ପାନୀୟ ଜଳ ପାଇପ୍ ଅନେକ ସ୍ଥାନରେ ଫାଟି ଅନର୍ଗଳ ଭାବେ ପାଣି ବହିଯାଉଛି । ଯାହା ସାମାନ୍ୟ ବର୍ଷା ହେଲେ ନଈ ନାଳ ପୁରଣ ହୋଇ ନର୍ଦ୍ଦମା ପାଣି ପାନୀୟ ଜଳ ପାଇପ୍ ରେ ମିଶି ମହାମାରୀ ରୂପ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।  ତେବେ ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ ସହ ଉପଯୁକ୍ତ ପରିମାଣର ପାନୀୟ ଜଳ ଯୋଗାଇବାକୁ ସାଧାରଣ ରେ ଦାବି ହୋଉଛି ।

 

kalyan agarbati

Comments are closed.