କ୍ଷତିପୂରଣ ନେଲେ ବିକିପାରିବନି ଧାନ
ଇନ୍ଦ୍ରାବତୀ କେନାଲରେ ଘାଇ : ବଢିଲା ଚାଷୀଙ୍କ ଅଡୁଆ
୩ ବର୍ଷ ହେଲା ଦବୁଥିଲା ପଥର ବନ୍ଧ, ଘାଇ ପରେ ଅସ୍ଥାୟୀ ମରାମତି ଆରମ୍ଭ
ଧର୍ମଗଡ଼ : କଳାହାଣ୍ଡି ଜିଲା ବଗାଡ଼ଠାରେ ଇନ୍ଦ୍ରାବତୀ ବାମ କେନାଲରେ ଗତକାଲି ବିରାଟ ଘାଇ ସୃଷ୍ଟି ହୋଇ ଚାଷଜମି ଜଳମଗ୍ନ ହେବା ପରେ ରବିବାର ସକାଳୁ ଏହାର ଅସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଇନ୍ଦ୍ରାବତୀର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବାଲି ବସ୍ତା ପକାଇ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। କେନାଲ ନିର୍ମାଣ ସମୟରେ ଯେଉଁ ପଥର ବନ୍ଧ କରାଯାଇଥିଲା ସେଗୁଡ଼ିକ ଦବିଯିବା ସହ କେନାଲ କାନ୍ଥରୁ ସିମେଣ୍ଟ କ୍ଷୟ ଫଳରେ ଏହି ଘାଇ ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ପ୍ରକ୍ରିୟା ଆଜିର ନୁହେଁ; ବରଂ ଗତ ତିନି ବର୍ଷ ତଳୁ ଇନ୍ଦ୍ରାବତୀ ବାମ କେନାଲର ଏହି ପଥର ବନ୍ଧ ଦବୁଥିବା ଆରମ୍ଭ ହୋଇଯାଇଥିଲା। ସ୍ଥାନୀୟ ଚାଷୀମାନେ ‘ସମାଜ’କୁ ଏଭଳି ସୂଚନା ଦେଇଛନ୍ତି।
ଘାଇ ଆଶଙ୍କା ନେଇ ବିଭାଗୀୟ ଅଧିକାରୀଙ୍କୁ ପୂର୍ବରୁ ବହୁବାର ସତର୍କ ମଧ୍ୟ କରାଯାଇଥିଲା; ମାତ୍ର ବିଭାଗ ଏଥିପ୍ରତି ଗୁରୁତ୍ବ ଦେଇ ନ ଥିଲା। ଏପରିକି ତିନିବର୍ଷ ତଳେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘାଇର ବିପରୀତ ପାର୍ଶ୍ବରେ ମରାମତି କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ଦୁର୍ବଳ ହୋଇପଡିଥିବା ଏହି ଘାଇ ଅଞ୍ଚଳର ମରାମତି କରାଗଲା ନାହିଁ। ଫଳରେ ଆଜି ଭୋଗିବାକୁ ପଡିଲା ବୋଲି ଚାଷୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ରୁଆ କାର୍ଯ୍ୟ ସରିବା ପରେ ଦ୍ବିତୀୟ ପର୍ଯ୍ୟାୟ ସାର ଦେବା ପାଇଁ ପ୍ରସ୍ତୁତ ହେଉଥିବା ଚାଷୀ ମୁହଁରୁ ଏବେ ହସ ଉଭେଇ ଯାଇଛି। ଦୁଇଦିନ ପୂର୍ବରୁ ନୂଅଁାଖାଇ ପାଳନ ସହ ଏକ ଭଲ ଅମଳର ଆଶା ରଖୁଥିବା ଚାଷୀର କ୍ଷେତରେ ଏବେ ବାଲି ଓ ପଟୁମାଟି ଚରି ଯାଇଛି।
ତେବେ ଘାଇ ପରେ ସରକାରୀ ଅଧିକାରୀଙ୍କ ନାଲିଆଖି ଏବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିନ୍ତିତ କରିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟାବେଳେ ପ୍ରାୟ ୧୫ ଫୁଟର ଏକ ଘାଇ ସୃଷ୍ଟି ହୋଇ ୨୦ ଜଣ ଚାଷୀଙ୍କ ଏକର ଏକର ଜମିକୁ ମାଡି ଯାଇଥିଲା। ତେବେ ସରକାରୀ ରିପୋର୍ଟରେ କେବଳ ବସନ୍ତ ବେହେରା, ଆଶିଷ ବେହେରା, ହବଳ ଭାଟି, ବୈକୁଣ୍ଠ ରଣା, ଋଷିମଣୀ ରଣା ଓ ତେଜରାଜ ରଣାଙ୍କ ଜମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି। ଅନ୍ୟଚାଷୀମାନେ ନିଜ ନାମ ଏହି କ୍ଷତିଗ୍ରସ୍ତ ତାଲିକାରେ ସାମିଲ କରିବାକୁ ଅନିଚ୍ଛୁକ ଅଛନ୍ତି। କାରଣ କୃଷି ଅଧିକାରୀମାନେ ଘାଇ ଯୋଗୁଁ ଫସଲ କ୍ଷତି ହୋଇଥିବା ନ ଦର୍ଶାଇବାକୁ ଚାଷୀମାନଙ୍କୁ ପରୋକ୍ଷ ଚେତାବନୀ ଦେଉଛନ୍ତି। ଯଦି ସେମାନେ କ୍ଷତିପୂରଣ ପାଇବେ, ତେବେ ସେମାନଙ୍କୁ ଏଥର ଧାନ ବିକ୍ରି କରିବାକୁ ସୁଯୋଗ ମିଳିବନି ବୋଲି ଧମକ ଦିଆଯାଇଥିବା କେତେକ ଚାଷୀ ନାମ ଗୋପନ ରଖି ’ସମାଜ’କୁ କହିଛନ୍ତି। ଯେତେ ପରିମାଣର କ୍ଷୟକ୍ଷତି ହେଲେ ବି ରିଲିଫ କୋଡ଼ ଅନୁଯାୟୀ, ଯେଉଁ କ୍ଷତିପୂରଣ ମିଳିବ, ତାହା କ୍ଷୟକ୍ଷତି ତୁଳନାରେ ନଗଣ୍ୟ। କିନ୍ତୁ ଅଭିଯୋଗ କରିଥିବା ଚାଷୀଙ୍କୁ ଅନ୍ଲାଇନ ପଞ୍ଜୀକରଣ ସତ୍ତ୍ବେ ଧାନ ବିକ୍ରିରୁ ବଞ୍ଚିତ କରାଯିବ ବୋଲି କୁଆଡ଼େ ଚାଷୀଙ୍କୁ କିଛି ଅଧିକାରୀ ଭୟଭୀତ କରିଥିବା କୁହାଯାଉଛି। ତେଣୁ ଆଂଶିକ କ୍ଷତି ହୋଇଥିବା ଏଠାକାର ସରଳ ଚାଷୀ କ୍ଷତିଗ୍ରସ୍ତଙ୍କ ତାଲିକାରେ ନାମ ଉଠାଉ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ତିନିବର୍ଷ ତଳେ ବର୍ତ୍ତମାନର ଘାଇ ହୋଇଥିବା ସ୍ଥାନର ଠିକ୍ ବିପରୀତ ପାର୍ଶ୍ବରେ ଛୋଟ ଘାଇ ହେବା ପରେ ଏହାର ମରାମତି କରାଯାଇଥିଲା। ତାହା ମଧ୍ୟ ଅସ୍ଥାୟୀ କାମ ହୋଇଥିଲା। ପୁଣି ଦୁଇମାସ ତଳେ ସେଠାରେ ଛୋଟ ଛୋଟ ରନ୍ଧ୍ର ସୃଷ୍ଟି ହେବା ପରେ ମାଟି ପକାଇ ତା’ର ପ୍ୟାଚିଂ କାମ ମଧ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଆଉ ସ୍ଥାୟୀ ମରାମତି କରାଗଲା ନାହିଁ। ସେ ସମୟରେ ଏ ସମ୍ପର୍କରେ ଚାଷୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାରଣ ସେତେବେଳକୁ ପଥର ଦବିବା ସହ କାନ୍ଥରୁ ସିମେଣ୍ଟ ଝଡ଼ିବା ସ୍ପଷ୍ଟ ଜଣାପଡ଼ିଥିଲା। ସେତେବେଳେ ଏହାର ସ୍ଥାୟୀ ମରାମତି କରିଥିଲେ ଏବେ ଏତେବଡ଼ କ୍ଷତିକୁ ରୋକାଯାଇପାରିଥାନ୍ତା। କିନ୍ତୁ ବିଭାଗ ସେତେବେଳେ ଏହାକୁ ଅଣଦେଖା କରିଥିଲା। ଯାହାର ପରିଣାମ ଚାଷୀଙ୍କୁ ଆଜି ଭୋଗିବାକୁ ପଡ଼ିଲା।
ତେବେ ବଗାଡ଼ ଠାରେ ଆଜି ଇନ୍ଦ୍ରାବତୀର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ମରାମତି କାର୍ଯ୍ୟ ଆରମ୍ଭ କରିଥିବାବେଳେ ରାଜସ୍ବ ଓ କୃଷି ବିଭାଗର କର୍ମଚାରୀ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରିଛନ୍ତି। ପୁଣି ଯେମିତି ଚାଷ କାର୍ଯ୍ୟ ମଝିରେ ଘାଇ ସୃଷ୍ଟି ନହେବ ସେଥିପାଇଁ ବାଲି ବସ୍ତା ପକାଇବା ସହ କାନ୍ଥ ସ୍ଳାବ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଚାଷ କାର୍ଯ୍ୟ ପରେ ଏହି ଘାଇର ସ୍ଥାୟୀ ମରାମତି କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ବାମ କେନାଲ ପୂର୍ବରୁ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡିଭିଜନରେ ଥିଲା। ଚଳିତ ବର୍ଷ ଖରିଫ ଆରମ୍ଭ ପୂର୍ବରୁ ଏହାକୁ ଧର୍ମଗଡ଼ ଡିଭିଜନକୁ ହସ୍ତାନ୍ତର କରାଯାଇଥିଲା। କୁସୁମଖୁଣ୍ଟି ଡିଭିଜନରେ ଥିବା ସମୟରେ ଗତ ତିନି ବର୍ଷ ତଳେ ବର୍ତ୍ତମାନର ଘାଇ ହୋଇଥିବା ଠିକ ବିପରୀତ ପାର୍ଶ୍ବରେ ଅସ୍ଥାୟୀ ମରାମତି କରାଯାଇଥିଲା।
ଇନ୍ଦ୍ରାବତୀ କେତେବେଳେ ଚାଷୀ ପାଇଁ ଆଶୀର୍ବାଦ ତ କେତେବେଳେ ଅଭିଶାପ ସାଜିଛି। ଠିକାଦାର ଓ େକତେକ ଅସାଧୁ ଯନ୍ତ୍ରୀଙ୍କ ପାଇଁ କିନ୍ତୁ ଏହା ପୁଷମାସିଆ ପ୍ରକଳ୍ପ ସାଜିଛି। ଅସ୍ଥାୟୀ ମରାମତି ନଁାରେ ଲକ୍ଷ ଲକ୍ଷ ଟଙ୍କା ବିଲ ଆତ୍ମସାତ୍ କରି ନିଆଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।
Comments are closed.